centurian jitm

ବିଇଓ ଅଫିସରେ କାନ୍ଦି କାନ୍ଦି ଛାତ୍ରଛାତ୍ରୀଙ୍କ ପ୍ରତିବାଦ : ବ୍ଲକସ୍ତରୀୟ ସୁରଭିର ସାଂସ୍କୃତିକ କାର୍ଯ୍ୟକ୍ରମ ସ୍କୁଲ ଚୟନରେ ପାତରଅନ୍ତର ଅଭିଯୋଗ

nschool
  • ଚଣାବାହାଲ ସ୍କୁଲ ଛାତ୍ରଛାତ୍ରୀ ବିଇଓଙ୍କ ଦ୍ୱାରସ୍ଥ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭିର ସାଂସ୍କୃତିକ କାର୍ଯ୍ୟକ୍ରମ ସ୍କୁଲ ଦଳ ଚୟନରେ ପାତରଅନ୍ତର କରାଯାଇଥିବା ଅଭିଯୋଗ କରି ଚଣାବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ବ୍ଲକ ବିଇଓଙ୍କ ଦ୍ୱାରସ୍ଥ ହୋଇ ଏକ ଦାବିପତ୍ର ଦେଇଥିବା ବେଳେ ବିଇଓ ଅଫିସରେ କାନ୍ଦି କାନ୍ଦି ପ୍ରତିବାଦ କରିଥିବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀଙ୍କ ଅଭିଯୋଗ ମୁତାବକ ସେମାନେ ଗତ ୨୬/୦୯ରେ ବଡସାଇମରା କ୍ଳଷ୍ଟରସ୍ତରୀୟ ସୁରଭିରେ ପ୍ରଥମ ହୋଇ ଗତ ୨୧/୧୦ରେ ପଞ୍ଚାୟତି ହାଇସ୍କୁଲରେ ଅନୁଷ୍ଠିତ ବ୍ଲକସ୍ତରୀୟ ସୁରଭିରେ ଯୋଗ ଦେଇଥିଲେ । ସୁରଭିର ସାଂସ୍କୃତିକ କାର୍ଯ୍ୟକ୍ରମର ସମସ୍ତ ପ୍ରକାରର ଗାଇଡ୍‌ଲାଇନ୍‌ ପାଳନ କରି ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ଲୋକନୃତ୍ୟ ପରିବେଷଣ କରିଥିଲେ । କିନ୍ତୁ ଫଳାଫଳ ଆସିଲା ପରେ ଦେଖିବାକୁ ମିଳିଲା ଯେ, ଯେଉଁ ସ୍କୁଲ ଦଳ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସେମାନେ ସୁରଭି ଗାଡଲାଇନ ବାହାର ବିଷୟବସ୍ତୁ ଚୟନ କରିବା ସହ ୬ ଜଣ ବଦଳରେ ୮ ଜଣ ଅଂଶଗ୍ରହଣ କରିଥିଲେ । ସେମାନଙ୍କୁ ବିଚାରକମାନେ ପକ୍ଷପାତ କରି ପ୍ରଥମ ସ୍ଥାନ ଅଧିକାର ଦେଇଥିବା ବେଳେ ଆମ ଚଣାବାହାଲ ସ୍କୁଲକୁ ଦ୍ଵିତୀୟ ସ୍ଥାନ ଦିଆଯାଇ ଏଥିରୁ ବଞ୍ଚିତ କରାଯାଇଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ । ବିଚାରକଙ୍କୁ ପଚାରିଲେ ସେମାନେ ଆମେ ସମ୍ପୁର୍ଣ୍ଣ ଗାଇଡଲାଇନ ସମ୍ପର୍କରେ କିଛି ଜାଣିନାହୁଁ ବୋଲି କୁଆଡେ କହିଥିଲେ । ଏହାପରେ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ପୁଣି ଚଣାବାହାଲ ସ୍କୁଲକୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଥିବା ବେଳେ ଛାତ୍ରଛାତ୍ରୀ ଜୋରଦାର ପ୍ରସ୍ତୁତିରେ ଲାଗିପଡ଼ିଥିଲେ।