ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ନବଜୀବନ ବିଦ୍ୟାପୀଠର ଅବସରପ୍ରାପ୍ତ ଶାସ୍ତ୍ରୀୟ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଦାସ(୬୫)ଙ୍କର ସୋମବାର ସକାଳେ ରାଜେନ୍ଦ୍ର କଲେଜ ପାଖ ନିଜ ବାସଭବନରେ ପରଲୋକ ହୋଇଯାଇଛି । ସେ କିଛିଦିନ ହେବ ଅସୁସ୍ଥ ଥିଲେ । ମୃତ୍ୟୁଶଯ୍ୟା ନିକଟରେ ଜ୍ୟେଷ୍ଠକନ୍ୟା ସାମ୍ରାଜ୍ଞୀ ଐଶ୍ୱର୍ଯ୍ୟା, ତାଙ୍କ ସ୍ୱାମୀ ତମାଲ, ସନ୍ଧ୍ୟାଦିଦିଙ୍କ ଅନ୍ୟ ଦୁଇ କନ୍ୟା ସାମ୍ରାଜ୍ଞୀ ସୌନ୍ଦର୍ଯ୍ୟା ଓ ଅଦ୍ୱିତୀୟା, ତିନିଭାଇ ପ୍ରଭାତ, ପ୍ରଦୋଷ ଓ ଶିବାନନ୍ଦ, ଭାଉଜ ସାଧନା, ସାନଭଉଣୀ ନିବେଦିତା ଓ ଭଉଣୀଜ୍ୱାଇଁ ଅଧ୍ୟାପକ ପ୍ରସନ୍ନ ସରକାର, ଝିଆରୀ ପିୟାଲୀ, ପୁତୁରା ଅରୋସିକ ତଥା ବହୁ ଆତ୍ମୀୟସ୍ଵଜନ ବନ୍ଧୁପରିଜନ ଉପସ୍ଥିତ ଥିଲେ । ନବଜୀବନ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ କିଶୋର ବାଗ ଓ ଏହି ଅନୁଷ୍ଠାନର ବହୁ ପୁରାତନ ଛାତ୍ରଛାତ୍ରୀ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଛାତ୍ରାବସ୍ଥାରେ ରାଜେନ୍ଦ୍ର କଲେଜ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ଏକଦା ମହିଳା ଚାମ୍ପିଅନ ହୋଇଥିବା ସନ୍ଧ୍ୟାରାଣୀ ୧୯୮୧ରେ ସମ୍ବଲପୁର ଜିଏମ୍ କଲେଜରୁ ସଂସ୍କୃତରେ ଏମ୍ଏ ପାସ୍ କଲାପରେ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରୁ ସାହିତ୍ୟାଚାର୍ଯ୍ୟ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଇତିହାସରେ ଏମ୍ଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ପ୍ରଥମେ ଅଳ୍ପକାଳ ବଙ୍ଗୋମୁଣ୍ଡାରେ ଶିକ୍ଷକତା କରିଥିଲେ । ୧୯୮୨ରୁ ୩୭ ବର୍ଷ ନବଜୀବନ ବିଦ୍ୟାପୀଠରେ ଶିକ୍ଷକତା କରି ୨୦୧୯ରେ ଅବସର ନେଇଥିଲେ । ତାଙ୍କ ସ୍ୱାମୀ ତଥା ଯୋଗାଣ ବିଭାଗର ଅବସରପ୍ରାପ୍ତ ଏସିଏସ୍ଓ ସୁଖେନ୍ଦୁନାଥ ମିତ୍ରଙ୍କର ୨୦୨୦ରେ ପରଲୋକ ହୋଇଥିଲା । ସୂଚନାଯୋଗ୍ୟ, ସ୍ୱର୍ଗତା ସନ୍ଧ୍ୟାରାଣୀ ରାଜେନ୍ଦ୍ର କଲେଜର ପ୍ରାକ୍ତନ ଗ୍ରନ୍ଥପାଳ ସ୍ୱର୍ଗତ ଡ.ରାଧାଗୋବିନ୍ଦ ଦାସଙ୍କର ଦ୍ୱିତୀୟା କନ୍ୟା ।