ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ତଦନ୍ତ ମାମଲା : ରାଜ୍ୟ ସରକାର ଭୂଆଁ ବୁଲାଇଦେଲେ, ହାଇକୋର୍ଟଙ୍କ ପର୍ୟ୍ୟବେକ୍ଷଣରେ ଏସ୍‌ଆଇଟି ତଦନ୍ତ ପାଇଁ ମାନ୍ୟବର ହାଇକୋର୍ଟଙ୍କୁ ମିଳିନାହିଁ ସରକାରଙ୍କ ନିବେଦନ ପତ୍ର : ହାଇକୋର୍ଟ ମନିଟରିଂ ଏସ୍‌ଆଇଟି ନୁହେଁ

ସୂଚନା ଅଧିକାର ଆଇନ ଯୋଗେ ମିଳିଲା ତଥ୍ୟ : କଂଗ୍ରେସର ଐତିହାସିକ ସଫଳତା ଦାବୀ ବିଫଳତାରେ ପରିଣତ – ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟର ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ତଦନ୍ତ ମାମଲା ଓଡିଶା ହାଇକୋର୍ଟଙ୍କ ପର୍ୟ୍ୟବେକ୍ଷଣରେ ମନିଟରିଂ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । ହାଇକୋର୍ଟରେ କାର୍ୟ୍ୟରତ ଜଣେ ମାନ୍ୟବର ବିଚାରପତିଙ୍କ ତତ୍ୱାବଧାନରେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ତଦନ୍ତ କରିବେ ବୋଲି ସରକାର କହିଥିଲେ । ରାଜ୍ୟ ସରକାର ଉଚ୍ଚ ନ୍ୟାୟାଳୟର ତତ୍ୱାବଧାନରେ ତଦନ୍ତ ହେବା ଘୋଷଣା କରିବା ପରେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ମାନ୍ୟବର ହାଇକୋର୍ଟଙ୍କୁ ପତ୍ର ଲେଖିଥିବା କଥା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ନ୍ୟାୟାଳୟ ଉପରେ ଅସ୍ଥା ଓ ବିଶ୍ୱାସ ଯୋଗୁଁ ଏହି ଜଘନ୍ୟ ହତ୍ୟା ଘଟଣାର ସତ୍ୟତା ଲୋକଲୋଚନକୁ ଅସିବ ବୋଲି ଜନସାଧାରଣ ଆଶା କରିଥିଲେ । ରାଜ୍ୟ ସରକାରଙ୍କ ଏହି ଘୋଷଣାକୁ ରାଜ୍ୟ ବିଜେପି ଗ୍ରହଣ ନକରି ସିବିଆଇ ତଦନ୍ତ ଦାବୀରେ ଅଟଳ ରହିଥିବା ବେଳେ କଂଗ୍ରେସ ନେତାମାନେ ଏହାକୁ ଐତେିହାସିକ ସଫଳତା ବୋଲି ବର୍ଣ୍ଣନା କରିଥିଲେ । ଏହି ସମ୍ବେଦନଶୀଳ ଘଟଣାର ସତ୍ୟତା ଜାଣିବା ପାଇଁ ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ମାନ୍ୟବର ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜେନେରାଲଙ୍କ କାର୍ୟ୍ୟାଳୟକୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ପ୍ରଦାନ କରିବା ପାଇଁ ନିବେଦନ କରିଥିଲେ । ମାନ୍ୟବର ହାଇକୋର୍ଟଙ୍କ ଅତିରିକ୍ତ ଡେପୁଟି ରେଜିଷ୍ଟ୍ରାର ତଥା ଜନସୂଚନା ଅଧିକାରୀ ବି. ଦାଶଙ୍କ କାର୍ୟ୍ୟାଳୟରୁ ଚିଠି ନଂ.ଆରଟିଆଇ-୧୩/୨୦୨୦/୧୦୬ ତା- ୬/୦୧/୨୧ଯୋଗେ ପଣ୍ଡାଙ୍କୁ ପ୍ରଦାନ କରାଯାଇଥିବା ତଥ୍ୟରୁ ଜଣାଯାଇଛି ଯେ, ନୟାଗଡ ଜି୍‌ଲାର ନାବାଳିକା ଝିଅ ପରୀ ହତ୍ୟାକାଣ୍ଡର ଏସ୍‌ଆଇଟି ତଦନ୍ତ ଜଣେ କାର୍ୟ୍ୟରତ ବିଚାରପତିଙ୍କ ତତ୍ୱାବଧାନରେ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରୁ କୌଣସି ନିବେଦନ ପତ୍ର ମାନ୍ୟବର ହାଇକୋର୍ଟଙ୍କ ହସ୍ତଗତ ହୋଇନାହିଁ ଏବଂ ଯେହେତୁ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ନିବେଦନ ପତ୍ର ମିଳି ନାହିଁ, ଏ ଦିଗରେ କୌଣସି କାର୍ୟ୍ୟାନୁଷ୍ଠାନ ନିଅଯିବା ପ୍ରଶ୍ନ ଉଠୁନାହିଁ ବୋଲି ତଥ୍ୟ ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ନିବେଦନ ପତ୍ର ଉପରେ ହାଇକୋର୍ଟ ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ସୂଚନା କର୍ମୀ ପଣ୍ଡା ମାଗିଥିବା ତଥ୍ୟକୁ ନେଇ ଏହି ସୂଚନା ପ୍ରଦାନ କରାଯାଇଛି । ତେଣୁ ଏହି ତଥ୍ୟରୁ ବର୍ତ୍ତମାନ ସ୍ପଷ୍ଟ ହୋଇଛି ଯେ, ପରୀ ହତ୍ୟାକାଣ୍ଡ ପାଇଁ ତଦନ୍ତ କରୁଥିବା ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ କୋର୍ଟ ମନିଟରିଂ ନୁହେଁ । ପରୀକୁ ନ୍ୟାୟ ଦେବା ପାଇଁ ଗଣତନ୍ତ୍ରର ମନ୍ଦିର ସାମ୍ମୁଖରେ ପରୀ ବାପା ମା’ଙ୍କ ଶେଷ ଚେଷ୍ଟା ବିଫଳ ହୋଇଛି ଏବଂ ଏହା ଗଣତନ୍ତ୍ର ପାଇଁ ଅଦୌ ଶୁଭଙ୍କର ଘଟଣା ନୁହେଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଜଣେ କାର୍ୟ୍ୟରତ ମନ୍ତ୍ରୀଙ୍କ ବିରୋଧରେ ପରୀ ବାପ ମା’ ଅଭିଯୋଗ ଆଣୁଛନ୍ତି ଏବଂ ସରକାରୀ କର୍ମଚାରୀମାନଙ୍କ ଦ୍ୱାରା ତଦନ୍ତ କରାଗଲେ କେମିତି ନ୍ୟାୟ ମିଳିବ ବୋଲି ପଣ୍ଡା ପ୍ରଶ୍ନ କରିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ପରୀ ହତ୍ୟାକାଣ୍ଡ ଘଟଣାରେ ନ୍ୟାୟ ଦାବୀ କରି ପରୀର ମା’ ଓ ବାପା ବିଧାନସଭା ଅଧିବେଶନ ଚାଲିଥିବା ସମୟରେ ବିଧାନସଭା ସମ୍ମୁଖରେ ଆତ୍ମହୁତି ଉଦ୍ୟମ କରିଥିଲେ । ଏହି ଘଟଣାକୁ ନେଇ ବିଧାନସଭା ହୁଲସ୍ତୁଲ ହୋଇଥିଲା । ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଉତ୍ତର ରଖି ସରକାର ହାଇକୋର୍ଟରେ କାର୍ୟ୍ୟରତ ଜଣେ ମାନ୍ୟବର ବିଚାରପତିଙ୍କ ତତ୍ୱାବଧାନରେ ଏସ୍‌ଆଇଟି ତଦନ୍ତ କରିବ ବୋଲି ଘୋଷଣା କରିଥିଲେ । କିନ୍ତୁ ମାନ୍ୟବର ହାଇକୋର୍ଟ ବର୍ତମାନ ପର୍ୟ୍ୟନ୍ତ ସରକାରଙ୍କ ଅନୁରୋଧ ପତ୍ର ପାଇନଥିବା କଥାରୁ ସ୍ପଷ୍ଟ ଜଣାପଡିଛି ଯେ, ଗଣତନ୍ତ୍ରର ମନ୍ଦିରରେ ସରକାର ଦେଇଥିବା ପ୍ରତିଶୃତି କେତଦେୁର ପାଳନ କରାଯାଇଛି । ସରକାରଙ୍କ ଏହି ପଦକ୍ଷେପକୁ କଂଗ୍ରେସ ଦଳ ସ୍ୱାଗତ କରି ଏହାକୁ ଐତିହାସିକ ସଫଳତା ଭାବେ ବର୍ଣ୍ଣନା କରିଥିଲା ଏବଂ ପରୀର ମା’ ବାପା ଅଭିଯୋଗ ଆଣିଥିବା ମନ୍ତ୍ରୀଙ୍କ ଇସ୍ତଫାର କୌଣସି ପ୍ରୟୋଜନ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଥିଲା । କିନ୍ତୁ ହାଇକୋର୍ଟଙ୍କ ପ୍ରଦତ୍ତ ତଥ୍ୟ ଅଧାରରେ ଶ୍ରୀ ପଣ୍ଡା ବଲାଙ୍ଗିରରେ ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, କଂଗ୍ରେସ ନେତାମାନଙ୍କ ଏହି ଐତିହାସିକ ସଫଳତା ଦାବୀ ହାଇକୋର୍ଟଙ୍କ ତଥ୍ୟ ସାର୍ବଜନୀନ ହେବା ପରେ ଏକ ଐତିହାସିକ ବିଫଳତାରେ ପରିଣତ ହୋଇଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ଏହାର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରୀ ପଣ୍ଡା ଦାବୀ କରିଛନ୍ତି ।

Leave A Reply

Your email address will not be published.