ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ଲୋଇସିଂହା ବ୍ଲକ ବବଜା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାହାସ ବିହାରୀ ପଟେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ବବଜା କ୍ଳଷ୍ଟର ସଂଯୋଜକ ଶରତ ପଧାନ, ବିଦ୍ୟାଳୟ ଚେୟାରମେନ ରଘୁ ପୁଟେଲ ସମ୍ମାନିତ ଅତିଥିଭାବରେ ଯୋଗଦେଇଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ପଟେଲ ସତ୍ୟବାଦୀତା, ନିର୍ଭିକତା ଓ ଏକାଗ୍ରତା ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ କରି ଗଢ଼ି ତୋଳିବାରେ ସହାୟକ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ । ଏଥି ସହିତ ଶିଶୁମାନଙ୍କୁ ମୋବାଇଲରୁ ଦୂରରେ ରହିବା ପାଇଁ ପରାମର୍ଶ ଦେଇଥିଲେ । ସଂଯୋଜକ ଶରତ ପଧାନ ମଧ୍ୟ କ୍ରୀଡାର ଉପକାରିତା ଉପରେ ଉଦ୍ବୋଧନ ଦେଇଥିଲେ । ସହକାରୀ ଶିକ୍ଷକ ରାଜେଶ ସୁନା ଉତ୍ସବଟିକୁ ପରିଚାଳନା କରିବା ସହିତ ଛାତ୍ରଛାତ୍ରୀଙ୍କୁ ବ୍ୟାୟାମ, ସଂଯମ ଓ ଯୋଗର ଗୁରୁତ୍ଵ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ଗଠନରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ମଞ୍ଚ ପରିଚାଳନାରେ ସହକାରୀ ଶିକ୍ଷକ ସରୋଜ ପଧାନ, ସମ୍ବିତ ବିଶ୍ଵାଳ, ସରୋଜ ଧଳ ଓ ସ୍ୱେଚ୍ଛାସେବୀ ମୁନ ଗଡତ୍ୟା ସହଯୋଗ କରିଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ଏବଂ ଶେଷରେ ଶିକ୍ଷକ ଶ୍ରୀ ସୁନା ଧନ୍ୟବାଦ୍ ଅର୍ପଣ କରିଥିଲେ ।