- ବିଦ୍ୟାଳୟରେ ଶୋକସଭା
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ଛନ୍ଦାଚରଣ ମାଝୀ (୨୬)ଙ୍କ ଶୁକ୍ରବାର ସକାଳେ ହୃଦଘାତରେ ଆକସ୍ମିକ ବିୟୋଗ ଘଟିଛି । ସେ ଗୁରୁବାର ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ଲେବଡା, ପରେ ଟିଟିଲାଗଡ ଓ ପରେ ବଲାଙ୍ଗିର ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଅବସ୍ଥା ଆହୁରି ଗୁରୁତର ହେବାରୁ ତାଙ୍କୁ ବୁର୍ଲା ନେବା ବେଳେ ରାସ୍ତାରେ ବରପାଲି ନିକଟରେ ତାଙ୍କର ପରଲୋକ ଘଟିଥିଲା । ମୃତଦେହ ତାଙ୍କ ନିଜ ଗ୍ରାମ ଦେଓଗାଁ ବ୍ଲକ ଲୁହୁରେନପାଲିକୁ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା । ଅନ୍ତିମ ସଂସ୍କାରରେ ପରିବାର ଓ ଜ୍ଞାତିକୁଟୁମ୍ବଙ୍କ ସହ ଲେବଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦୁତୀବାହାନ ମୁନାଙ୍କ ସହ ସମସ୍ତ ଶିକ୍ଷକ ସାମିଲ ହୋଇଥିଲେ । ସେ ୨୦୨୩ରେ ବିଦ୍ୟାଳୟରେ ଯୋଗ ଦେଇଥିଲେ । ତାଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି ହୋଇଥିବାରୁ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ବରିଷ୍ଠ ଶିକ୍ଷକ ସାଧୁଚନ୍ଦ୍ର ଛତରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶୋକସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ ।