
ବଲାଙ୍ଗିର, (କେପିଏନ୍ଏସ୍) : ସାରା ରାଜ୍ୟରେ ଅପ୍ରେଲ ୧ ତାରିଖକୁ ଓଡିଶା ପ୍ରତିଷ୍ଠା ଦିବସ ଭାବରେ ପାଳନ କରାଯାଉଛି । ତେବେ କୋଶଳାଞ୍ଚଳର ୧୦ଟି ଜିଲ୍ଲାରେ ଆଜି ବିଭିନ୍ନ ସ୍ଥାନରେ ଓଡିଶା ଦିବସକୁ ବିରୋଧ ପ୍ରଦର୍ଶନ କରାଯାଇଛି । ବିରୋଧକାରୀଙ୍କୁ ପୋଲିସ ଗିରଫ ମଧ୍ୟ କରିଛି । ବଲାଙ୍ଗିର, ବରଗଡ, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ସଂଖ୍ୟାରେ କୋଶଲବାଦୀ ଗିରଫ ହୋଇଥିବା ସୂଚନା ମିଳିଛି । କୋଶଳାଞ୍ଚଳର ୧୦ଟି ଜିଲ୍ଲାର ଲୋକ ଅଭିଯୋଗ କରୁଛନ୍ତି ଯେ,୧.୧.୧୯୪୮ରେ ଗଡଜାତ ମିଶ୍ରଣ ହୋଇ ଓଡିଶାସହିତ ଏହି ଅଞ୍ଚଳକୁ ମିଶାଯାଇଥିଲା । କିନ୍ତୁ ପରେ ପରେ ଏହି ଅଞ୍ଚଳକୁ ଅବହେଳିତ କରି ରଖାଯାଇଛି । ବିକାଶ ପ୍ରସଙ୍ଗକୁ ଦେଖିଲେ ଉପକୂଳ ଅଞ୍ଚଳରେ ସର୍ବାଧିକ ଅନୁଦାନ ଖର୍ଚ୍ଚ କରାଯାଉଥିବା ବେଳେ ପଶ୍ଚିମାଞ୍ଚଳକୁ ଅବହେଳିତ କରି ରଖାଯାଇଛି । ସେଥିପାଇଁ ସାମାଜିକ, ଅର୍ଥନୈତିକ ସ୍ତରରେ ଅନୁନ୍ନତ ହୋଇରହିଛି । ସେହି କାରଣରୁ ଗତ ୧୯୮୦ ଦଶକରୁ ସ୍ୱତନ୍ତ୍ର କୋଶଳରାଜ୍ୟ ଗଠନ ଦାବି ହୋଇଆସୁଛି । ଏବେ ଏବେ କୋଶଲରାଜ୍ୟ ଦାବି ଆହୁରି ଜୋର୍ ହୋଇଛି । ଏହି ଅଞ୍ଚଳର ଶହଶହ ଯୁବ ସଂଗଠନ କୋଶଲ ରାଜ୍ୟ ଗଠନ ଦାବି ନେଇ ଜିଲ୍ଲାଠୁ ରାଜ୍ୟର ରାଜଧାନୀ ପର୍ଯ୍ୟନ୍ତ ଆନ୍ଦୋଳନକୁ ନେଲେଣି । ଏବେ ରାଜ୍ୟରେ ଶାସନ ପରିବର୍ତ୍ତନ ହୋଇଛି । ତେଣୁ ଏଥର ରାଜ୍ୟସରକାର କୋଶଲବାଦୀଙ୍କୁ ଗିରଫଦାରୀ ଆରମ୍ଭ କରିଛନ୍ତି । ଓଡିଶା ଦିବସକୁ କୋଶଳ ସମନ୍ୱୟ ସମିତି ପକ୍ଷରୁ ବିରୋଧ କରାଯିବାକୁ ଏହାର ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଭିଡିଓ ବାର୍ତ୍ତା ଜରିଆରେ ଆହ୍ୱାନ ଦେବାପରେ ପୋଲିସ ତାର କାର୍ଯ୍ୟନୁଷ୍ଠାନ ଆରମ୍ଭ କରିଛି । ଆଜି ସକାଳ ୬ଟାରୁ ବିଭିନ୍ନ ସ୍ଥାନରୁ କୋଶଲବାଦୀଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଛି । ବଲାଙ୍ଗିର ସହରରେ କୋଶଲବାଦୀ ରବି ମିଶ୍ର, ରଣରାଜ ସିଂଦେଓ, ମନୋରଂଜନ ସାହୁ, ପ୍ରଭାସ ମିଶ୍ର, ଏଡଭୋକେଟ ପ୍ରସନ୍ନ ନେଗୀ, ବିଭୁଦତ୍ତ ମିଶ୍ରଙ୍କୁ ଟାଉନ ଥାନାକୁ ଆଣି ଅଟକ ରଖାଯାଇଛି । ଠିକ ସେହିପରି ବେଲପଡାରେ କୋଶଲବାଦୀ ଅଚ୍ୟୁତ ସିପୁନ ଖମାରୀଙ୍କ ନେତୃତ୍ୱରେ ୧୫ଜଣ ଓ ପାଟଣାଗଡରେ ଗିରିରାଜ ଭୋଇଙ୍କ ନେତୃତ୍ୱରେ ଓଡିଶା ଦିବସକୁ ପ୍ରତିବାଦ କରିବାକୁ ଥିବା ୨୦ଜଣଙ୍କୁ ପୋଲିସ ଗିରଫ କରିଛି । ତୁଷୁରାରେ ୫ଜଣ, ଲରମ୍ଭାରେ ୩ଜଣ ଗିରଫ ହୋଇଛନ୍ତି ବୋଲି ସୂଚନା ମିଳିଛି । ଖୋଦ୍ ଅତିରିକ୍ତ ଏସ୍ପି ଆଲୋକ ଜେନା ଏହାକୁ ମନିଟରିଂ କରୁଛନ୍ତି । ଏପର୍ଯ୍ୟନ୍ତ ମୋଟ ୩୩ଜଣଙ୍କୁ ବିଭିନ୍ନ ଥାନା ଅଞ୍ଚଳରୁ ଉଠାଇ ଅଟକ ରଖାଯାଇଛି ବୋଲି ଅତିରିକ୍ତ ଏସପି ଶ୍ରୀ ଜେନା କହିଛନ୍ତି । ତେବେ ପୋଲିସର ଏହି ଗିରଫଦାରୀକୁ କୋଶଲବାଦୀ ସଂଗଠନ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଲୋକଙ୍କର ଗଣତାନ୍ତ୍ରୀକ ସ୍ୱରକୁ ଚପାଇବାକୁ ରାଜ୍ୟର ଭାଜପା ସରକାର ପୋଲିସ ଲଗାଇ ଗିରଫଦାରୀ ଚଳାଇଛି ବୋଲି ଅଭିଯୋଗ କରାଯାଇଛି । ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ କୋଶଲବାଦୀ ଅଚ୍ୟୁତସିପୁନ ଖମାରୀ ତୀବ୍ରନିନ୍ଦା କରିଛନ୍ତି । ସେପଟେ ଆଜି ସକାଳୁ କୋଶଲ ସମନ୍ୱୟ ସମିତିର କେନ୍ଦ୍ରିୟ ଅଧ୍ୟକ୍ଷ ଥିବା ପ୍ରମୋଦ ମିଶ୍ରଙ୍କୁ ପୋଲିସ ଖୋଜୁଛି । ତାଙ୍କ ଘରବାହାରେ ତାଲା ପଡିଥିବାରୁ ତାଙ୍କୁ ପୋଲିସ ନପାଇ ଫେରିଆସିଥିବା ଜଣାଯାଇଛି ।