
ବଲାଙ୍ଗିର, (କେପିଏନ୍ଏସ୍) : ସମାଜ ସାହିତ୍ୟ ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟରତ ବଲାଙ୍ଗିରର ଅନ୍ୟତମ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ରଚନା’ ଦ୍ୱାରା ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ “ଜାତୀୟ ଶିକ୍ଷା ନୀତି ୨୦୨୦ : ଆଶା ଓ ଆଶଙ୍କା” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ବକ୍ତା ଭାବରେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ସହଯୋଗୀ ପ୍ରଫେସର ଡ଼ ପ୍ରତାପ କୁମାର ଦାଶ ଓ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡ଼ ସୁଧୀର ସାହୁ ଯୋଗ ଦେଇଥିଲେ । ଡ. ଦାଶ ନୂଆ ଶିକ୍ଷାନୀତିର ଗଠନ, ପ୍ରଣୟନ ଓ ଅନୁସରଣ ଏବଂ ଏହାର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେବା ସହ ଆଉ କଣ ଉପାଦାନ ରହିଥିଲେ ଏହା ଆହୁରି ପ୍ରଭାବଶାଳୀ ହେଇଥାନ୍ତା ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ବକ୍ତା ଡ. ସାହୁ ବାଲବାଟିକା ଓ ସ୍କୁଲ ସ୍ତରରେ ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରରେ ନୂଆ ଶିକ୍ଷାନୀତିର ଆବଶ୍ୟକତା, ଉପାଦେୟତା ଓ ଅସୁବିଧାଗୁଡ଼ିକର ପୁଙ୍ଖାନୁପୁଙ୍ଖ ବିଶ୍ଲେଷଣ କରିଥିଲେ । ‘ରଚନା’ର ବରିଷ୍ଠ ସଦସ୍ୟ ଅଧ୍ୟାପକ ଜୟକୁମାର ଆଚାର୍ଯ୍ୟ ଆଲୋଚନାଚକ୍ରର ସଂଯୋଜନା ଏବଂ ସଭାପତି ସନାତନ ଠାକୁର ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଗଣମାଧ୍ୟମର ପ୍ରତିନିଧି ଓ ବୁଦ୍ଧିଜୀବୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ‘ରଚନା’ର ଏଭଳି ପ୍ରୟାସକୁ ସଭିଏଁ ପ୍ରଶଂସା କରିଥିଲେ ।