- ଗଣ୍ଡ ସମାଜର ସାମଗ୍ରିକ ବିକାଶ ପାଇଁ ଶିକ୍ଷା ହିଁ ଏକମାତ୍ର ବିକଳ୍ପ : ନରସିଂହ
ବଲାଙ୍ଗିର, (କେପିଏନ୍ଏସ୍) : ସଦର ବ୍ଲକ ହର୍ଡାଟାଲ ଗ୍ରାମ ଠାରେ ବଲାଙ୍ଗିର ଜିଲ୍ଲା ଗଣ୍ଡ ସମାଜ ଆନୁକୂଲ୍ୟରେ ଗଣ୍ଡ ସମାଜ ଉଦ୍ଦେଶ୍ୟରେ ଗଣ୍ଡ ଭବନ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ କରକମଳରେ ଶୁଭ ଉଦ୍ଘାଟନ ପୂର୍ବକ ଲୋକାର୍ପଣ ହୋଇଯାଇଛି । ଉଦ୍ଘାଟନୀ ପରବର୍ତ୍ତୀ ସଭାରେ ମୁଖ୍ୟ ଅତିଥି ରୂପେ ଶ୍ରୀ ମିଶ୍ର ଯୋଗଦେଇ ଗଣ୍ଡ ସମାଜର ବିକାଶ ପାଇଁ ଶିକ୍ଷା ହିଁ ଏକମାତ୍ର ବିକଳ୍ପ, ଆଜି ବି ଗଣ୍ଡ ସମାଜ ଅବହେଳିତ ଓ ଲାଂଛିତ ଓ ସବୁ ସମୟରେ ପ୍ରତାରିତ ହୋଇ ଆସିଅଛି, ଅତଏବ ସମାଜରେ ଶିକ୍ଷାର ସଚେତନତା ନିତାନ୍ତ ଜରୁରୀ ସହ ସମସ୍ତେ ଏକଜୁଟ ହୋଇ ନିଜ ହକ ପାଇଁ ଲଢେଇ କରିବାକୁ ପଡିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ସରକାର ସଦା ସର୍ବଦା ଆଦିବାସୀ ଓ ଗଣ୍ଡଙ୍କ ଜମି ଓ ଜଙ୍ଗଲ ଉପରେ ଲୋଲୁପ ଦୃଷ୍ଟି ପକେଇ ଆସିଛି । ଅତଏବ ଆମେ ସମସ୍ତେ ଏକଜୁଟ ହୋଇ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ପଡିବ । ବଲାଙ୍ଗିର ତଥା ବରଗଡ଼ ଜିଲ୍ଲାର ଆଦିବାସୀ ଓ ଗଣ୍ଡ ମାନେ ନିଜ ଜୀବିକା ପାଇଁ ପୁରାତନ କାଳରୁ ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ନିର୍ଭରଶୀଳ କିନ୍ତୁ ବିଡମ୍ବନା ବିଷୟ ଆଜି ସରକାର ଅଦାନୀ ଗ୍ରୁପକୁ ବିକ୍ରି କରିବାର ଚକ୍ରାନ୍ତ କରୁଛନ୍ତି । ତେଣୁ ସମସ୍ତେ ଏହାର ବିରୋଧ କରିବା ଉଚିତ । ଆଜିର ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର କୋଣ ଅନୁକୋଣରୁ ଗଣ୍ଡ ସମ୍ପ୍ରଦାୟରର ଲୋକଙ୍କ ସମାଗମ ହୋଇଥିଲା । ଶତାଧିକ ମହିଳା ପୁରୁଷ ପରମ୍ପରା ମତେ ପ୍ରଥମେ କଳସ ଯାତ୍ରା କରି ନିଜ ଇଷ୍ଟଦେବ ବୁଢାଦେଓଙ୍କ ପୂଜାର୍ଚ୍ଚନା କରିଥିଲେ । ଏହି ପୂଜା କାର୍ଯ୍ୟରେ ତିନି ଦେଓରୁ ସାତ ଦେଓ ପର୍ଯ୍ୟନ୍ତ ପୂଜା କରାଯାଇଥିଲା । କାର୍ଯ୍ୟକ୍ରମରେ ଗଣ୍ଡ ସମ୍ପ୍ରଦାୟର ଶିଶୁ କଳାକାର ମାନଙ୍କ ଦ୍ୱାରା ବିଭିନ୍ନ ନୃତ୍ୟଗୀତ ପରିବେଷଣ ସହ ଉପସ୍ଥିତ ଜନସାଧାରଣଙ୍କ ମନ ମୋହିଥିଲେ । ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜ ପ୍ରେମୀ କର୍ମକତ୍ର୍ତ୍ତା କେନ୍ଦୁଝର ଜିଲ୍ଲା ସଭାପତି ଜନାର୍ଦନ ନାଏକ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନୂଆପଡା ଜିଲ୍ଲା ସମ୍ପାଦକ ଜୟବର୍ଦ୍ଧନ ଧରୁଆ, ବାମଡା ବ୍ଲକ ସଭାପତି କିଶୋର ସିଂ ମହାପାତ୍ର, ନବରଙ୍ଗପୁର ଜିଲ୍ଲା ସଭାପତି ପୁନିତ ଗଣ୍ଡ, ଦଶରଥ ଗଣ୍ଡ, ରାଧାକାନ୍ତ ଭୋଇ, ଅନିତା ଧରୁଆ, ଗଣନାଥ ଧରୁଆ, ପ୍ରାଣବନ୍ଧୁ ନାଏକ, ରାମଚନ୍ଦ୍ର ଧରୁଆଙ୍କ ସହ ଗଣ୍ଡ ସମ୍ପ୍ରଦାୟର ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ମଞ୍ଚ ପରିଚାଳନା କରିଥିଲେ ମହାଦେବ ବଡ଼କା ଏବଂ ହରିବନ୍ଧୁ ଧରୁଆ ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ନିରଞ୍ଜନ ଧରୁଆ ଧନ୍ୟବାଦ ଦେଇଥିଲେ ।