ରୋଟାରି ଏଲିଟ ଦ୍ୱାରା ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାମ୍ବାଦିକ ଭବନଠାରେ ୮ ମାର୍ଚ୍ଚ ଦିନ ରୋଟାରି କ୍ଲବ ଅଫ ଏଲିଟ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଏକ ଆଲୋଚନା ଚକ୍ର ଓ ମହିଳାଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରିଥିଲେ । ଏହି ସଭାରେ ଅତିଥି ବକ୍ତାଭାବେ ଯୋଗଦେଇ ବିଶିଷ୍ଠ ସାମାଜିକ କାର୍ଯ୍ୟକର୍ତ୍ତା ତଥା ଏ. ଆଇ. ଡି. ଡବ୍ଲୁ.ଏ. ର ରାଷ୍ଟ୍ରୀୟ ସମ୍ପାଦକ ତାପସୀ ପ୍ରହରାଜ ଯୋଗଦେଇ କହିଲେସାରା ବିଶ୍ୱରେ ମହିଳାଙ୍କ ଜିଡିପିରେ ଭାଗିଦାରୀକୁ ସ୍ୱୀକୃତି ମିଳିନଥିଲା । ଯେହେତୁ ବିଶ୍ୱରେ ମହିଳାଙ୍କ ଭାଗିଦାରୀ ୫୦ ପ୍ରତିଶତ ତେଣୁ ଆମ ଦେଶରେ ମଧ୍ୟ ବଜେଟରେ ୫୦ ପ୍ରତିଶତ ମହିଳାଙ୍କ ହିତାପାଇଁ ଦିଆଯିବା କଥା । ଆମ ଦେଶର ସମ୍ବିଧାନ ମହିଳାଙ୍କୁ ସମାନ ଅଧିକାର ଦେଇଛି । ମହିଳାମାନେ କିପରିଭାବେ ପରିବାରରୁ ଆରମ୍ଭକରି ସମାଜରେ ଓ ନିଜର କର୍ମସ୍ଥଳୀରେ ମଧ୍ୟ ସଂଗ୍ରାମକରି ନିଜକୁ ପ୍ରତିଷ୍ଠିତ କରୁଛି ତାହା କେବଳ ଜଣେ ମହିଳାହିଁ ଜାଣିପାରିବ । ତାପରେ ମଧ୍ୟ ୧୩ ପ୍ରତିଶତ ମହିଳା ନିଜ ଘର ସମ୍ଭାଳିବାକୁ ନିଜର ଚାକିରୀ ଛାଡିବାକୁ ବାଧ୍ୟ ହେଉଛନ୍ତି । ତେଣୁ ମହିଳା ନିଜକୁ କମ ଶକ୍ତିଶାଳୀ ଭାବିବା ଉଚିତ ନୁହେଁ, ଆଜିବି ନିଜ ଅଧିକାର ପାଇବାପାଇଁ ସଜାଗ ରହିବା ଉଚିତ । ଏହି ସଭାରେ ଅନ୍ୟତମ ଅତିଥି ବକ୍ତା ତଥା ସମ୍ବାଦ ସାହିତ୍ୟ ଘରର ରାଜ୍ୟ ସଂଯୋଜକ ଡ. ଶୁଭଶ୍ରୀ ଲେଙ୍କା ଯୋଗଦେଇ କହିଲେ ଭୁବନେଶ୍ୱରରୁ ବଲାଙ୍ଗିରକୁ ଡାକିଥିବାରୁ ରୋଟାରି ଏଲିଟକୁ ଅନେକ ଧନ୍ୟବାଦ । ମୋ ପିଲାଦିନ ଏହି ବାଲାଙ୍ଗିରର ସରକାରୀ ମହିଳା ଉଚ୍ଚ ବିଦ୍ୟାଳୟରେ ପାଠ ପଢିଛି । ଅନ୍ତର୍ଜାତୀୟ ମହିଳା ଦିବସରେ ଯେଉଁ ଝିଅମାନଙ୍କୁ ସମର୍ଦ୍ଧିତ କରାହେଲା ସେମାନେ ଆଜି ସମାଜରେ ନିଜର ଉଦଯୋଗ ପାଇଁ ଜାତୀୟ ସ୍ଥରରେ ପ୍ରତିଷ୍ଠିତ । ଏହାହିଁ ମହିଳା ଦିବସର ଶ୍ରେଷ୍ଠତ୍ୱ । ଗୋଟିଏ ମହିଳାଙ୍କୁ ଯେପରି ତିଆରି କରିବାରେ ପରିବାର ଓ ସମାଜର ଭୂମିକା ଅନନ୍ୟ, ଠିକ ସେହିପରି ପରିବାର ଓ ସମାଜ ଗଢିବାକୁ ମଧ୍ୟ ନାରୀର ଭୁମିକାକୁ ଗୌଣ କରାଯାଇନପାରେ । ଏହି ମହିଳା ଦିବସ ଉପଲକ୍ଷେ ଖେଳରେ ରାଷ୍ଟ୍ରୀୟ ସ୍ଥରରେ କୃତିତ୍ୱ ଅର୍ଜନ କରିଥିବା ଖେଳାଳି ସରିତା ମେହେରଙ୍କୁ କ୍ରିକେଟ, ଶ୍ରଦ୍ଧାଞ୍ଜଳି ମିଶ୍ରଙ୍କୁ ସର୍ଟ ପୁଟ ଖେଳ, ନନ୍ଦିନୀ ଲାଲଙ୍କୁ କନିଷ୍ଠ ବ୍ୟାଡ଼ମିଣ୍ଟନ, ଝରଣା ସେଠ ଓ ଝିଲି ସେଠଙ୍କୁ ଅସି ଚାଳନା, ରାଜେଶ୍ୱରୀ ସେଠ ଓ ରୋଶନୀ ସାହୁଙ୍କୁ ଲନ ବଲ, କ୍ରିତିକା ଅଗ୍ରୱାଲଙ୍କୁ ପେନସକ ସିଲଟ ପାଇଁ, ସାନଭି ପ୍ରଧାନଙ୍କୁ ଟାଇକୱାଣ୍ଡ ପାଇଁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ନିଜର ଶରୀର ଦାନପାଇଁ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶୋଭାଗିନୀ ପୁଜାହାରିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ସଭାରେ ରୋଟାରି ଏଲିଟର ସଭାପତି ଅର୍ଚନା ଶତପଥୀ ସଭାପତିତ୍ୱ କରିଥିଲେ । ରୋଟାରି ଏଲିଟର ସଭ୍ୟା ମମତା ପରମାର ଅତିଥିଙ୍କୁ ସ୍ୱାଗତ କରିଥିଲେ ଓ ନୂତନ ନାୟକ ସମ୍ବର୍ଦ୍ଧନା ପର୍ବକୁ ସଂଯୋଜନା କରିଥିଲେ । ଶେଷରେ ରୋଟାରି ଏଲିଟର ସମ୍ପାଦିକା ବବିତା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.