jayashree

ନୂଆଦିଲ୍ଲୀରେ ଏନ୍‌ଏଏଫ୍‌ଏସ୍‌ସିଓବିର ହୀରକ ଜୟନ୍ତୀ ଉତ୍ସବ ଏବଂ ଗ୍ରାମୀଣ ସମବାୟ ବ୍ୟାଙ୍କଗୁଡିକର ଜାତୀୟ ବୈଠକରେ ଯୋଗ ଦେଇଛନ୍ତି କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ

• ସମଗ୍ର ବିଶ୍ୱରେ ସମବାୟ କ୍ଷେତ୍ରର ନେତୃତ୍ୱ ନେବାର ସାମର୍ଥ୍ୟ ଭାରତରେ ରହିଛି
• ଦେଶକୁ ସହଯୋଗରୁ ସମୃଦ୍ଧି ଏବଂ ସମୃଦ୍ଧିରୁ ପୂର୍ଣ୍ଣତା ଆଡକୁ ନେବା ହେଉଛି ମୋଦୀ ସରକାରଙ୍କ ଉଦ୍ଦେଶ୍ୟ
• ପିଏସିଏସ୍‌ ଏବଂ ଜିଲ୍ଲା ସମବାୟ ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସ୍ୱଳ୍ପମିଆଦୀ କୃଷି ଋଣ ସମଗ୍ର ଦେଶରେ କୃଷି କ୍ଷେତ୍ରକୁ ପୁନରୁଦ୍ଧାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି
• ଖୁବଶୀଘ୍ର ପିଏସିଏସ୍‌ ଜରିଆରେ ଦୀର୍ଘମିଆଦୀ ଅର୍ଥ ବ୍ୟବସ୍ଥା ଆରମ୍ଭ ହେବ, ଯାହା କୃଷକମାନଙ୍କୁ ଆହୁରି ସଶକ୍ତ କରିବ
• ପିଏସିଏସ୍‌, ଜିଲ୍ଲା ସମବାୟ ବ୍ୟାଙ୍କ ଏବଂ ରାଜ୍ୟ ସମବାୟ ବ୍ୟାଙ୍କର ତ୍ରିସ୍ତରୀୟ ଢାଞ୍ଚା କୃଷକ ଏବଂ ଗ୍ରାମର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ
• ଆଗାମୀ ୫ ବର୍ଷ ମଧ୍ୟରେ ୮୦ ପ୍ରତିଶତ ଜିଲ୍ଲାରେ ଜିଲ୍ଲା ସମବାୟ ବ୍ୟାଙ୍କ ଖୋଲିବାକୁ ମୋଦୀ ସରକାର ଲକ୍ଷ୍ୟ ରଖିଛନ୍ତି

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ନ୍ୟାସନାଲ୍ ଫେଡେରେସନ ଅଫ୍‌ ଷ୍ଟେଟ୍ କୋପରେଟିଭ୍ ବ୍ୟାଙ୍କସ ଲିମିଟେଡ୍ (ଏନ୍‌ଏଏଫ୍‌ଏସ୍‌ସିଓବି)ର ହୀରକ ଜୟନ୍ତୀ ସମାରୋହ ଏବଂ ଗ୍ରାମୀଣ ସମବାୟ ବ୍ୟାଙ୍କ ଗୁଡ଼ିକର ଜାତୀୟ ବୈଠକରେ ଯୋଗ ଦେଇଥିଲେ । ଏହି ଅବସରରେ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ କ୍ରିଷନ ପାଲ ଏବଂ ମୁରଲୀଧର ମୋହୋଲ ଏବଂ ସମବାୟ ମନ୍ତ୍ରଣାଳୟର ସଚିବଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ କୌଣସି ଅନୁଷ୍ଠାନର