jayashree

ସାମାଜିକ ଅନ୍ତର୍ଭୁକ୍ତୀକରଣ ଏବଂ କ୍ଷୁଧା ଓ ଦାରିଦ୍ର୍ୟ ବିରୋଧରେ ଲଢ଼େଇ ଉପରେ ଜି-୨୦ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ନରେନ୍ଦ୍ର ମୋଦୀ ‘ସାମାଜିକ ଅନ୍ତର୍ଭୁକ୍ତୀକରଣ ଏବଂ କ୍ଷୁଧା ଏବଂ ଦାରିଦ୍ର୍ୟ ବିରୋଧରେ ଲଢ଼େଇ’ ଶୀର୍ଷକ ଜି-୨୦ ଶିଖର ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ବ୍ରାଜିଲ ରାଷ୍ଟ୍ରପତି ମହାମହିମ ଲୁଇସ ଇନାସିଓ ଲୁଲା ଡା ସିଲଭାଙ୍କୁ ଶିଖର ସମ୍ମିଳନୀ ଆୟୋଜନ କରିଥିବାରୁ ଏବଂ ତାଙ୍କର ଉଦାର ଆତିଥ୍ୟ ପାଇଁ ଧନ୍ୟବାଦ ଜଣାଇଥିଲେ । ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ଉପରେ ଗୁରୁତ୍ୱ ଦେଇ ବ୍ରାଜିଲର ଜି-୨୦ ଏଜେଣ୍ଡାକୁ ସେ ପ୍ରଶଂସା କରି କହିଥିଲେ ଯେ ଏହି ଆଭିମୁଖ୍ୟ ଗ୍ଲୋବାଲ୍ ସାଉଥ ବା ବିକାଶଶୀଳ ସମସ୍ୟାଗୁଡିକ ଉପରେ ଆଲୋକପାତ କରିଛି ଏବଂ ନୂଆଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀର ଲୋକାଭିମୁଖୀ ନିଷ୍ପତ୍ତିକୁ ଆଗେଇ ନେଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ଜି-୨୦ ଅଧ୍ୟକ୍ଷତାରେ ‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’ ଆହ୍ୱାନ ରିଓ ଆଲୋଚନାରେ ପ୍ରତିଫଳିତ ହେଉଛି । କ୍ଷୁଧା ଓ ଦାରିଦ୍ର୍ୟ ମୁକାବିଲା ପାଇଁ ଭାରତର ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଭାରତ ଗତ ଦଶ ବର୍ଷ ମଧ୍ୟରେ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ବାହାର କରିଛି ଏବଂ ଦେଶର ୮୦୦ ନିୟୁତ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ବଣ୍ଟନ କରୁଛି । ଖାଦ୍ୟ ନିରାପତ୍ତା ମୁକାବିଲାରେ ଭାରତର ସଫଳତା ବିଷୟରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ‘ମୌଳିକତାକୁ ଫେରିବା ଓ ଭବିଷ୍ୟତ ଦିଗରେ ଅଗ୍ରସର ହେବା’ ଉପରେ ଆଧାରିତ ଏହାର ଆଭିମୁଖ୍ୟର ପରିଣାମ ଦେଖିବାକୁ ମିଳୁଛି । ମହିଳାଙ୍କ ନେତୃତ୍ୱାଧୀନ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ଗ୍ରହଣ କରିଥିବା ପଦକ୍ଷେପ ବିଷୟରେ ସେ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ । ଆଫ୍ରିକା ଏବଂ ଅନ୍ୟାନ୍ୟ ସ୍ଥାନରେ ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଭାରତ ଗ୍ରହଣ କରିଥିବା ପଦକ୍ଷେପ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ କ୍ଷୁଧା ଏବଂ ଦାରିଦ୍ର୍ୟ ବିରୋଧରେ ଏକ ବିଶ୍ଵସ୍ତରୀୟ ମେଂଟ ପ୍ରତିଷ୍ଠା ପାଇଁ ବ୍ରାଜିଲର ପଦକ୍ଷେପକୁ ସ୍ୱାଗତ କରିଥିଲେ ଏବଂ ଦର୍ଶାଇଥିଲେ ଯେ ଚାଲିଥିବା ସଂଘର୍ଷ ଦ୍ୱାରା ସୃଷ୍ଟି ହୋଇଥିବା ଖାଦ୍ୟ, ଇନ୍ଧନ ଓ ସାର ସଙ୍କଟ କାରଣରୁ ଦକ୍ଷିଣ ବିଶ୍ୱ ଗୁରୁତର ଭାବରେ ପ୍ରଭାବିତ ହୋଇଛି ଏବଂ ତେଣୁ ସେମାନଙ୍କ ଚିନ୍ତାକୁ ପ୍ରାଥମିକତା ଦିଆଯିବା ଉଚିତ୍ ।

Leave A Reply

Your email address will not be published.