
ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଘଟିଥିବା ଅଘଟଣକୁ ନେଇ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର । ପୁରୀ ଜିଲ୍ଲାପାଳ ଓ ଏସ୍ପିଙ୍କୁ ବଦଳି କରାଯାଇଛି । ଚଞ୍ଚଳ ରାଣାଙ୍କୁ ପୁରୀର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ପିନାକ ମିଶ୍ରଙ୍କୁ ପୁରୀ ଏସ୍ପି ଭାବେ ନିଯୁକ୍ତି ପାଇଛନ୍ତି । ସେପଟେ ଡିସିପି ବିଷ୍ଣୁ ପତିଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । କମାଣ୍ଡାଣ୍ଟ ଅଜୟ ପାଢୀ ମଧ୍ୟ ସ୍ସପେଣ୍ଡ ହୋଇଛନ୍ତି । ଦାୟିତ୍ୱରେ ଅବହେଳା ଅଭିଯୋଗ ଯୋଗୁଁ ଦୁଇ ଅଫିସରଙ୍କୁ ନିଲମ୍ବିତ କରାଯାଇଛି । ରବିବାର ଭୋର ୪ଟା ୫୦ରେ ଶ୍ରୀଗୁଣ୍ଡିଚା ଆଗରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ହୋଇଥିଲା । ଠେଲାପେଲା ହୋଇ ୩ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଯାଇଛି । ଏହି ଘଟଣା ଜାତୀୟ ଗଣମାଧ୍ୟମରେ ଖବରର ଶିରୋନାମା ପାଲଟିଛି । ରାଜ୍ୟଠୁ ନେଇ ଦେଶ ଘଟଣା ଆଲୋଡ଼ନ ସୃଷ୍ଟି କରିଛି । ଅଘଟଣ ପରେ ଆକ୍ସନ ନେଇଛନ୍ତି ରାଜ୍ୟ ସରକାର । ଦାୟିତ୍ୱରେ ଅବହେଳା ପାଇଁ ଡିସିପି ବିଷ୍ଣୁ ପତି ଓ କମାଣ୍ଡାଣ୍ଟ ଅଜୟ ପାଢୀଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ଜିଲ୍ଲାପାଳ ଓ ଏସ୍ପି ବଦଳିଛନ୍ତି । ପିନାକ ମିଶ୍ରଙ୍କୁ ପୁରୀ ଏସ୍ପି ଓ ଚଞ୍ଚଳ ରାଣାଙ୍କୁ ନୂଆ ଜିଲ୍ଲାପାଳ ଦାୟିତ୍ୱ ଦିଆଯାଇଛି ।