ୟୁରୋପୀୟ କମିଶନ ଅଧ୍ୟକ୍ଷଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବିବୃତ୍ତି

ମାନନୀୟ, ୟୁରୋପୀୟ କମିଶନର ଅଧ୍ୟକ୍ଷ,
ୟୁରୋପୀୟ କମିଶନର ବୃନ୍ଦ,
ପ୍ରତିନିଧିଗଣ,
ଗଣମାଧ୍ୟମ ବନ୍ଧୁଗଣ,

ନମସ୍କାର
ୟୁରୋପୀୟ କମିଶନର ଅଧ୍ୟକ୍ଷ ଏବଂ ଅନ୍ୟ କମିଶନର ବୃନ୍ଦଙ୍କ ଏହି ଭାରତ ଗସ୍ତ ଅଭୂତପୂର୍ବ । ଏହା କେବଳ ୟୁରୋପୀୟ କମିଶନଙ୍କ ପ୍ରଥମ ଭାରତ ଗସ୍ତ ନୁହେଁ, ବରଂ ପ୍ରଥମଥର ପାଇଁ କୌଣସି ଏକ ଦେଶରେ ୟୁରୋପୀୟ କମିଶନଙ୍କ ଏହା ଏତେ ବ୍ୟାପକ ଗସ୍ତ । ଏହା ନୂତନ କମିଶନଙ୍କ ସଦ୍ୟତମ କାର୍ଯ୍ୟକାଳର ପ୍ରଥମ ଗସ୍ତ ମଧ୍ୟରୁ ଗୋଟିଏ । ଏହି ଐତିହାସିକ ଅବସରରେ, ମୁଁ ୟୁରୋପୀୟ କମିଶନଙ୍କ ଅଧ୍ୟକ୍ଷ ଏବଂ କମିଶନର ବୃନ୍ଦଙ୍କୁ ଭାରତରେ ସ୍ୱାଗତ କରୁଛି ।
ବନ୍ଧୁଗଣ,
ଭାରତ ଏବଂ ୟୁରୋପୀୟ ୟୁନିଅନ ମଧ୍ୟରେ ଏହି ଦୁଇ ଦଶନ୍ଧି ଧରି ଚାଲିଥିବା ରଣନୈତିକ ସହଭାଗୀତା ସ୍ୱାଭାବିକ । ଏହାର ମୂଳଭିତ୍ତି ପରସ୍ପର ଭିତରେ ଆସ୍ଥା, ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ବିଶ୍ୱାସ ଏବଂ ସମୃଦ୍ଧି ଓ ସମାନ ପ୍ରଗତି ପାଇଁ ଏକ ପାରସ୍ପରିକ ପ୍ରତିବଦ୍ଧତା ଉପରେ ଆଧାରିତ ।
ଏହିକ୍ରମରେ, ଆମେ ଗତକାଲି ଏବଂ ଆଜି ମଧ୍ୟରେ ବିଭିନ୍ନ କ୍ଷେତ୍ରର ପ୍ରାୟ ୨୦ ଟି ମନ୍ତ୍ରୀସ୍ତରୀୟ ବୈଠକ କରିଛୁ । ଏଥିରେ ବିଭିନ୍ନ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ବିଷୟ ଉପରେ ଆନ୍ତରିକ ଏବଂ ଅର୍ଥପୂର୍ଣ୍ଣ ଆଲୋଚନା ହୋଇଛି । ଆମର ସହଭାଗୀତାକୁ ଉନ୍ନତ ଏବଂ ତ୍ୱରାନ୍ୱିତ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ଆମେ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ନିବେଶ, ନବସୃଜନ, ସବୁଜ ଅଭିବୃଦ୍ଧି, ସୁରକ୍ଷା, ଦକ୍ଷତା ଏବଂ ଯାତାୟାତ କ୍ଷେତ୍ରରେ ସହଯୋଗ ପାଇଁ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛୁ । ଏହି ବର୍ଷ ଶେଷ ସୁଦ୍ଧା ଏକ ପାରସ୍ପରିକ ଲାଭଦାୟକ ଦ୍ୱିପାକ୍ଷିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସମ୍ପନ୍ନ କରିବାକୁ ଆମେ ଆମର ନିର୍ଦ୍ଧାରିତ ଗୋଷ୍ଠୀଙ୍କୁ ନିର୍ଦ୍ଦେଶ ଦେଇଛୁ ।
