
ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ ) : ଓଡ଼ିଆ ପକ୍ଷ ପାଳନର ୧୩ ତମ ଦିବସକୁ ପାରମ୍ପରିକ ଖାଦ୍ୟ ପାଳନ ଅଭିଯାନ ଆମ ରୁଚି ଆମ ଖାଦ୍ୟ ଭାବେ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ପୌରପାଳିକାଠାରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରାଯାଇ ଏହି ଦିବସକୁ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୌରପାଳିକାର ଅଧ୍ୟକ୍ଷା ତନୟା ମିଶ୍ର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ନିର୍ବାହୀ ଅଧିକାରୀ ବିକାଶ ମୁଣ୍ଡାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ବରିଷ୍ଠ ଆଇନଜୀବୀ ଅଶୋକ ଦାସ, ଅନ୍ୟାନ୍ୟ ଅଧିକାରୀ, ପୌରପାଳିକାର କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଅତିଥିମାନେ କହିଥିଲେ ଯେ, ଆମ ପାରମ୍ପରିକ ଖାଦ୍ୟ କେବଳ ଯେ ସ୍ୱାଦ ଦୃଷ୍ଟିରୁ ଉନ୍ନତ ତାହା ନୁହେଁ, ବରଂ ସ୍ୱାସ୍ଥ୍ୟ ଓ ଶରୀର ମଧ୍ୟ ଲାଭ ଦାୟକ । କାରଣ ଏହି ସବୁ ଖାଦ୍ୟ ଗୁଡ଼ିକରେ କୌଣସି ରାସାୟନିକ ଦ୍ରବ୍ୟର ବ୍ୟବହାର କରାଯାଇଥାଏ ନାହିଁ । ସେହିଭଲି ଆମ ହାଣ୍ଡିଶାଳରୁ ହଜି ଯାଉଥିବା ଏହିସବୁ ବ୍ୟଞ୍ଜନଗୁଡ଼ିକୁ ତଥା ଅନେକ ପାରମ୍ପରିକ ପିଠା, ପଣା ଆଦିକୁ ଆଜିର ପିଢ଼ି ମଧ୍ୟରେ ପୁନଃ ଆଦୃତ କରାଇବା ଏହି ଦିବସର ମୂଳ ଲକ୍ଷ୍ୟ ବୋଲି ଅତିଥିମାନେ କହିଥିଲେ । ସେହିଭଳି ଆଜି ସମସ୍ତ ବ୍ଲକ ଅଞ୍ଚଳରେ ମଧ୍ୟ ଏହି ଦିବସ ପାଳିତ ହୋଇଥିଲା । ଏହି ଅବସରରେ ଅତିଥିମାନେ ଏବଂ ଅଂଶଗ୍ରହକାରୀ ମାନେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ହୋଇଥିବା ବିଭିନ୍ନ ପ୍ରକାରର ଖାଦ୍ୟ ବ୍ୟଞ୍ଜନ, ପିଠାପଣା ଆଦିର ମଜା ନେଇଥିଲେ ।