ବିଷାକ୍ତ ଛତୁ ଓ ପନିର୍ ଖାଇ ୨୨ ଅସୁସ୍ଥ

ମାଲକାନଗିରି : ବିଷାକ୍ତ ଛତୁ ଏବଂ ପନିର୍ ଖାଇ ୨୨ ଅସୁସ୍ଥ । ମାଲକାନଗିରି ଜିଲ୍ଲା ଜୟପୁରିଆଗୁଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସମସ୍ତ ଅସୁସ୍ଥଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନାଅନୁସାରେ, ଜୟପୁରିଆଗୁଡା ଗାଁ ଲୋକେ ଗତ ସୋମବାର ଦିନ ଏକତ୍ରିତ ହୋଇ ବନ୍ଧୁ ମିଳନ କରିଥିଲେ । ରାତିରେ ଭୋଜିଭାତର ଆୟୋଜନ ହୋଇଥିଲା । ସମସ୍ତେ ଛତୁ ଓ ପନିର୍ ତରକାରୀ ଖାଇଥିଲେ । ଭୋଜିଭାତ ସରିବା ପରେ କିଛି ଲୋକଙ୍କର ବାନ୍ତି ହୋଇଥିଲା । ମଙ୍ଗଳବାର ଦିନ ୨୨ ଜଣ ଗ୍ରାମବାସୀ ଝାଡ଼ାବାନ୍ତି ସହ ପେଟ ବଥାର ଆକ୍ରାନ୍ତ ହୋଇଥିଲେ । ତିନି ଦିନ ହେଲା ଝାଡାବାନ୍ତି ଓ ପେଟ ବଥା ଲାଗି ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ଆଦିବାସୀ ଲୋକେ ଗୁରୁତର ହୋଇପଡିଥିଲେ । ଏହାପରେ ସମସ୍ତଙ୍କୁ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେଠାରେ ସମସ୍ତଙ୍କ ଚିକିତ୍ସା ଜାରି ରହିଥିବା ବେଳେ ପାଞ୍ଚ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି । ବିଶାକ୍ତ ଖାଦ୍ୟ ଯୋଗୁଁ ଏପରି ହୋଇଥିବା ଡାକ୍ତରୀ ସୂତ୍ରରୁ ଜଣାପଡିଛି। ଛତୁ ଓ ପନିର୍ ତରକାରୀ ଦିନ ବେଳେ ରୋଷେଇ ହୋଇଥିବା ବେଳେ ଭୀଷଣ ଖରା ଯୋଗୁଁ ଏହା ବିଷାକ୍ତ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ ଦୋକାନୀ ଆଦିବାସୀ ଲୋକଙ୍କୁ ଠକି ଖରାପ ଛତୁ ଓ ପନିର୍ ଦେଇଥିଲେ କି ତାହାର ତଦନ୍ତ ମଧ୍ୟ କରାଯାଉଛି ।

Leave A Reply

Your email address will not be published.