• ଆମ ଶିକ୍ଷକମାନେ ପ୍ରକୃତ କର୍ମଯୋଗୀ – ଧର୍ମେନ୍ଦ୍ର ପ୍ରଧାନ
• ‘ଭାରତୀ ଏୟାରଟେଲ୍ ଫାଉଣ୍ଡେସନ’ ଦ୍ୱାରା ବିକଶିତ ‘ଦ ଟିଚର୍ ଆପ୍’ ପ୍ରଶଂସନୀୟ ପଦକ୍ଷେପ
• “ଶିକ୍ଷକଙ୍କ ଉନ୍ନତିରେ ଭାରତର ଉନ୍ନତି” ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା
• ଦକ୍ଷତା ବିକାଶ ମାଧ୍ୟମରେ ଶିକ୍ଷକମାନଙ୍କୁ ସଶକ୍ତ କରିବ ‘ଦ ଟିଚର୍ ଆପ୍’
• ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରିବା ଭଳି ଗୁଣାତ୍ମକ ବିଷୟବସ୍ତୁ ଶିଖାଇବ
• ଶିକ୍ଷକମାନେ ଭବିଷ୍ୟତର ସୁଯୋଗର ମାନଚିତ୍ର ପ୍ରସ୍ତୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ
ନୂଆଦିଲ୍ଲୀ/ଭୁବନେଶ୍ୱର, (ପିଆଇବି) : ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ଭାରତରେ ଶିଶୁ ଓ ଯୁବବର୍ଗଙ୍କ ଜୀବନଧାରଣରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରୁଥିବା ‘ଭାରତୀ ଏୟାରଟେଲ ଫାଉଣ୍ଡେସନ’ ଦ୍ୱାରା ପ୍ରସ୍ତୁତ ‘ଦ ଟିଚର୍ ଆପ୍’(The Teacher App)ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତୀ ଏଣ୍ଟରପ୍ରାଇଜେସର ଜନହିତକର ଶାଖା ‘ଭାରତୀ ଏୟାରଟେଲ ଫାଉଣ୍ଡେସନ’ ଶିକ୍ଷକମାନଙ୍କ ପାଇଁ ଏକ ପ୍ଲାଟଫର୍ମକୁ ବିକଶିତ କରିଥିବାରୁ ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ । ସୋମବାର ନୂଆଦିଲ୍ଲୀରେ ଏହି ଆପ୍ ଉନ୍ମୋଚନ ଅବସରରେ “ଶିକ୍ଷକଙ୍କ ଉନ୍ନତିରେ ଭାରତର ଉନ୍ନତି” ଶୀର୍ଷକ ବିଷୟବସ୍ତୁ ଉପରେ ସମବେତ ଶିକ୍ଷାବିତ୍ ଓ ବ୍ୟକ୍ତିବିଶେଷଙ୍କୁ ସମ୍ବୋଧିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାକୁ ଏକ ପ୍ରଶଂସନୀୟ ପଦକ୍ଷେପ କହିବା ସହ ନିର୍ଦ୍ଦିଷ୍ଟ ଆପଟି ଅଭିନବ ପାଠ୍ୟକ୍ରମ, ପ୍ରଯୁକ୍ତିବିଦ୍ୟା ଏବଂ କମ୍ୟୁନିଟି ବିଲ୍ଡିଂ କାର୍ଯ୍ୟକ୍ରମ ମାଧ୍ୟମରେ ନିରନ୍ତର ଦକ୍ଷତା ବିକାଶ ମାଧ୍ୟମରେ ଶିକ୍ଷକମାନଙ୍କୁ ସଶକ୍ତ କରିବାରେ ସହାୟକ ହେବ ବୋଲି କହିଛନ୍ତି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଆମ ଶିକ୍ଷକମାନେ ହିଁ ପ୍ରକୃତ କର୍ମଯୋଗୀ । ଶିକ୍ଷକମାନେ ଆମ ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ନେବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରୁଛନ୍ତି । ନବନସୃଜନ ଏବଂ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ନିରନ୍ତର ଦକ୍ଷତା ବିକାଶ ଉପରେ ଭାରତ ସରକାର ଗୁରୁତ୍ୱ ଦେଉଛନ୍ତି । ଜାତୀୟ ଶିକ୍ଷାନୀତି ଅନୁସାରେ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି କରି ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେମାନଙ୍କୁ ବର୍ତ୍ତମାନର ଟେକ୍ନୋଲୋଜି ଦୁନିଆ ସହ ଯୋଡ଼ିବା ଆମର ଲକ୍ଷ୍ୟ ରହିଛି । ଶିକ୍ଷକମାନେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥାନ୍ତି । ଏକବିଂଶ ଶତାବ୍ଦୀରେ ଭାରତ ଆଗକୁ ବଢ଼ୁଥିବା ବେଳେ ଶିକ୍ଷକମାନେ ଭବିଷ୍ୟତର ସୁଯୋଗର ମାନଚିତ୍ର ପ୍ରସ୍ତୁତ କରିବା ଏବଂ ଆମ ଯୁବପିଢ଼ି ଅଭିବୃଦ୍ଧି କାହାଣୀର ନେତୃତ୍ୱ ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ସେ କହିଛନ୍ତି । ଶିକ୍ଷକମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଶୁଭାରମ୍ଭ ହୋଇଥିବା ଏହି ଆପ୍ ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରିବା ଭଳି ଗୁଣାତ୍ମକ ବିଷୟବସ୍ତୁ ଶିଖାଇବ । ଏହି ମୋବାଇଲ ଆପ୍ଲିକେସନରେ କୋର୍ସ, କ୍ଷୁଦ୍ର ଭିଡିଓ, ୱେବିନାର, ଶିକ୍ଷଣ କିଟ୍ ଏବଂ ସବୁ ସ୍ତରର ଶିକ୍ଷକମାନଙ୍କ ପାଇଁ ସମସ୍ତ ପ୍ରାସଙ୍ଗିକ ବିଷୟମାନ ରହିଛି ।