csstore

ସଡକ ଦୁର୍ଘଟଣାରେ ସାଇଟ୍‌ ନର୍ସିଂ କଲେଜର ଅଧ୍ୟାପକ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ସୋମବାର ଅପରାହ୍ନରେ ସାଇଟ୍‌ ନର୍ସିଂ କଲେଜର ଅଧ୍ୟାପକ ଦେବାଶିଷ ନାଏକ ତାଙ୍କ ଜଣେ ସାଙ୍ଗ ସହିତ ବାଇକରେ ଥିବାବେଳେ ଚନ୍ଦନଭାଟି ପାଖ ବାଦିଘୋର ଠାରେ ଭାରସାମ୍ୟ ହରାଇ ତଳେ ପଡିଯାଇଥିଲେ । ତାଙ୍କ କାନ ପଟୁ ରକ୍ତସ୍ରାବ ହେଉଥିଲା । ଖବର ପାଇବା ପରେ ସଙ୍ଗେସଙ୍ଗେ ସାଇଟର କିଛି କର୍ମଚାରୀ ତଥା ଛାତ୍ର ଦୁର୍ଘଟଣା ସ୍ଥଳକୁ ଯାଇ ଗୋଟିଏ ଅଟୋରେ ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍‌ପିଟାଲକୁ ପଠାଯାଇଥିଲା ଏବଂ ତାଙ୍କ ପିତମାତାଙ୍କୁ ମଧ୍ୟ ଖବର ଦିଆଯାଇଥିଲା । ରକ୍ତସ୍ରାବ ବନ୍ଦ ନ ହେବାରୁ ଡାକ୍ତରମାନେ ଦେବାଶିଷଙ୍କୁ ବୁର୍ଲା ନେଇଯିବା ପାଇଁ ପରାମର୍ଶ ଦେଇଥିଲେ । କାଳ ବିଳମ୍ବ ନ କରି ତାଙ୍କର ପିତାମାତା ତଥା କିଛି ଅଧ୍ୟାପକ ସଙ୍ଗେସଙ୍ଗେ ଆମ୍ବୁଲେନସ୍‌ ଯୋଗେ ବୁର୍ଲା ହସପିଟାଲକୁ ସ୍ଥାନାନ୍ତରିତ କରିଥିଲେ । ସବୁ ପ୍ରକାର ଚିକିତ୍ସା ସତ୍ୱେ ଦେବାଶିଷଙ୍କ ଅବସ୍ଥା ଗୁରୁତର ହୋଇ ଶେଷରେ ଗତରାତିରେ ତାଙ୍କମୃତ୍ୟୁ ହୋଇଯାଇଥିଲା । ଆଜି ସକାଳେ ଏ ଖବର ପ୍ରଚାରିତ ହେବା ପରେ ସାଇଟ୍‌ କଲେଜ ପରିସରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ତେବେ କଲେଜରେ ତୁରନ୍ତ ଏକ ଶୋକ ସଭାର ଆୟୋଜନ କରାଯାଇ କଲେଜକୁ ଛୁଟି ଘୋଷଣା କରାଯାଇଥିଲା । ମୃତ୍ୟୁ ବେଳକୁ ଦେବାଶିଷଙ୍କୁ ମାତ୍ର ୨୪ ବର୍ଷ ବୟସ ହେଉଥିଲା ଏବଂ ସେ ଜଣେ କର୍ତ୍ତବ୍ୟନିଷ୍ଠ ଅଧ୍ୟାପକ ଥିଲେ । ତାଙ୍କ ବିୟୋଗରେ ସାଇଟ୍‌ କଲେଜ ଜଣେ ଦକ୍ଷ ଅଧ୍ୟାପକଙ୍କୁ ହରାଇବା ସଙ୍ଗେସଙ୍ଗେ କଲେଜର ଅପୂରଣୀୟ କ୍ଷତି ହୋଇଛି ବୋଲି ସଂପାଦକ ଡ. ନାରାୟଣ ପ୍ରସାଦ ମିଶ୍ର ପ୍ରକାଶ କରିଥିବା ବେଳେ କଲେଜର ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ଶୋକପ୍ରକାଶ କରି ଶୋକସନ୍ତପ୍ତ ପରିବାରକୁ ଭଗବାନ ଧୈର୍ଯ୍ୟ ଓ ସାହାସ ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ।

jayashree
Leave A Reply

Your email address will not be published.