ବୈପାରୀଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ଶୈବପୀଠ ଗୁପ୍ତେଶ୍ୱର ଧାମରେ ଲାଗିଛି ଭକ୍ତଙ୍କ ଭିଡ଼ । ମହାଶିବରାତ୍ରି ଓ ଜାଗର ଯାତ୍ରା ଉପଲକ୍ଷେ ବୈପାରୀଗୁଡା ବ୍ଲକରେ ଥିବା ଦକ୍ଷିଣ ଓଡିଶାର ପ୍ରମୁଖ ଶୈବପୀଠ ଗୁପ୍ତେଶ୍ୱର ଧାମରେ ଓଡିଶା ସହ ପଡୋଶୀ ରାଜ୍ୟ ତଥା ଛତିଶଗଡ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ତେଲେଙ୍ଗନାରୁ ପ୍ରାୟ ଏକ ଲକ୍ଷରୁ ଅଧିକ ଭକ୍ତଙ୍କ ଭିଡ ହୋଇଥିବା ଜଣାପଡିଛି । ଗତ ଦୁଇଦିନ ଠାରୁ ପୀଠରେ ଭକ୍ତଙ୍କ ଭିଡ ଲାଗିଥିବା ବେଳେ ଗୁରୁବାର ସନ୍ଧ୍ୟା ପର୍ଯ୍ୟନ୍ତ ଜନଗହଳି ହେବାର ସମ୍ଭାବନା ରହିଛି । ପୀଠରେ ଯାତ୍ରୀଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି ଏହି ପୀଠରେ ସବୁବେଳେ ପାନୀୟ ଜଳର ସମସ୍ୟା ଲାଗି ରହିଥିବା ବେଳେ ଚଳିତ ବର୍ଷ ପାନୀୟଜଳ ସମସ୍ୟା ଦେଖିବାକୁ ମିଳିନଥିଲା । ବୈପାରୀଗୁଡାଠାରୁ ଗୁପ୍ତେଶ୍ୱର ପର୍ଯ୍ୟନ୍ତ ଭଲ ରାସ୍ତା ନିର୍ମାଣ ହୋଇଯାଇଛି । ଏହି ବର୍ଷ ବିଦ୍ୟୁତ ସମସ୍ୟାରେ ସୁଧାର ଆସିଥିବାର ଜଣାପଡିଛି । ଚଳିତ ବର୍ଷ ଗୁପ୍ତେଶ୍ୱରପୀଠର ସମସ୍ତ ଅସୁବିଧା ପ୍ରଶାସନ ଠିକ କରି ଦେଇଥିବା ଜଣାପଡିଛି । ଭକ୍ତମାନଙ୍କ ପ୍ରବଳ ଭିଡ଼ ହୋଇଥିବା ବେଳେ ଭକ୍ତଙ୍କ ରହଣୀ ପାଇଁ ପ୍ରଶାସନ ପକ୍ଷରୁ କିଛି ବ୍ୟବସ୍ଥା କରାଯାଇନଥିବାରୁ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କୋରାପୁଟ ଏସ୍ପି, ଜୟପୁର ଏସ୍ଡିପିଓ, ଜୟପୁର ଉପଜିଲ୍ଲାପାଳ, ବୈପାରୀଗୁଡା ତହସିଲଦାର ସ୍ନିଗ୍ଧାରାଣୀ ଚୌଧୁରୀ, ବିଡିଓ ଗୁପ୍ତେଶ୍ୱରରେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳାର ତଦାରଖ କାର୍ଯ୍ୟ କରିଛନ୍ତି । ସେହିପରି ପୋଲିସ ସାଧା ପୋଷାକରେ ମଧ୍ୟ ମୁତୟନ ହୋଇଥିବା ବେଳେ ଶାନ୍ତି ଶୃଙ୍ଗଳା ରକ୍ଷାକରିବା ପାଇଁ କେତେକ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଙ୍ଗଠନ ସହାୟତା କରୁଥିବାର ଜଣାପଡିଛି । ରାତ୍ରି ୨ଟାରେ ମହାଦୀପ ଉପରକୁ ଉଠିବ ବୋଲି ମନ୍ଦିର ପକ୍ଷରୁ କୁହାଯାଇଛି । ସେହିପରି ଦମକଳ ବିଭାଗ, ସ୍ୱାସ୍ଥ୍ୟବିଭାଗ, ଗ୍ରାମ୍ୟଜଳ ଯୋଗାଣ ବିଭାଗ, ବିଦ୍ୟୁତ ବିଭାଗ କର୍ମଚାରୀମାନେ ଉପସ୍ଥିତ ରହି ନିଜନିଜ କାର୍ଯ୍ୟ କରୁଥିବା ବେଳେ ବୈପାରୀଗୁଡା ବ୍ଲକର ନୀଳକଣ୍ଠେଶ୍ୱର, ପଶ୍ଚିମେଶ୍ୱର, ଗୁମ୍ମା ମନ୍ଦିର, ଧବଳେଶ୍ୱର, ଡୁଡୁମାଶ୍ୱର, ଗାଢପୁଟ ଶିବମନ୍ଦିର ସହ ଅନ୍ୟ ସମସ୍ତ ଶୈବପୀଠ ମାନଙ୍କରେ ପ୍ରବଳ ମାତ୍ରାରେ ଭକ୍ତଙ୍କ ସମାଗମ ପରିଲକ୍ଷିତ ହୋଇଛି ।
Prev Post