ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଜାଉ ଖାଇ ୨ ମୃତ୍ୟୁ ୬ ଗୁରୁତର ଘଟଣାରେ ଆଉ ଜଣଙ୍କ କଟକରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତକ ହେଲେ ଜିତା ମାଝୀ ବୋଲି ଜଣାପଡିଛି । ଚଳିତ ମାସ ୧ରେ ଜିତା ମାଝୀଙ୍କ ସମେତ ୮ ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ନିଆଯାଇଥିଲା । ତେବେ ବାଟରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବ୍ରହ୍ମପୁର ମେଡିକାଲରେ ଜଣଙ୍କ ମୃତ୍ୟୁ ହୋଇଥିଲା ଘଟଣାରେ ସେହି ସମୟରେ ୨ ମୃତ୍ୟୁ ଓ ୬ ଗୁରୁତର ରହିଥିଲେ । ସେହିପରି ୬ ଗୁରୁତରଙ୍କୁ ବ୍ରହ୍ମପୁରରେ ଚିକିତ୍ସାଧୀନ ଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତରଙ୍କୁ କଟକ ଏସ୍ସିବିରେ ଭର୍ତ୍ତି କରାଯିବା ସହ ଚିକିତ୍ସା କରାଯାଉଥିଲା ୨ ଜଣଙ୍କ ମଧ୍ୟରୁ ଜିତାଙ୍କ କିଡ଼ନୀ ଜନିତ ରୋଗରେ ସୋମବାର ଅପରାହ୍ନରେ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ କହିଛନ୍ତି । ଜିତାଙ୍କ ମର ଶରୀର ମାଣ୍ଡିପଙ୍କାକୁ ଅଣାଯିବା ପାଇଁ ବ୍ୟବସ୍ଥା କରାଯାଉଥିବା ନେଇ ବିଡ଼ିଓ ଏବଂ ସରପଞ୍ଚ କୁମାରୀ ମଲ୍ଲିକଙ୍କ ସହ କଥାବାର୍ତ୍ତା ହୋଇଥିବା ବିଡ଼ିଓ କହିଛନ୍ତି । ସୂଚନାଯୋଗ୍ୟ ଯେ, ମାଣ୍ଡିପଙ୍କା ଗ୍ରାମରେ ସାଧାରଣ ବଣ୍ଟନ ଚାଉଳ ସଠିକ ସମୟରେ ନମିଳିବା ଯୋଗୁଁ ଭୋକ ପାଇଁ ଆମ୍ବ ଟାକୁଆ ଖାଇଥିବା ଅଭିଯୋଗ ହୋଇଥିଲା । ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମାଣ୍ଡିପଙ୍କା ଗ୍ରାମରେ ପହଞ୍ଚି ସରକାରଙ୍କୁ ଘେରିଥିଲେ । କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ରୁତୁରାଜ ବିଡ଼ିଓ, ତହସିଲଦାର, ବ୍ଲକ ଅଧ୍ୟକ୍ଷ ପ୍ରମୁଖ ମାଣ୍ଡିପଙ୍କାରେ ପହଞ୍ଚି ଲୋକଙ୍କ ଦମସ୍ୟାର ସମାଧାନ ପାଇଁ ପ୍ରୟାସ କରୁଥିବା ବେଳେ ସୋଲାର ପମ୍ପରେ ଜଳ ଯୋଗାଣ, ପେଭେରବ୍ଲକ ରାସ୍ତା ର୍ନିମାଣ ଆଦି କାର୍ଯ୍ୟ କରିଛନ୍ତି । ରାଜ୍ୟ ସରକାର ମଧ୍ୟ ଘଟଣାକୁ ନେଇ ଗୁରୁତ୍ୱ ଦେବା ସହ ଦକ୍ଷିଣାଞ୍ଚଳ ଆରଡିସିଙ୍କୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏହାର ଆରଡିସି ସ୍ତରୀୟ ତଦନ୍ତ ଚାଲିଛି ।