କେନ୍ଦ୍ର ବଜେଟକୁ ନେଇ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରତିକ୍ରିୟା

  • ବଜେଟରେ ରେଳବାଇ ପାଇଁ ୨.୫୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବ୍ୟୟ ବ୍ୟବସ୍ଥା ସହ ଆଧୁନିକ ଯାତ୍ରୀ ସୁବିଧା ଓ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇଛି : କେନ୍ଦ୍ର ରେଳ ମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ରେଳ, ସୂଚନା ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟକୁ ସ୍ୱାଗତ କରିଛନ୍ତି । ବଜେଟରେ ରେଳବାଇ ପାଇଁ ୨.୫୨ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜି ବ୍ୟୟ ବ୍ୟବସ୍ଥା କରାଯାଇଥିବାରୁ କେନ୍ଦ୍ର ରେଳ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ରେଳବାଇ ନିଜର ନେଟୱର୍କ ବଢ଼ାଉଛି । ଟ୍ରେନରେ ଯାତ୍ରୀଙ୍କ ପାଇଁ ଆଧୁନିକ ସୁବିଧା ଓ ସୁରକ୍ଷା ପ୍ରତି ବିଶେଷ ପ୍ରାଧାନ୍ୟ ଦିଆଯାଉଛି । ନୂଆ ପ୍ରକଳ୍ପକୁ ଦେଖିଲେ ପ୍ରାୟ ୧୦୦ଟି ନୂଆ ଅମୃତ ଭାରତ ଟ୍ରେନ ନିର୍ମାଣ ଲାଗି ବଜେଟରେ ବ୍ୟବସ୍ଥା କରାଯାଇଛି । ୫୦ଟି ନମୋ ଭାରତ ଟ୍ରେନ ଏବଂ ସ୍ଲିପର ଓ ଚେୟାର କାର ସଂସ୍କରଣ ସହିତ ୨୦୦ ବନ୍ଦେ ଭାରତ ଟ୍ରେନ ନିର୍ମାଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଶ୍ରୀ ବୈଷ୍ଣବ ଆହୁରି କହିଛନ୍ତି, ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ଏବଂ ଇଣ୍ଡିଆ ଏଆଇ ମିଶନ ଆଗାମୀ ବର୍ଷଗୁଡ଼ିକରେ ଦେଶର ବୈଷୟିକ ଚାହିଦା ଓ ଆବଶ୍ୟକତା ପୂରଣ ପାଇଁ ମୂଳଦୁଆ ପକାଇଛି । ସେହିପରି କ୍ୱାଣ୍ଟମ ମିଶନ, ଅନୁସନ୍ଧାନ ନେସନାଲ ରିସର୍ଚ୍ଚ ଫାଉଣ୍ଡେସନ, ଏବଂ ଡିପଟେକ୍ ଷ୍ଟାର୍ଟଅପ୍ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଏହାଦ୍ୱାରା ଦେଶରେ ଏକ ଶକ୍ତିଶାଳୀ ବୈଷୟିକ ଆଧାର ପ୍ରତିଷ୍ଠା ହେବ । ବର୍ତ୍ତମାନ ସମୟରେ ଭାରତ ପାଇଁ ଏଭଳି ପ୍ରଗତି ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ।

Leave A Reply

Your email address will not be published.