ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବର୍ଦ୍ଧିତ ଭତ୍ତା ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଜି.ଉଦୟଗିରି ବିଧାୟକ ପ୍ରଫୁଲ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ପରିଷଦ ଅଧକ୍ଷା ନନ୍ଦିନୀ ମଲ୍ଲିକ, ବାଲିଗୁଡା ବ୍ଲକ ଉପାଧ୍ୟାକ୍ଷା ମିଷାବତୀ ମଲ୍ଲିକ, ଏନ୍ଏସି ଅଧକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ସହକାରୀ ଜିଲ୍ଲାପାଳ ଧିରଜ ପାତ୍ର, ଉପଖଣ୍ଡ ସମାଜ ମଙ୍ଗଲ ଅଧିକାରୀ ମାମିତ କୁମାରୀ ପ୍ରଧାନ, ବ୍ଲକ ସମାଜ ମଙ୍ଗଲ ଅଧିକାରୀ ଦିନେଶ କୁମାର କହଁର ପ୍ରମୁଖ ଉପସ୍ଥିତ ରହି ଯେଉଁ ସମାଜରେ ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ଅସହାୟ ବ୍ୟକ୍ତିଙ୍କୁ ସମ୍ମାନ ଓ ଆଦର ଦିଆଯାଏ, ସେହି ସମାଜ ହେଉଛି ଏକ ଆଦର୍ଶ ସମାଜ ବୋଲି କହିଥିଲେ । ଏମାନଙ୍କ ପ୍ରତି ସମାଜ ସମ୍ବେଦନଶୀଳ ହେବା ଆବଶ୍ୟକ । ବରିଷ୍ଠ ନାଗରିକମାନେ ହେଉଛନ୍ତି ଆମ ଆସ୍ଥା ଓ ବିଶ୍ୱାସର ମନ୍ଦିର । ରାଷ୍ଟ୍ରୀୟ ସାମାଜିକ କାର୍ଯ୍ୟକ୍ରମର ହିତାଧିକାରୀ ହୁଅନ୍ତୁ ବା ମଧୁବାବୁ ପେନସନ ହିତାଧିକାରୀ, ସମସ୍ତେ ଏହି ବର୍ଦ୍ଧିତ ପେନସନ ପାଇବେ । ୮୦ବର୍ଷ ବା ତା’ଠାରୁ ଅଧିକ ବୟସ୍କ ବ୍ୟକ୍ତି ଏବଂ ୮୦ ପ୍ରତିଶତ ଭିନ୍ନକ୍ଷମ ହିତାଧିକାରୀମାନେ ଆଜିଠାରୁ ମାସକୁ ୩୫୦୦ ଟଙ୍କା ପେନସନ ପାଇବେ । ପୂର୍ବରୁ ସେମାନେ ୧୨୦୦ ଟଙ୍କା ପେନସନ ପାଉଥିବା ବେଳେ ଏଥିରେ ୨୩୦୦ଟଙ୍କା ବୃଦ୍ଧି କରାଯାଇ ୩୫୦୦ ଟଙ୍କା କରାଯାଇଛି । ବାଲିଗୁଡା ବ୍ଲକର ଇନ୍ଦିରା ଗାନ୍ଧୀ ବାର୍ଦ୍ଧକ୍ୟ ଭତ୍ତା ୯୮ ଜଣ ଭିନ୍ନକ୍ଷମ ଭତ୍ତା ଯୋଜନାରେ ୨୨ ଜଣ ଉପକୃତ ହେବେ ସେହିପରି ମଧୁବାବୁ ପେନସନ ବାର୍ଦ୍ଧକ୍ୟ ଭତ୍ତା ୧୬୪ ଜଣ ଓ ଭିନ୍ନକ୍ଷମ ଭତ୍ତା ଯୋଜନାରେ ୩୮ ଜଣ ଉପକୃତ ହେବେ ବୋଲି ସମାଜ ମଙ୍ଗଳ ଅଧିକାରୀ ଦିନେଶ କହଁର କହିଛନ୍ତି ।