ହୀରକ ଜୟନ୍ତୀ ପାଳନ କରିବାର ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ରହିଛି- ପ୍ରଥମତଃ, ଗତ ୬୦ ବର୍ଷ ମଧ୍ୟରେ ଅନୁଷ୍ଠାନର ଅବଦାନ ଓ ଉପଲବ୍ଧିକୁ ପ୍ରଦର୍ଶିତ କରିବା; ଦ୍ୱିତୀୟତଃ, ଏହାର ତ୍ରୁଟିକୁ ଅନୁଧ୍ୟାନ କରିବା ଏବଂ ସେଥିରେ ଉନ୍ନତି ଆଣିବା । ପ୍ରାଥମିକ କୃଷି ଋଣ ସମିତି (ପିଏସିଏସ୍‌), ଜିଲ୍ଲାସ୍ତରୀୟ ଏବଂ ରାଜ୍ୟସ୍ତରୀୟ ବ୍ୟାଙ୍କର ତ୍ରିସ୍ତରୀୟ ଢାଞ୍ଚା ବିନା ଭାରତର କୃଷି, କୃଷକ ଏବଂ ଗ୍ରାମଗୁଡିକ ସ୍ୱାଧୀନତାର ୭୫ ବର୍ଷର ଯାତ୍ରାକୁ ସଫଳତାର ସହ ସମାପ୍ତ କରିବା ଅସମ୍ଭବ ବୋଲି ସେ କହିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଭଳି ଏକ ବିଶାଳ ଦେଶରେ ପ୍ରାୟ ୧୩ କୋଟି କୃଷକଙ୍କୁ ବିନା କୌଣସି ଅସୁବିଧାରେ ସ୍ୱଳ୍ପକାଳୀନ କୃଷି ଋଣ ପ୍ରଦାନ ବ୍ୟବସ୍ଥା କୃଷକ ଏବଂ ଦେଶର କୃଷି କ୍ଷେତ୍ରକୁ ଏକ ନୂତନ ଜୀବନ ଦେବାରେ ସହାୟକ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ଜିଲ୍ଲା ଓ ରାଜ୍ୟସ୍ତରୀୟ ବ୍ୟାଙ୍କଗୁଡ଼ିକ କେବଳ ସ୍ୱଳ୍ପକାଳୀନ କୃଷି ଋଣର ଯତ୍ନ ନେଇନାହାନ୍ତି ବରଂ ଜିଲ୍ଲାସ୍ତରୀୟ ବ୍ୟାଙ୍କ ଏବଂ ପିଏସିଏସ୍‌ ରାଜ୍ୟସ୍ତରୀୟ ବ୍ୟାଙ୍କର ସହାୟତାରେ ସାମୂହିକ ଚାଷ, ଜଳ ପରିଚାଳନା, ଚାଷ ଓ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀଠାରୁ ଆରମ୍ଭ କରି ଗାଁକୁ ସୁଦୃଢ଼ କରିବା ପର୍ଯ୍ୟନ୍ତ ସବୁ ଦିଗରେ ଏକ ନୂତନ ଜୀବନ ଦେଇଛନ୍ତି । ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଜି ଭାରତ ‘ସହକାର ସେ ସମୃଦ୍ଧି’ରୁ ‘ସମୃଦ୍ଧି ସେ ସମ୍ପୂର୍ଣ୍ଣତା’କୁ ଅଗ୍ରସର ହେଉଛି । ସମବାୟ ମନ୍ତ୍ରଣାଳୟ ପ୍ରତିଷ୍ଠାର ଉଦ୍ଦେଶ୍ୟ ମଧ୍ୟ ‘ସହକାର ସେ ସମୃଦ୍ଧି’ ମନ୍ତ୍ରରେ ରହିଛି ବୋଲି ସେ କହିଛନ୍ତି । ସେ କହିଥିଲେ ଯେ ୨୦୨୭ରେ ଭାରତର ଅର୍ଥନୀତି ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ ଯାହା ସମବାୟ କ୍ଷେତ୍ରର ଏକ ଲକ୍ଷ୍ୟ ମଧ୍ୟ ଅଟେ । ଏହା ସହିତ ଦେଶର ୧୪୦ କୋଟି ଲୋକଙ୍କ ସୁଖର ଯତ୍ନ ନେବା ମଧ୍ୟ ସମବାୟ ମନ୍ତ୍ରଣାଳୟର ଲକ୍ଷ୍ୟ ବୋଲି ଶ୍ରୀ ଶାହ କହିଛନ୍ତି । ସେ କହିଥିଲେ ଯେ ସମବାୟରେ ଅର୍ଥନୈତିକ ବିକାଶର ପରିକଳ୍ପନା କରାଯାଏ ନାହିଁ ଯେଉଁଥିରେ ଦେଶର ପ୍ରଗତି ହୁଏ କିନ୍ତୁ ଦେଶବାସୀ ପଛରେ ପଡିଯାଆନ୍ତି, କିନ୍ତୁ ଏହା ସମସ୍ତଙ୍କ ପାଇଁ ସମାନ ବିକାଶକୁ ସମର୍ଥନ କରେ । ଦେଶର ଅର୍ଥନୀତିର ବିକାଶ ସହିତ କୃଷକ, ଗ୍ରାମୀଣ, ଦଳିତ, ଆଦିବାସୀ ଓ ମହିଳାଙ୍କ ବିକାଶ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ସେ କହିଥିଲେ ଯେ ମହାତ୍ମା ଗାନ୍ଧୀ ଗ୍ରାମୀଣ ସ୍ୱରାଜ (ଗ୍ରାମୀଣ ସ୍ୱୟଂ ଶାସନ) ଏବଂ ରାମରାଜ୍ୟର ସ୍ୱପ୍ନକୁ ଆମ ଆଗରେ ରଖିଥିଲେ ଏବଂ ଏହାକୁ ବାସ୍ତବ ରୂପ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ୨୦୨୧ ରେ ସମବାୟ ମନ୍ତ୍ରଣାଳୟ ଗଠନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ କାର୍ଯ୍ୟକାଳ ସମବାୟ କ୍ଷେତ୍ର ସହ ଜଡ଼ିତ ସମସ୍ତ ଲୋକଙ୍କ ପାଇଁ ଏକ ମୁହୂର୍ତ୍ତ ଏବଂ ଏଠାରୁ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ ବୋଲି ସେ କହିଛନ୍ତି । କେନ୍ଦ୍ର ସମବାୟ ମନ୍ତ୍ରୀ କହିଥିଲେ ଯେ ସମବାୟ କ୍ଷେତ୍ରରେ ଦୁଇଟି ପ୍ରତିବନ୍ଧକ ରହିଛି- ଅସମାନ ବ୍ୟବହାର ଏବଂ ଏକ ନିରବଚ୍ଛିନ୍ନ ଆଇନଗତ ଢାଞ୍ଚାର ଅନୁପସ୍ଥିତି ଏବଂ ଗତ ୭୫ ବର୍ଷ ମଧ୍ୟରେ ସୃଷ୍ଟି ହୋଇଥିବା ଅବ୍ୟବସ୍ଥା । ଯଦି ଆମେ ଏହି ଦୁଇଟି ବାଧାବିଘ୍ନକୁ ଅତିକ୍ରମ କରିପାରିବା ତେବେ ଆଗାମୀ ୫ ବର୍ଷ ସମବାୟ କ୍ଷେତ୍ର ପାଇଁ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି । ସେ କହିଥିଲେ ଯେ ଭାରତର ସମବାୟ କ୍ଷେତ୍ର ସମଗ୍ର ବିଶ୍ୱରେ ସମବାୟ କ୍ଷେତ୍ରକୁ ମାର୍ଗଦର୍ଶନ କରିବାର ସମ୍ଭାବନା ରହିଛି । ଅମିତ ଶାହ କହିଥିଲେ ଯେ ୧୯୬୪ ମସିହାରେ ଡ. ଧନଞ୍ଜୟ ରାଓ ରାମଚନ୍ଦ୍ର ଗାଡଗିଲ ଏବଂ ମଗନଭାଇ ପଟେଲ ଏକ ଦୃଷ୍ଟିକୋଣରୁ ଏନ୍‌ଏଏଫ୍‌ଏସ୍‌ସିଓବି ପ୍ରତିଷ୍ଠା କରିଥିଲେ । ବିଭିନ୍ନ ପ୍ରୟାସ ମାଧ୍ୟମରେ ଏନ୍‌ଏଏଫ୍‌ଏସ୍‌ସିଓବି ଦେଶର ଜିଲ୍ଲା ଓ ରାଜ୍ୟସ୍ତରୀୟ ବ୍ୟାଙ୍କଗୁଡ଼ିକୁ ମାର୍ଗଦର୍ଶନ ଓ ସହାୟତା କରିଛି । ଶ୍ରୀ ଶାହା କହିଥିଲେ ଯେ ଏନ୍‌ଏଏଫ୍‌ଏସ୍‌ସିଓବି ହେଉଛି ଏକମାତ୍ର ଅନୁଷ୍ଠାନ ଯିଏ କି ରାଜ୍ୟସ୍ତରୀୟ, ଜିଲ୍ଲାସ୍ତରୀୟ ବ୍ୟାଙ୍କ ଏବଂ ହଜାର ହଜାର ପିଏସିଏସ୍‌ର ୧୦୦ଟି ମୌଳିକ ମାନଦଣ୍ଡର ଅଧିକୃତ ତଥ୍ୟ ରଖେ, ଯାହା ଆଧାରରେ ସାରା ଦେଶରେ କୃଷି ଋଣ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଏ । ଏହି ତଥ୍ୟର ସ୍ବଚ୍ଛତା ଓ ସଠିକତା ୯୯.୭୨ ପ୍ରତିଶତ ବୋଲି ସେ କହିଛନ୍ତି । ଶ୍ରୀ ଶାହ କହିଛନ୍ତି ଯେ ସମବାୟ ଋଣ, ବ୍ୟାଙ୍କିଙ୍ଗ୍ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ଯାଞ୍ଚ କରିବା ଏବଂ ଏହାର ସମାଧାନ ପାଇଁ ରଣନୀତି ପ୍ରସ୍ତୁତ କରିବା ପାଇଁ ଏନ୍‌ଏଏଫ୍‌ଏସ୍‌ସିଓବି ପ୍ରତିଷ୍ଠା କରାଯାଇଥିଲା । କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ପିଏସିଏସକୁ ଜ୍ଞାନକୌଶଳରେ ସଜ୍ଜିତ ନ କରିବା ପର୍ଯ୍ୟନ୍ତ ସେମାନଙ୍କ ପ୍ରଶାସନରେ ସ୍ୱଚ୍ଛତା ରହିବ ନାହିଁ ଏବଂ ଏହାର କାର୍ଯ୍ୟକ୍ଷମତାରେ ସମସ୍ୟା ଦେଖାଦେବ । ପିଏସିଏସକୁ ସୁସ୍ଥ ରଖିବା ସହିତ କାର୍ଯ୍ୟଦକ୍ଷତା ବୃଦ୍ଧି କରି ଜିଲ୍ଲା ଓ ରାଜ୍ୟ ବ୍ୟାଙ୍କ ପ୍ରଭାବଶାଳୀ ରହିପାରିବ । ସେ କହିଥିଲେ ଯେ ଆମକୁ ପିଏସିଏସ୍‌ ମଧ୍ୟରେ ଥିବା ପାରମ୍ପରିକ ପଦ୍ଧତିରୁ ବାହାରକୁ ଆସିବାକୁ ହେବ ଏବଂ ଯୁବକମାନଙ୍କୁ କେବଳ ସମବାୟ ନୁହେଁ ବରଂ ପିଏସିଏସ୍‌ର କାର୍ଯ୍ୟକଳାପ ସହିତ ଯୋଡ଼ିହେବା ପାଇଁ ସ୍ଥାନ ପ୍ରଦାନ କରିବାକୁ ପଡିବ । ସହଯୋଗର ଭାବନାକୁ ସୁଦୃଢ଼ କରିବା ପାଇଁ ଗାଁର ପ୍ରତ୍ୟେକ ସମସ୍ୟା ପିଏସିଏସ୍‌ର ସମସ୍ୟା ହେବା ଉଚିତ, ଜିଲ୍ଲାର ପ୍ରତ୍ୟେକ ସମସ୍ୟା ଜିଲ୍ଲା ସମବାୟ ବ୍ୟାଙ୍କର ସମସ୍ୟା ହେବା ଉଚିତ ଏବଂ ରାଜ୍ୟର ପ୍ରତ୍ୟେକ ସମସ୍ୟା ରାଜ୍ୟ ସମବାୟ ବ୍ୟାଙ୍କର ସମସ୍ୟା ହେବା ଉଚିତ ବୋଲି ଅମିତ ଶାହ କହିଥିଲେ । ଯଦି ଆମର ପିଏସିଏସ୍‌ ବା ଜିଲ୍ଲା ସମବାୟ ବ୍ୟାଙ୍କଗୁଡ଼ିକ ‘ସମସ୍ତଙ୍କ ଭାଗିଦାରୀ’, ‘ସମସ୍ତଙ୍କ କଲ୍ୟାଣ’ ଏବଂ ‘ଲାଭର ସମାନ ବଣ୍ଟନ’ର ତିନୋଟି ମୂଲ୍ୟବୋଧ ଛାଡ଼ନ୍ତି, ତେବେ ଆମେ ଆମ ଲକ୍ଷ୍ୟରେ କେବେ ବି ସଫଳ ହୋଇପାରିବୁ ନାହିଁ ବୋଲି ସେ କହିଛନ୍ତି । ଯଦି ସମବାୟ କ୍ଷେତ୍ରରେ ଜନସାଧାରଣଙ୍କ ବିଶ୍ୱାସ ହାସଲ କରିବାକୁ ଚାହୁଁଛୁ ତେବେ ସ୍ୱଚ୍ଛତା ଅତ୍ୟନ୍ତ ଜରୁରୀ ଏବଂ ସ୍ୱଚ୍ଛତା ପାଇଁ ପିଏସିଏସ, ଜିଲ୍ଲା ସମବାୟ ବ୍ୟାଙ୍କ ଏବଂ ରାଜ୍ୟ ସମବାୟ ବ୍ୟାଙ୍କ ଏ ଦିଗରେ ପଦକ୍ଷେପ ନେବା ଉଚିତ । ଶ୍ରୀ ଶାହ କହିଥିଲେ ଯେ ଆଜି ଏନଏଏଫଏସସିଓବି ପାଖରେ ୩୪ ଟି ରାଜ୍ୟ ସମବାୟ ବ୍ୟାଙ୍କ, ୩୫୨ ଟି ଜିଲ୍ଲାସ୍ତରୀୟ ସମବାୟ ବ୍ୟାଙ୍କ ଏବଂ ୧,୦୫,୦୦୦ ପିଏସିଏସ ରହିଛି, ସେଥିମଧ୍ୟରୁ ପ୍ରାୟ ୬୫,୦୦୦ କାର୍ଯ୍ୟକ୍ଷମ ଅଛି ଏବଂ ଏହି ସମଗ୍ର ବ୍ୟବସ୍ଥା ଏକାଠି କାମ କରିବା ଉଚିତ । କେନ୍ଦ୍ର ସମବାୟ ମନ୍ତ୍ରୀ କହିଛନ୍ତି ଯେ ଜିଲ୍ଲା ସମବାୟ ବ୍ୟାଙ୍କରେ ସମୁଦାୟ ୪,୩୩,୦୦୦ କୋଟି ଟଙ୍କା ଏବଂ ରାଜ୍ୟ ସମବାୟ ବ୍ୟାଙ୍କରେ ୨,୪୨,୦୦୦ କୋଟି ଟଙ୍କା ଜମା ହୋଇଛି ଏବଂ ଆମେ ଜମା ବୃଦ୍ଧି ପାଇଁ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରିବା ଉଚିତ । ଶ୍ରୀ ଶାହ କହିଛନ୍ତି ଯେ ଆଗାମୀ ଏକମାତ୍ର ଉପାୟ ହେଉଛି ‘ସମବାୟ ମଧ୍ୟରେ ସହଯୋଗ’, ଅର୍ଥାତ୍ ଯଦି ସମସ୍ତ ସମବାୟ ସଂସ୍ଥାର ବ୍ୟାଙ୍କ ଆକାଉଣ୍ଟ ଜିଲ୍ଲା ସମବାୟ ବ୍ୟାଙ୍କକୁ ଆସେ, ତେବେ ଆପେ ଆପେ କମ୍ ମୂଲ୍ୟର ଜମାରେ ୨୦% ବୃଦ୍ଧି ଘଟିବ ଏବଂ ଯେତେବେଳେ କମ୍ ମୂଲ୍ୟର ଜମା