ବଲାଙ୍ଗିର ଠାରେ ରଥଯାତ୍ରା ଓ ବାହୁଡାଯାତ୍ରା ପାଳନ ସମ୍ପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଚଳିତ ବର୍ଷ ବଲାଙ୍ଗିରରେ ରଥଯାତ୍ରା ଓ ବାହୁଡାଯାତ୍ରା ପାଳନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଲାଙ୍ଗିର ପୌରପାଳିକାର ଅଧ୍ୟକ୍ଷା ଲିକା ସାହୁ ବଲାଙ୍ଗିର, ଉପ ଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋକ କୁମାର ପଟେଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହିମାଂଶୁ ଭୂଷଣ ବେହେରାଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ବିଭିନ୍ନ ମନ୍ଦିର କମିଟିର ସଦସ୍ୟ ମାନଙ୍କ ସମେତ ଜଙ୍ଗଲ, ପୂର୍ତ୍ତ, ଜନସ୍ୱାସ୍ଥ୍ୟ, ପୌର ନିର୍ବାହୀ ଅଧିକାରୀ, ସ୍ୱାସ୍ଥ୍ୟ, ସୂଚନା ଓ ଲୋକ ସମ୍ପର୍କ, ସଂସ୍କୃତି ଆଦି ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକ ପ୍ରାରମ୍ଭରେ ଉପଜିଲ୍ଲାପାଳ ଶ୍ରୀ ପଟେଲ ସମସ୍ତଙ୍କୁ ସ୍ଵାଗତ କରିବା ସହ ଚଳିତ ବର୍ଷର ରଥଯାତ୍ରା ଓ ବାହୁଡାଯାତ୍ରା ଯେପରି ଶାନ୍ତିଶୃଙ୍ଖଳା ଓ ସୁଚାରୁରୂପେ ସମାପନ ହେବ ସେଥିନିମନ୍ତେ ମନ୍ଦିର କମିଟି ତଥା ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହଯୋଗ କାମନା କରିଥିଲେ । ସେ ବୈଠକର ଆଲୋଚ୍ୟ ବିଷୟ ଉପସ୍ଥାପନ କରିବା ସହ ରଥଯାତ୍ରା ଠାରୁ ବାହୁଡାଯାତ୍ରା ପର୍ଯ୍ୟନ୍ତ ବଲାଙ୍ଗିର ଠାରେ ସମସ୍ତ ରୀତିନୀତି ଓ କାର୍ଯ୍ୟକ୍ରମ ଗୁଡିକ ଶାନ୍ତିଶୃଙ୍ଖଳା ଓ ସୁଚାରୁ ରୂପେ ପାଳନ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ରଥଯାତ୍ରା ନିମନ୍ତେ ମହାପ୍ରଭୁଙ୍କ ପହଣ୍ଡି ନିମନ୍ତେ ସମୟ ନିର୍ଘଣ୍ଟ ସହ ରଥ ଯାଉଥିବା ରାସ୍ତା ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା । ରଥଯାତ୍ରା ଓ ବାହୁଡାଯାତ୍ରା ଦିନ ରଥ ଯାଉଥିବା ରାସ୍ତା ମାନଙ୍କରେ ବିଜୁଳି ତାର, ଟେଲିଫୋନ ତାର ଓ କେବୁଲ ଯେପରି ବାଧା ନହେବ ସେଥିପ୍ରତି ଯତ୍ନବାନ ହେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସହରର ସମସ୍ତ ରାସ୍ତାଘାଟକୁ ପରିସ୍କାର ରଖିବା ସହ ରଥ ଯାଉଥିବା ରାସ୍ତା ମାନଙ୍କରେ ଖାଲଢିପ ଗୁଡିକୁ ଯଥାଶୀଘ୍ର ମରାମତି କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସହରର ମୁଖ୍ୟରାସ୍ତା ମାନଙ୍କରେ ଥିବା ଅଚଳ ମରକ୍ୟୁରୀ ଲାଇଟର ମରାମତି କରି ସଚଳ କରିବା ଏବଂ ସମସ୍ତ ମନ୍ଦିର ମାନଙ୍କର ପରିସରକୁ ସଫାସୁତୁରା, ବ୍ଲିଚିଂ ପାଉଡର ଏବଂ ଫିନାଇଲ ସିଂଚନର ବ୍ୟବସ୍ଥା କରିବାକୁ ବଲାଙ୍ଗିର ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏତଦ ବ୍ୟତୀତ ଯାତ୍ରା ସମୟରେ ମନ୍ଦିର ଗୁଡିକରେ ପାନୀୟ ଜଳ ଯୋଗାଣ, ଶାନ୍ତିଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥା, ରଥଯାତ୍ରା ଓ ବାହୁଡାଯାତ୍ରାର ଧାରାବିବରଣୀ, ଭଜନ ସନ୍ଧ୍ୟା ଆୟୋଜନ, ଅଗ୍ନିଶମ ସେବା, ଆଶୁଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା । ରଥଯାତ୍ରା ଓ ବାହୁଡାଯାତ୍ରା ଦିନ ରଥ ପରିଚାଳନା ନିମନ୍ତେ ମନ୍ଦିର କମିଟି ଓ ବିଭିନ୍ନ ସରକାରୀ ଅଧିକାରୀ ମାନଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା । ବୈଠକ ଶେଷରେ ବଲାଙ୍ଗିର ଉପ ଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପଟେଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.