ଗ୍ରାଣ୍ଡ କମାଣ୍ଡର୍ ଅଫ୍ ଦ ଅର୍ଡର ଅଫ୍ ଦ ଷ୍ଟାର୍ ଆଣ୍ଡ କି ଅଫ୍ ଦ ଇଣ୍ଡିଆନ ଓସନ୍ (ଜିସିଏସକେ) ପୁରସ୍କାରରେ ସମ୍ମାନିତ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
ମରିସସ୍ ରାଷ୍ଟ୍ରପତି,
ମହାମହିମ ଧରମବୀର ଗୋକୁଲ ଜୀ,
ପ୍ରଧାନମନ୍ତ୍ରୀ ମହାମହିମ ନବୀନ ଚନ୍ଦ୍ର ରାମଗୁଲାମ ଜୀ,
ମରିସସର ଭାଇ ଓ ଭଉଣୀମାନେ,
ମରିସସର ସର୍ବୋଚ୍ଚ ଜାତୀୟ ପୁରସ୍କାର ପାଇଥିବାରୁ ମୁଁ ହାର୍ଦ୍ଦିକ କୃତଜ୍ଞତା ବ୍ୟକ୍ତ କରୁଛି । ଏହି ସମ୍ମାନ କେବଳ ମୋ ପାଇଁ ନୁହେଁ । ଏହା ୧୪୦ କୋଟି ଭାରତୀୟଙ୍କ ସମ୍ମାନ । ଏହା ଭାରତ ଏବଂ ମରିସସ୍ ମଧ୍ୟରେ ଶହ ଶହ ବର୍ଷ ପୁରୁଣା ସାଂସ୍କୃତିକ ଏବଂ ଐତିହାସିକ ଆତ୍ମୀୟ ବନ୍ଧନ ପ୍ରତି ଏକ ସମ୍ମାନ । ଏହା ହେଉଛି ଆଞ୍ଚଳିକ ଶାନ୍ତି, ପ୍ରଗତି, ସୁରକ୍ଷା ଏବଂ ଦୀର୍ଘସ୍ଥାୟୀ ବିକାଶ ପ୍ରତି ଆମର ସହଭାଗୀ ପ୍ରତିବଦ୍ଧତାର ସ୍ୱୀକୃତି । ଆଉ ଏହା ଗ୍ଲୋବାଲ ସାଉଥ୍ର ସହଭାଗୀ ଆଶା ଓ ଆକାଂକ୍ଷାର ପ୍ରତୀକ । ମୁଁ ଏହି ପୁରସ୍କାରକୁ ସମ୍ପୂର୍ଣ୍ଣ ବିନମ୍ରତା ଏବଂ କୃତଜ୍ଞତାର ସହ ଗ୍ରହଣ କରୁଛି । ଶହ ଶହ ବର୍ଷ ପୂର୍ବେ ଭାରତରୁ ମରିସସକୁ ଆସିଥିବା ଆପଣମାନଙ୍କ ପୂର୍ବପୁରୁଷମାନଙ୍କୁ ଏବଂ ସେମାନଙ୍କ ସମସ୍ତ ପିଢ଼ିକୁ ମୁଁ ଏହାକୁ ଉତ୍ସର୍ଗ କରୁଛି । ସେମାନଙ୍କର କଠିନ ପରିଶ୍ରମ ଦ୍ୱାରା, ସେମାନେ ମରିସସର ବିକାଶରେ ଏକ ସୁବର୍ଣ୍ଣ ଅଧ୍ୟାୟ ଲେଖିଥିଲେ ଏବଂ ଏହାର ଜୀବନ୍ତ ବିବିଧତାରେ ଯୋଗଦାନ କରିଥିଲେ । ମୁଁ ମଧ୍ୟ ଏହି ସମ୍ମାନକୁ ଏକ ଦାୟିତ୍ୱ ଭାବେ ଗ୍ରହଣ କରୁଛି । ଆମେ ଭାରତ-ମରିସସ୍ ରଣନୀତିକ ଭାଗିଦାରୀକୁ ଅଧିକ ଉପରକୁ ନେଇଯିବା ଲାଗି ପ୍ରୟାସ ଜାରି ରଖିବୁ, ଏଥିପାଇଁ ମୁଁ ଆମର ପ୍ରତିବଦ୍ଧତାକୁ ଦୋହରାଉଛି । ଅନେକ ଅନେକ ଧନ୍ୟବାଦ ।