ସମ୍ବଲପୁର ଟେଲିଫୋନ ଉପଦେଷ୍ଟା କମିଟି ସଦସ୍ୟ ଭାବେ ମନୋନୀତ ହେଲେ ହରିହର ସାହୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ବଲପୁର ଟେଲିଫୋନ ଉପଦେଷ୍ଟା କମିଟିର ସଦସ୍ୟ ଭାବେ ହରିହର ସାହୁଙ୍କୁ ଭାରତ ସରକାରଙ୍କ ସଂଚାର ମନ୍ତ୍ରଣାଳୟ ଦୂର ସଂଚାର ବିଭାଗ, ପି.ଏଚ.ପି ଅନୁବିଭାଗ ମହାନଗର ଭବନ ନୂଆଦିଲ୍ଲୀ ରୁ ମନୋନୀତ କରାଯାଇଥିବା ସୂଚନା ରହିଛି । ଏହି ଅବସରରେ ହରିହର ସାହୁଙ୍କ ସହିତ ଆଲୋଚନାରୁ ଜଣାଯାଏ ଯେ ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ କୁରଳୁପାଲି ଗ୍ରାମ ପଞ୍ଚାୟତର ଏକ ଛୋଟ ଗାଁ ବେହେରାଡୁବୁରୀରେ ହରିହର ସାହୁଙ୍କ ଜନ୍ମ । ନିଜର ପ୍ରାଥମିକ ଶିକ୍ଷା ବେହେରାଡୁବୁରି ବିଦ୍ୟାଳୟରେ ତୃତୀୟ ଶ୍ରେଣୀ ପାସ କରି କୁରଳୁପାଲି ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇ ୧୯୮୫ ମସିହାରେ ଡଭା ହାଇସ୍କୁଲରୁ ମାଟ୍ରିକ ପାସ କଲେ । ପିଲାବେଲୁ ଆନ୍ଦୋଳନ ସହିତ ରାଜନୀତି ସଭା ସମିତି ପରିବେଶ ତାଙ୍କୁ ରାଜନୀତିରେ ପାଦ ଥାପିବାକୁ ଟାଣି ନେଇଥିଲା । ସମାଜର ବିକାଶ ପାଇଁ କିଛି କରିବାର ଇଛାରେ ୧୯୯୩ ମସିହାରେ ଶିକ୍ଷା କର୍ମୀ ଚାକିରୀ ଛାଡି ଥିଲେ । ବାଲକୋ ହଟାଓ ଆନ୍ଦୋଳନରେ ସକ୍ରିୟ ଭାବେ ସାମିଲ ହୋଇ ଝାରବନ୍ଧ ଅଞ୍ଚଳର ସମସ୍ୟାକୁ ପ୍ରଶାସନ ପାଖକୁ ପହଂଚାଇବା ପାଇଁ ସାମ୍ବାଦିକତା ମଧ୍ୟ କରିଥିଲେ । ଏହିକ୍ରମରେ ୧୯୯୬ ମସିହାରେ ଡଭା କଲେଜ ଆରମ୍ଭ ପାଇଁ କାର୍ଯ୍ୟକାରୀ କମିଟିର ସମ୍ପାଦକ ଦାୟିତ୍ୱ ତୁଲାଇବାର ଅବସର ମିଳିଥିବା ବେଳେ ୨୦୦୩ ମସିହାରେ ଭଣ୍ଡାରପୁରୀ ଗ୍ରାମପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହେଲା ପରେ ୨୦୦୭ ମସିହାରେ ଝାରବନ୍ଧ ଜୋନ ୨ ର ଜିଲ୍ଲାପରିଷଦ ଭାବେ ନିର୍ବାଚିତ ହୋଇ ଅଞ୍ଚଳର ବିକାଶ ପାଇଁ ବହୁତ ପରିଶ୍ରମ କରି ଲୋକଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ । ଏହି ସମୟ ମଧ୍ୟରେ ବିଜେପି ଦଳର ବ୍ଲକ ସମ୍ପାଦକ, ସଭାପତି ତଥା ଜିଲ୍ଲା କମିଟିର ସାଧାରଣ ସମ୍ପାଦକ ତଥା ବିଭିନ୍ନ ପଦବୀରେ ରହିବା ସହିତ ଡଭା ପେକ୍ସରେ ଡାଇରେକ୍ଟର ଭାବେ କାର୍ଯ୍ୟ ତୁଲାଇ ଥିଲେ ଏବଂ ପଦ୍ମପୁର ଉପଖଣ୍ଡ ହାଉସିଂ ବୋର୍ଡ ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ମୁହୂର୍ତ୍ତ ୨୦୧୪ ମସିହାରେ ବିଧାୟକ ପ୍ରଦୀପ ପୁରୋହିତଙ୍କ ଝାରବନ୍ଧ ବ୍ଲକ ନୋମିନି ଭାବେ ଏବଂ ୨୦୧୯ ମସିହାରେ ସାଂସଦ ସୁରେଶ ପୁଝାରୀଙ୍କ ଝାରବନ୍ଧ ବ୍ଲକ ନୋମିନି ଭାବେ ଦାୟିତ୍ୱ ତୁଲାଇ ଥିଲେ । ପଦ୍ମପୁରର ଶିରୀଶ ବହିଦାରଙ୍କ ରାଜନୈତିକ ଚିନ୍ତାଧାରା ଏବଂ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବିଜେପି ଦଳରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି । ତାଙ୍କ ରାଜନୀତି ଜୀବନରେ ଅନେକ ସମସ୍ୟାରେ ଗତି କରି ଅଂଚଳର ବିକାଶ ପାଇଁ କାର୍ଯ୍ୟ କରି ଆଜି ଭାରତ ସରକାରର ସଂଚାର ବିଭାଗ ଦ୍ୱାରା ସମ୍ବଲପୁର ଟେଲିଫୋନ ଉପଦେଷ୍ଟା କମିଟିର ସଦସ୍ୟ ଭାବେ ମନୋନୀତ ହୋଇଥିବାରୁ ଝାରବନ୍ଧ ଅଞ୍ଚଳରେ ଶୁଭେଚ୍ଛାର ସୁଅ ଛୁଟୁଛି । ଏହି ଅବସରରେ ସାଂସଦ ପ୍ରଦୀପ ପୁରୋହିତଙ୍କୁ ହରିହର ସାହୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

jittmm
Leave A Reply

Your email address will not be published.