ଜିଲ୍ଲାସ୍ତରୀୟ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ଼, ( ସସ୍ମିତା ପ୍ରଧାନ ) : “ବିକଶିତ ଗାଁ ବିକଶିତ ଓଡ଼ିଶା” ଯୋଜନାର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଆଜି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଗ୍ରାମ ପଞ୍ଚାୟତଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ରାଜ୍ୟର ୩୦ ଗୋଟି ଜିଲ୍ଲା ସାମିଲ ହୋଇଥିଲେ । ଏହି ପରିପ୍ରେକ୍ଷୀରେରେ ଆଜି ସୁନ୍ଦରଗଡ଼ ଜିଲ୍ଲାସ୍ତର ତଥା ଜିଲ୍ଲାର ସମସ୍ତ ବ୍ଲକ୍ରେ ଏହି କାର୍ଯ୍ୟକ୍ରମରେ ଆଭାସି ମାଧ୍ୟମରେ ସାମିଲ ହୋଇଥିଲେ । ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସ୍ଥାନୀୟ ସଦର ବ୍ଲକର କୀରେଇ ପଞ୍ଚାୟତ ସ୍ଥିତ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ପୌର ପରିଷଦର ଅଧ୍ୟକ୍ଷା ତନୟା ମିଶ୍ର, ସଦର ବ୍ଲକ ଅଧ୍ୟକ୍ଷ ଶ୍ରୀ ସୁବ୍ରତ ମାଝୀ ଏବଂ ଉପାଧ୍ୟକ୍ଷା ଚନ୍ଦ୍ରମା ମେହେର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅଭିମନ୍ୟୁ ମାଝୀ, ସଦର ଗୋଷ୍ଠି ଉନ୍ନୟନ ଅଧିକାରୀ ମୋତିଲାଲ ସୁଲିଆ ଯୋଗ ଦେଇଥିଲେ । ଏହି ଅବସରରେ ପୌର ପରିଷଦ ଅଧ୍ୟକ୍ଷା ମିଶ୍ର ନିଜ ଅଭିଭାଷଣରେ କହିଥିଲେ ଯେ ଗାଁର ବିକାଶ ହେଲେ ସମଗ୍ର ଦେଶର ବିକାଶ ହେବ । ସରକାରଙ୍କ ଏହି ଅଭିନବ ଯୋଜନାରେ ସମସ୍ତେ ସାମିଲ ହୋଇ ନିଜ ଅଞ୍ଚଳର ବିକାଶର ଧାରାକୁ ଆଗେଇ ନେବାକୁ ସେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି ଯୋଜନା ମାଧ୍ୟମରେ ଅପହଞ୍ଚ ଗ୍ରାମରେ ବିକାଶ ପହଞ୍ଚିବ ଏବଂ ଜନସଧାରଣ ମୌଳିକ ସେବା ପାଇପାରିବେ । ନିଜ ଅଞ୍ଚଳର ଯାହାଭି ଅସୁବିଧା ବା ଆବଶ୍ୟକତା ରହିଛି ଯେପରିକି ରାସ୍ତା ନିର୍ମାଣ, ବିଦ୍ୟାଳୟ, ଅତିରିକ୍ତ ବିଦ୍ୟାଳୟ ଗୃହ, ଯୋଗାଯୋଗ ସୁବିଧା, ବିଦ୍ୟୁତ ସୁବିଧା ଇତ୍ୟାଦି ତାହା ଗ୍ରାମସଭା ମାଧ୍ୟମରେ ପାରିତ କରିବେ ଏବଂ ଜିଲ୍ଲାକୁ ପ୍ରସ୍ତାବ ଦେବେ, ସେହି ଅନୁସାରେ ଜିଲ୍ଲାରୁ ସେହି ପ୍ରସ୍ତାବ ଗୁଡିକ ବିଭାଗକୁ ପଠାଯିବ ଅନୁମୋଦନ ନିମନ୍ତେ । ଏହି କାର୍ଯ୍ୟକ୍ରମ ଦ୍ୱାରା ଗାଁର ପ୍ରତ୍ୟେକ ବର୍ଗର ଲୋକଙ୍କର ଭାଗିଦାରୀ ରହିବ । ଏହି ଯୋଜନା୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଏଥି ନିମନ୍ତେ ୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ମାଧ୍ୟମରେ ଜନଜାତିଙ୍କ ବିକାଶରେ ବିନିଯୋଗ ହେବ। ଏହା ଦ୍ୱାରା ମୌଳିକ ଭିତ୍ତିଭୂମି ବିକାଶ ସହ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ ହେବ । ସେହିପରି କ୍ଷୁଦ୍ର ପର୍ୟ୍ୟଟନ ସ୍ଥଳୀର ବିକାଶ ଓ ଉନ୍ନତିକରଣ ହେବ । ଶିକ୍ଷା ଓ କ୍ରୀଡ଼ା ଭିତ୍ତିଭୂମିର ସମ୍ପ୍ରସାରଣ ଓ ଆଧୁନିକୀକରଣକୁ ମଧ୍ୟ ଏଥିରେ ଗୁରୁତ୍ୱ ଦିଆଯାଇଛି । ଏହି ଯୋଜନାରେ ନୂତନ ଅଭିନବ ଜନମଙ୍ଗଳକାରୀ ବହୁମୁଖୀ ପ୍ରକଳ୍ପ ନିର୍ମାଣ ଓ କାର୍ଯ୍ୟାନ୍ଵୟନ କରାଯିବ । ବିଶେଷ ଭାବରେ ଅନୁନ୍ନତ ଜନଜାତି ସମୁଦାୟ (ପିଭିଟିଜି) ବସବାସ କରୁଥିବା ଅଞ୍ଚଳ ମାନଙ୍କରେ ଅଭ୍ୟନ୍ତରୀଣ ଓ ଆଗ୍ରାମ୍ୟ ସଡ଼କ ସଂଯୋଗିକରଣ ଉପରେ ଗୁରୁତ୍ୱାରୋପ କରାଯାଇଅଛି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକ ଆଭାସୀ ମାଧ୍ୟମରେ ଯୋଡି ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ପି ଆର ଆଇ ସଭ୍ୟ, ବହୁ ସଂଖ୍ୟାରେ ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟ, ଜନସାଧାରଣ , ପଞ୍ଚାୟତ ସମିତିର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.