ବନ୍ଧୁଗଣ,
ନିବେଶ ଢାଞ୍ଚାକୁ ସୁଦୃଢ଼ କରିବା ପାଇଁ, ନିବେଶ ସୁରକ୍ଷା ଏବଂ ଜିଆଇ ଚୁକ୍ତିନାମା ଉପରେ ଆଗକୁ ବଢ଼ିବା ବିଷୟରେ ମଧ୍ୟ ଆଲୋଚନା ହୋଇଛି । ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ କ୍ଷେତ୍ରରେ, ଏକ ବିଶ୍ୱସ୍ତ ଏବଂ ସୁରକ୍ଷିତ ମୂଲ୍ୟ ଶୃଙ୍ଖଳା ଆମର ସାଧାରଣ ପ୍ରାଥମିକତା ।
ଆମେ ସେମିକଣ୍ଡକ୍ଟର, ଏଆଇ, ଉଚ୍ଚ କ୍ଷମତାପନ୍ନ କମ୍ପ୍ୟୁଟିଂ ଏବଂ ୬-ଜି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ଉପରେ ମଧ୍ୟ ସହମତ ହୋଇଛୁ । ଏହାସସହ ମହାକାଶବିଜ୍ଞାନ ସମ୍ବନ୍ଧୀୟ ଆଲୋଚନା ଆରମ୍ଭ କରିବାକୁ ମଧ୍ୟ ଆମେ ନିଷ୍ପତ୍ତି ନେଇଛୁ ।
ବନ୍ଧୁଗଣ,
ପରିବେଶ ଏବଂ ଅର୍ଥନୀତି ମଧ୍ୟରେ ସନ୍ତୁଳନ ଆମର ମିଳିତ ପ୍ରତିବଦ୍ଧତା ରହିଛି ଏବଂ ଏହି ଦିଗରେ ଆମ ଉଭୟଙ୍କ ସହଯୋଗ ଦୃଢ଼ ରହି ଆସିଛି । ଆମେ ଏକ ସବୁଜ ହାଇଡ୍ରୋଜେନ ଫୋରମ ଏବଂ ସମୁଦ୍ର ତଟୀୟ ପବନ ଶକ୍ତି ବାଣିଜ୍ୟ ସମ୍ମିଳନୀ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛୁ । ଇଭି ବ୍ୟାଟେରୀ, ସାମୁଦ୍ରିକ ପ୍ଲାଷ୍ଟିକ୍ ଏବଂ ସବୁଜ ହାଇଡ୍ରୋଜେନ୍ ସମ୍ବନ୍ଧରେ ମିଳିତ ଗବେଷଣା କରାଯିବ । ଆମେ ପରିପୂରକ ସହରାଞ୍ଚଳ ବିକାଶ ସମମ୍ବନ୍ଧରେ ମଧ୍ୟ ଆମର ମିଳିତ ଯୋଜନାକୁ ଆଗକୁ ବଢ଼ାଇବୁ । ଯୋଗାଯୋଗ କ୍ଷେତ୍ରରେ, ଭାରତ – ମଧ୍ୟପ୍ରାଚ୍ୟ – ୟୁରୋପ ଅର୍ଥନୈତିକ କରିଡର କିମ୍ବା “ଆଇଏମ୍ଇଇସି”କୁ ଅଗ୍ରସର କରିବା ପାଇଁ ଦୃଢ଼ ପଦକ୍ଷେପ ନିଆଯିବ । ମୁଁ ବିଶ୍ୱାସ କରେ ଯେ “ଆଇଏମ୍ଇଇସି” ଆଗାମୀ ଦିନରେ ବିଶ୍ୱ ବାଣିଜ୍ୟ, ପରିପୂରକ ଅଭିବୃଦ୍ଧି ଏବଂ ସମୃଦ୍ଧିକୁ ଚଳାଇବା ପାଇଁ ଏକ ଇଞ୍ଜିନ ଭାବରେ କାର୍ଯ୍ୟ କରିବ ।
ବନ୍ଧୁଗଣ,
ପ୍ରତିରକ୍ଷା ଏବଂ ସୁରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗରେ ଆମର ବଢ଼ୁଥିବା ସହଯୋଗ ଆମର ପାରସ୍ପରିକ ବିଶ୍ୱାସର ପ୍ରତୀକ । ଆମେ ସାଇବର ସୁରକ୍ଷା, ସାମୁଦ୍ରିକ ସୁରକ୍ଷା ଏବଂ ଆତଙ୍କବାଦ ବିରୋଧରେ ଆମର ସହଯୋଗକୁ ଅଧିକ କ୍ରିୟାଶୀଳ କରିବୁ । ଉଭୟ ପକ୍ଷ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି, ସୁରକ୍ଷା, ସ୍ଥିରତା ଏବଂ ସମୃଦ୍ଧିର ଗୁରୁତ୍ୱ ଉପରେ ସହମତ ରହିଛନ୍ତି । “ଭାରତ ପ୍ରଶାନ୍ତ ମହାସାଗର କାର୍ଯ୍ୟକ୍ରମ”ରେ ଯୋଗଦେବା ପାଇଁ ଇୟୁର ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ । ଆମେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ଆଫ୍ରିକାରେ ପରିପୂରକ ଏବଂ ଅନ୍ତର୍ଭୁକ୍ତି ବିକାଶ ପାଇଁ ତ୍ରିକୋଣୀୟ ବିକାଶ ପ୍ରକଳ୍ପରେ ଏକାଠି କାମ କରିବୁ ।
ବନ୍ଧୁଗଣ,
ଉଭୟ ଦେଶର ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ଆମ ସମ୍ପର୍କର ସବୁଠାରୁ ଶକ୍ତିଶାଳୀ ସମ୍ପତ୍ତି । ଆଜି, ଆମେ ଆମ ମଧ୍ୟରେ ଶିକ୍ଷା, ଗବେଷଣା ଏବଂ ଶିଳ୍ପ ସହଭାଗୀତା ବୃଦ୍ଧି କରିବା ପାଇଁ ଏକ ନୂତନ ଚୁକ୍ତିନାମାରେ ପହଞ୍ଚିଛୁ । ମୁଁ ବିଶ୍ୱାସ କରେ ଯେ ଭାରତର ଯୁବ ପ୍ରତିଭା ଏବଂ ୟୁରୋପର ନବସୃଜନ ମିଳିତ ଭାବରେ ଅସୀମ ସମ୍ଭାବନା ସୃଷ୍ଟି କରିପାରିବ । ଆମେ ଇୟୁର ନୂତନ ଭିସା କାସ୍କେଡ୍ ବ୍ୟବସ୍ଥାକୁ ସ୍ୱାଗତ କରୁଛୁ । ଏହା ଭାରତର ପ୍ରତିଭାଶାଳୀ ଯୁବକମାନଙ୍କ ଦକ୍ଷତାକୁ ଉତ୍ତମ ଗତି ପ୍ରଦାନ କରିବ । ଆମେ ୨୦୨୫ ପରର ଅବଧି ପାଇଁ ଭାରତ-ୟୁରୋପୀୟ ସଂଘ ମଧ୍ୟରେ ସହଭାଗୀତା ବୃଦ୍ଧି ଲାଗି ଏକ ସାହସିକ ଏବଂ ମହତ୍ୱାକାଂକ୍ଷୀ ରୋଡମ୍ୟାପ୍ ତିଆରି କରିବାକୁ ନିଷ୍ପତ୍ତି ନେଇଛୁ । ଏହା ପରବର୍ତ୍ତୀ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀ ସମୟରେ ଆରମ୍ଭ ହେବ ।
ମାନନୀୟ,
ଆପଣଙ୍କ ଭାରତ ଗସ୍ତ ଆମର ସହଭାଗୀତାକୁ ନୂତନ ଗତି, ଶକ୍ତି ଏବଂ ଉତ୍ସାହ ଦେଇଛି । ଏହି ଯାତ୍ରା ହେଉଛି ସବୁଠାରୁ ବଡ଼ ଉତ୍ତେଜକ ଯାହା ଆମର ମହତ୍ୱାକାଂକ୍ଷାକୁ କାର୍ଯ୍ୟରେ ପରିଣତ କରିବ । ପରବର୍ତ୍ତୀ ଭାରତ-ୟୁରୋପୀୟ ସଂଘ ସମ୍ମିଳନୀ ପାଇଁ ଆପଣଙ୍କୁ ପୁଣି ଥରେ ଭାରତରେ ସ୍ୱାଗତ କରିବାର ସୁଯୋଗ ପାଇ ମୁଁ ଉତ୍ସାହର ସହିତ ଅପେକ୍ଷା କରିଛି । ବହୁତ ବହୁତ ଧନ୍ୟବାଦ ।

Leave A Reply

Your email address will not be published.