ଫେବୃୟାରୀ ମାସରୁ ଆରମ୍ଭ ହେବ କୋସଲ ଯୁବ ଜାଗରଣ ଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ୱତନ୍ତ୍ର କୋସଲ ରାଜ୍ୟ ଗଠନ, ସ୍ଥାନୀୟ ନିଯୁକ୍ତି ତଥା ଏ ଅଂଚଳର ବିଶ୍ୱବିଦ୍ୟାଳୟମାନଙ୍କ ଏ ଅଞ୍ଚଳର ଛାତ୍ରମାନଙ୍କ ପାଇଁ ୮୦% ସ୍ଥାନ ସଂରକ୍ଷଣର ଦାବୀ ନେଇ ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ କୋସଲ ଯୁବ ସମନ୍ୱୟ ସମିତି ତରଫରୁ ଏକ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କୋସଲ ଯୁବ ସମନ୍ୱୟ ସମିତିର ରାଜ୍ୟ ସଂଯୋଜକ ରିଲୁ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ସମଗ୍ର କୋଶଳାଂଚଳର ବହୁ ଯୁବ ସଂଗଠକ ଯୋଗ ଦେଇଥିଲେ । ପ୍ରାରମ୍ଭରେ ବିନିକା ଅଂଚଳର ପ୍ରବୀଣ କୋଶଲବାଦୀ ଯୁବନେତା ଗୋପାଳ ବାଗଙ୍କ ନିଧନରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିôଲା । ସମ୍ମିଳନୀକୁ ଉଦ୍‌ଘାଟିତ କରି କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ସ୍ୱତନ୍ତ୍ର କୋସଲ ପ୍ରଦେଶ ଆନ୍ଦୋଳନକୁ ନେତୃତ୍ୱ ଦେବାକୁ ଯୁବକମାନଙ୍କୁ ଆହ୍ୱାନ ଦେଇଥିଲେ । ଯୁବକମାନଙ୍କୁ ବିଭିନ୍ନ ରାଜନୈତିକ ଦଳର କାଳ କବଳରୁ ନିଜକୁ ରକ୍ଷା କରି ମାତୃଭୂମିର ମୁକ୍ତି ଆନ୍ଦୋଳନରେ ସଂଯୋଜିତ ହେବାକୁ ଆହ୍ୱାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବ ସଂଗଠକ ଡୋଳାମଣି ପ୍ରଧାନ, ଦୀପକ ଦେବତା, ଘନଶ୍ୟାମ ବାଂଜୀ, ହିତାଂଶୁ ସାହୁ, ଦୀପକ ଦାଶ, ନିତିନ ପ୍ରଧାନ, କେଦାର ଥନାପତି, ଗିରିରାଜ ଭୋଇ ଅଚ୍ୟୁତ ସିପୁନ ଖମାରୀ, ଆକାଶ ପଣ୍ଡା, ଦୀପକ ରଥ, ଦୀପେଶ ଗଡୁଆ, ବନମାଲି ନାଏକ, ଲାଲମନ ନାଗ, ସନ୍ଦୀପ ବାଗ, ନାରୀନେତ୍ରୀ ଚନ୍ଦ୍ରକାନ୍ତି, ଜନଜୀବନ ଭୋଇ, ବିନୋଦ କାଲସାଏ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ରାଜ୍ୟ ସଂଗଠକକୁ ପୁନର୍ଗଠିତ କରାଗଲା । ନବଗଠିତ କମିଟିରେ ଡୋଳାମଣି ପ୍ରଧାନ ରାଜ୍ୟ ସଭାପତି, ଦୀପକ ରଥ, ରିଲୁ ରଥ କାର୍ଯ୍ୟକାରୀ ସଭାପତି, ବିନୋଦ କାଲସାଏ ଓ ଘନଶ୍ୟାମ ବାଂଜି ଉପସଭାପତି, ଦୀପକ ଦେବତା ଓ ଅଚ୍ୟୁତ ସିପୁନ ଖମାରୀ ସାଧାରଣ ସଂପାଦକ, ନିତିନ ପ୍ରଧାନ, ଗିରିରାଜ ଭୋଇ, ହିତାଂଶୁ ସାହୁ, ଗୋପାଳ କୁମ୍ଭାର, ଲରେନ୍‌ସ ପ୍ରଧାନ, ଇଂ. ଉମାକାନ୍ତ ବେହେରା, ମନୋଜ ରାଉଡିଆ, ଡିଲେଶ୍ୱର ନାଗ ସଂଗଠନ ସଂପାଦକ, ବନମାଲି ନାଏକ କୋଷାଧ୍ୟକ୍ଷ ହିସାବରେ ନିର୍ବାଚିତ ହୋଇଥିଲେ । ଏହି କମିଟିକୁ ରାଜ୍ୟ କାର୍ଯ୍ୟକାରୀ କମିଟିକୁ ପରିବର୍ଦ୍ଦିତ କରିବାକୁ ଦାୟିତ୍ୱ ପ୍ରଦାନ କରାଗଲା । କୋସଲ ଆନ୍ଦୋଳନକୁ ଅଧିକ ଶାଣିତ କରିବାକୁ ଆଗାମୀ ଫେବୃୟାରୀ ମାସରୁ ୫ଟି ପର୍ଯ୍ୟାୟରେ କୋସଲ ଯୁବ ଜାଗରଣ ଯାତ୍ରା କରାଯିବାକୁ ନିଷ୍ପତ୍ତି କରାଯାଇଛି । ଏହାଛଡା ସ୍ଥାନୀୟ ନିଯୁକ୍ତି ତଥା ଆମ ଅଂଚଳର ବିଶ୍ୱ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ସ୍ଥାନୀୟ ଯୁବକମାନଙ୍କ ଓ ଛାତ୍ରମାନଙ୍କ ପାଇଁ ୮୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଦାବୀ ନେଇ ଲଢେଇ କରାଯିବାକୁ ନିଷ୍ପତ୍ତି କରାଯାଇଛି ।

ଏହି ସମ୍ମିଳନୀକୁ ବରିଷ୍ଠ କୋସଲବାଦୀ ସଂଗଠକ ମନୋରଂଜନ ସାହୁ, ଶରତ ହୋତା, ରବିଶଙ୍କର ମିଶ୍ର, ରଣରାଜ ସିଂଦେଓ, ପ୍ରଭାସ ମିଶ୍ର, ପ୍ରାଣଶଙ୍କର ରାଉତ ପ୍ରମୁଖ ଅଭିନନ୍ଦନ ଜଣାଇଥିଲେ ।

Leave A Reply

Your email address will not be published.

error: Content is protected !!