ବୃଦ୍ଧି ପାଇବ, ଲାଭ ମଧ୍ୟ ଆପେ ଆପେ ବୃଦ୍ଧି ପାଇବ ଏବଂ ଋଣ ଦେବାର କ୍ଷମତା ମଧ୍ୟ ବୃଦ୍ଧି ପାଇବ । ଅମିତ ଶାହ କହିଥିଲେ ଯେ ଅମୁଲ ମାଧ୍ୟମରେ ଭାରତରେ ଶ୍ୱେତ ବିପ୍ଳବ ସଫଳ ହୋଇଛି ଏବଂ ଆଜି ଅମୁଲର କାରବାର ୮୦,୦୦୦ କୋଟି ଟଙ୍କା ହୋଇଛି । ଏହି ସମ୍ପୂର୍ଣ୍ଣ କାରବାର ବର୍ତ୍ତମାନ ଜିଲ୍ଲା ସମବାୟ ବ୍ୟାଙ୍କ ମାଧ୍ୟମରେ ହୋଇଥାଏ ଏବଂ ଆମେ ମାତ୍ର ୨ ବର୍ଷ ମଧ୍ୟରେ ଏହି ମହାନ ସଫଳତା ହାସଲ କରିଛୁ ବୋଲି ସେ କହିଥିଲେ । ପ୍ରତ୍ୟେକ ଜିଲ୍ଲା ସମବାୟ ବ୍ୟାଙ୍କ ଏହି ମଡେଲକୁ ଗ୍ରହଣ କରି ନିଜର ଶକ୍ତି ଓ ଆତ୍ମବିଶ୍ୱାସକୁ ଆଗକୁ ବଢ଼ାଇବା ଉଚିତ ବୋଲି ସେ କହିଛନ୍ତି । ଶ୍ରୀ ଶାହ କହିଛନ୍ତି ଯେ ଆଜି ରାଜ୍ୟ ସମବାୟ ବ୍ୟାଙ୍କଗୁଡ଼ିକର ଲାଭ ପ୍ରାୟ ୨୪୦୦ କୋଟି ଟଙ୍କା ଏବଂ ଜିଲ୍ଲା ସମବାୟ ବ୍ୟାଙ୍କଗୁଡ଼ିକର ଲାଭ ୧୮୮୧ କୋଟି ଟଙ୍କା, ଆମେ ଏହି କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିବା ଉଚିତ । କେନ୍ଦ୍ର ସମବାୟ ମନ୍ତ୍ରୀ କହିଛନ୍ତି ଯେ ଯେ ପର୍ଯ୍ୟନ୍ତ ଆମେ ପିଏସିଏସ କୁ ସୁଦୃଢ଼ କରୁନାହୁଁ, ସେ ପର୍ଯ୍ୟନ୍ତ ଜିଲ୍ଲା ସମବାୟ ବ୍ୟାଙ୍କଗୁଡିକର କୌଣସି ଗୁରୁତ୍ୱ ନାହିଁ ଏବଂ ପିଏସିଏସ୍‌କୁ ସୁଦୃଢ଼ କରିବା ପାଇଁ ମୋଦୀ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ସେ କହିଛନ୍ତି ଯେ ପିଏସିଏସ୍‌ର ପୁରୁଣା ବାଇଲ ଅପ୍ରାସଙ୍ଗିକ ହୋଇଯାଇଛି । ସେ ଉଲ୍ଲେଖ କରିଛନ୍ତି ଯେ ଆମେ ସେଥିରେ ଅନେକ ପରିବର୍ତ୍ତନ କରିଛୁ ଏବଂ ଆଦର୍ଶ ବାଇଲ ଗୁଡ଼ିକୁ ରାଜ୍ୟମାନଙ୍କୁ ପଠାଇଛୁ, ସମସ୍ତ ରାଜ୍ୟ ଏହାକୁ ଗ୍ରହଣ କରିଛନ୍ତି । ଶ୍ରୀ ଶାହ କହିଛନ୍ତି ଯେ ଏହି ମଡେଲ ବାଇଲରେ ଆମେ ଅନେକ ନୂଆ କାର୍ଯ୍ୟକଳାପ ଯୋଡ଼ିଛୁ । ଏବେ ପିଏଏସ୍‌ଏସ୍‌ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର ମଧ୍ୟ ଚଳାଇପାରିବ, ଡାଏରୀ ଚଳାଇପାରିବ, ମତ୍ସ୍ୟଜୀବୀ କମିଟି ପରିଚାଳନା କରିପାରିବ ଏବଂ ପାଖାପାଖି ୭୪୪ ଟି ପିଏଏସ୍‌ଏସ୍‌ ମଧ୍ୟ ଡ୍ରଗ୍ସ ଲାଇସେନ୍ସ ପାଇଛନ୍ତି । ଏହା ସହିତ ପିଏଏସ୍‌ଏସ୍‌କୁ ସାର ଲାଇସେନ୍ସ ପ୍ରଦାନ କରାଯାଇଛି ଏବଂ ପ୍ରାୟ ୩୯,୦୦୦ ପିଏଏସ୍‌ଏସ୍‌ ଏବେ କମନ୍ ସର୍ଭିସ୍ ସେଣ୍ଟର (ସିଏସସି)ରେ ପରିଣତ ହୋଇ ଗାଁ ଗାଁରେ ୩୦୦ରୁ ଅଧିକ ସେବା ପ୍ରଦାନ କରୁଛନ୍ତି । ଏହି ୨୦ରୁ ଅଧିକ କାର୍ଯ୍ୟକଳାପ ପିଏଏସ୍‌ଏସ୍‌କୁ କାର୍ଯ୍ୟକ୍ଷମ କରିବ, ଯାହା ଜିଲ୍ଲା ସମବାୟ ବ୍ୟାଙ୍କ ଏବଂ ରାଜ୍ୟ ସମବାୟ ବ୍ୟାଙ୍କ ସଂଖ୍ୟା ବୃଦ୍ଧି କରିବ ବୋଲି ସେ କହିଛନ୍ତି । ଆଗାମୀ ୫ ବର୍ଷ ମଧ୍ୟରେ ଦେଶର ୮୦ ପ୍ରତିଶତ ଜିଲ୍ଲାରେ ଜିଲ୍ଲା ସମବାୟ ବ୍ୟାଙ୍କ ଖୋଲାଯିବ, ଯାହା ସମବାୟ କ୍ଷେତ୍ରକୁ ସୁଦୃଢ଼ କରିବ । ଅମିତ ଶାହ କହିଥିଲେ ଯେ ପିଏଏସ୍‌ଏସ୍‌କୁ କାର୍ଯ୍ୟକ୍ଷମ, ସ୍ୱଚ୍ଛ ଏବଂ ଆଧୁନିକ କରିବା ଏବଂ ସେମାନଙ୍କର ସମ୍ପୂର୍ଣ୍ଣ କମ୍ପ୍ୟୁଟରୀକରଣ ହାସଲ କରିବା ମଧ୍ୟ ଏନ୍‌ଏଏଫ୍‌ଏସ୍‌ସିଓବିର ଭୂମିକା ହେବା ଉଚିତ୍ । ଶ୍ରୀ ଶାହ କହିଛନ୍ତି ଯେ ସରକାର ପିଏସିଏସ ମାଧ୍ୟମରେ ଦୀର୍ଘମିଆଦୀ ଅର୍ଥର ସମ୍ଭାବନା ଖୋଜୁଛନ୍ତି, ଯାହା ପିଏସିଏସର ବ୍ୟବସାୟରେ ମଧ୍ୟ ଅଭିବୃଦ୍ଧି ଆଣିବ । ସମବାୟ କ୍ଷେତ୍ର ସମଗ୍ର ଦେଶର ଅର୍ଥନୀତିକୁ ଚଳାଇପାରିବ ବୋଲି କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ କହିଛନ୍ତି । ଦେଶର ୧୪୦ କୋଟି ଜନସଂଖ୍ୟାକୁ ରୋଜଗାର, ସମ୍ମାନ ଓ ସମୃଦ୍ଧି ପ୍ରଦାନ କେବଳ ସମବାୟ ମାଧ୍ୟମରେ ହାସଲ କରାଯାଇପାରିବ ବୋଲି ସେ ଉଲ୍ଲେଖ କରିଥିଲେ । ରାଜ୍ୟ ସମବାୟ ବ୍ୟାଙ୍କ ଓ ଜିଲ୍ଲା ସମବାୟ ବ୍ୟାଙ୍କ ଯଦି ପିଏସିଏସ ପ୍ରତି ସମ୍ବେଦନଶୀଳ ନ ହୁଅନ୍ତି, ତେବେ ସମବାୟ ମନ୍ତ୍ରଣାଳୟର ସମ୍ବେଦନଶୀଳତା ଆଶାନୁରୂପ ଫଳାଫଳ ହାସଲ କରିପାରିବ ନାହିଁ ବୋଲି ଶ୍ରୀ ଶାହ କହିଛନ୍ତି ।

Leave A Reply

Your email address will not be published.