
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲର ଲକ୍ଷ୍ମୀକାନ୍ତ ପ୍ରଧାନ ଭାରତ ସରକାରଙ୍କ ସ୍ଥଳ ସେନାର କୋର ଅଫ ସିଗ୍ନାଲ ରେଜିମେଣ୍ଟରେ ଅବସର ନେଇ ଗୁରୁବାର ନିଜ ମାଁ ମାଟିକୁ ଫେରିଥିବାରୁ ତାଙ୍କୁ ପାଇକମାଳ ତଥା ଅଞ୍ଚଳବାସୀ ସ୍ୱାଗତ କରିଥିଲେ । ଶ୍ରୀ ପ୍ରଧାନ ପାଇକମାଳ ପହଞ୍ଚିବା ପରେ ବ୍ଲକ ସମ୍ମୁଖରୁ ତାଙ୍କ ବାସସ୍ଥାନ ପର୍ଯ୍ୟନ୍ତ ଦୁଇ କିଲୋମିଟର ଯାଏ ଏକ ରାଲି କରାଯାଇ ସ୍ୱାଗତ କରାଯାଇଥିଲା । ରାସ୍ତାରେ ଆସିବା ବେଳେ ଅଞ୍ଚଳର ଜନସାଧାରଣ ତାଙ୍କୁ ଉପଢୌକନ ଓ ଫୁଲ ମାଳଦେଇ ସ୍ୱଗତ କରିଥିଲେ । ଏହି ସମୟରେ ରାସ୍ତା ସାରା ବାଜା ବଜାଇ ଓ ବାଣ ଫୁଟାଇ ପାଛୋଟି ନିଆଯାଇଥିଲା । ଶ୍ରୀ ପ୍ରଧାନ ଘରକୁ ପହଞ୍ଚିବା ପରେ ତାଙ୍କ ମାତା, ତାଙ୍କ ସହଧର୍ମିଣୀ ଓ ତାଙ୍କ ପରିବାର ଲୋକେ ତାଙ୍କୁ ବନ୍ଦାପନା କରି ଘରକୁ ପାଛୋଟି ନେଇଥିଲେ । ସେ ଭାରତୀୟ ସେନା ବାହିନୀରେ ୧୬.୫ ବର୍ଷ ପର୍ଯ୍ୟନ୍ତ କାମ କରି ଅବସର ନେଇଛନ୍ତି । ପାଇକମାଳର ଗୌରବ ଶ୍ରୀ ପ୍ରଧାନ ପାଇକମାଳ ବାସିନ୍ଦା ହେମଲତା ପ୍ରଧାନ ଓ ସ୍ୱର୍ଗତ ନାରାୟଣ ପ୍ରଧାନଙ୍କ ସୁପୁତ୍ର ଅଟନ୍ତି । ଯୁବ ପିଢ଼ିଙ୍କୁ ତମେ କି ଉପଦେଶ ଦେବ ବୋଲି ପଚାରିବାରୁ ଭାରତ ମାତାର ସେବା କରିବା ପାଇଁ ସମସ୍ତ ଯୁବକ ଆଗେଇ ଆସନ୍ତୁ ବୋଲି କହିଥିଲେ । ତାଙ୍କ ମାତାଙ୍କୁ ପଚାରିବାରୁ ସମସ୍ତ ମାଁ ମାନେ ନିଜ ନିଜ ପିଲାମାନଙ୍କୁ ଦେଶ ମାତୃକାର ସେବା କରିବା ପାଇଁ ସେନା ବାହିନୀରେ ଭର୍ତ୍ତି କରନ୍ତୁ ବୋଲି କହିଥିଲେ ।