କିନ୍ତୁ ଗତ ୩୦/୧୦ରେ ପ୍ରଧାନଶିକ୍ଷକଙ୍କ ଜରିଆରେ ପୁଣି ଏହି ସ୍କୁଲକୁ ଦ୍ୱିତୀୟ ସ୍ଥାନରେ ରଖାଯାଇଥିବା ଓ ପୂର୍ବରୁ ପ୍ରଥମ ହୋଇଥିବା ସ୍କୁଲକୁ ପ୍ରଥମ କରି ଜିଲ୍ଲାସ୍ତରୀୟ ସୁରଭିକୁ ପଠାଯାଇଥିବା ଜାଣିପାରିଥିଲେ । ଏଣୁ ଏହି ପାତରଅନ୍ତରରେ ବିଇଓ, ୨ ଏବିଇଓ, ୨ ବିଚାରକ ଓ ଶିକ୍ଷାବିଭାଗର ଭୂମିକା ସନ୍ଦେହ ଘେରରେ ଥିବା ବେଳେ ଛାତ୍ରଛାତ୍ରୀ ମାନସିକ ନିର୍ଯାତନା ଓ ଚାପରେ ଥିବା ସେମାନେ ଅଭିଯୋଗ କରିଥିଲେ । ଏହା ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ମଧ୍ୟ ବାଧା ସୃଷ୍ଟି ହେଉଥିବା ବେଳେ ତୁରନ୍ତ ଜିଲ୍ଲାସ୍ତରୀୟ ସୁରଭି ପୂର୍ବରୁ ଏହାର ସମାଧାନ କରିବାକୁ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଦାବୀ କରିଥିଲେ । ଦାବିପତ୍ରକୁ ଉପସ୍ଥିତ ବ୍ଲକ ଏବିଇଓ କାନ୍ତାରାମ୍ ଧରୁଆ ଗ୍ରହଣ କରି ବିଇଓଙ୍କ ସହ ଆଲୋଚନା କରି ଆସନ୍ତା କାଲି ସମସ୍ତଙ୍କୁ ଡାକି ସମାଧାନ କରାଯିବ ବୋଲି ପ୍ରକାଶ କରିଥିଲେ । ବିଇଓ ଶାନ୍ତନୁ କୁମାର ପଢ଼ିହାରୀ ବିଚାରକଙ୍କ ନିଷ୍ପତ୍ତି ସର୍ବମାନ୍ୟ ଅଟେ ଏହାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ପ୍ରକାଶ କରିଛନ୍ତି । ଏସମ୍ପର୍କରେ ଉପସ୍ଥିତ ଥିବା ଇଚ୍ଛାପଡ଼ା ସମତି ସଭ୍ୟ ତୋଫାନ ନାଗ ଶିକ୍ଷା ବିଭାଗର ଦାୟିତ୍ୱହୀନତାକୁ ତୀବ୍ର ସମାଲୋଚନା କରିଥିଲେ । ଚଣାବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ବର୍ଷା କୁମ୍ଭାର, ମୁଷ୍କାନ୍ ସୁନା, ଚାନ୍ଦିନୀ ଛୁରା, ପୁଷ୍ପା ବଏ, ପ୍ରିୟଙ୍କା ପଧାନ, ବୈଷ୍ଣବୀ ମୁଗ୍ରିଙ୍କ ସହ ଭ୍ରମରାଜ କୁମ୍ଭାର, ମଦନ ଦୀପ, ପ୍ରତିମା ବାଗ, ଦ୍ରୋପଦି ସୁନା, ବିନୋଦିନୀ ସୁନା, ବାସନ୍ତୀ ବଏ ଓ ବାବୁ ବାଗ ପ୍ରମୁଖ ଅଭିଭାବକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.

error: Content is protected !!