ଦୁର୍ଗାପୂଜା ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବୈଠକ ଆଜି ଅପରାହ୍ନ ସମୟରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରୀ, ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ, ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖେତ୍ରି, ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ ପଟେଲ ଉପସ୍ଥିତ ଥିଲେ । ତାଙ୍କ ସମେତ ବିଭିନ୍ନ ପୂଜା କମିଟିର ସଦସ୍ୟ, ପୋଲିସ, ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ସମସ୍ତ ନିୟମାବଳୀ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ସମୟ ମଧ୍ୟରେ ଆଇନଶୃଙ୍ଖଳା ଏବଂ ଟ୍ରାଫିକ୍‌ ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଛି । ଭସାଣୀ ଯାତ୍ରା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସାରିବାକୁ ଏବଂ ଡି. ଜେ ମ୍ୟୁଜିକ୍‌ ସିଷ୍ଟମ୍‌ ଓ ଲେଜର ଲାଇଟ୍‌ ଉପରେ କଟକଣା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ନିର୍ଦ୍ଧାରିତ ସମୟରେ ଏହାକୁ ଆରମ୍ଭ ଓ ଶେଷ କରିବା, ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ, ରାସ୍ତାଘାଟ୍‌ ମରାମତି, ମାଦକ ଦ୍ରବ୍ୟ ନିଷେଧ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ସମ୍ପର୍କରେ ଏହି ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା । ସମସ୍ତ ପୂଜା ମଣ୍ଡପକୁ ଜରୁରୀକାଳୀନ ପ୍ରାଥମିକ ମେଡିକାଲ କିଟ୍‌ ରଖିବାକୁ ଅନୁରୋଧ କରାଯାଇଥିଲା । ଖାଦ୍ୟର ମାନ ଯାଞ୍ଚ ଏବଂ ସଫାସୁତୁରାକୁ ଧ୍ୟାନ ଦେବାକୁ ଅଧିକାରୀମାନଙ୍କୁ କୁହାଯାଇଥିଲା । ସମସ୍ତ ପ୍ରମାଣୀକରଣ କରେଇନେବାକୁ ଅନୁରୋଧ କରାଯାଇଥିଲା । ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ବ୍ୟବହାର ଏବଂ ପଲିଥିନ୍‌ ବଦଳରେ ପରିବେଶକୁ ସୁହାଉଥିବା ଦ୍ରବ୍ୟ ବ୍ୟବହାର କରିବାକୁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଥିଲା । ବ୍ୟବହୃତ ମାଇକ୍‌ ସିଷ୍ଟମରେ ଶବ୍ଦର ତୀବ୍ରତା ୬୫ ଡେସିବଲ ମଧ୍ୟରେ ସୀମିତ ରହିବ ଏବଂ ଏହାର ଉଲ୍ଲଂଘନ ହେଲେ ଆଇନ ଅନୁଯାୟୀ ପଦେକ୍ଷପ ନିଆଯିବ । ମେଢ଼ ଗୁଡ଼ିକରେ ସି.ସି.ଟି.ଭି ଲଗାଇବା ପାଇଁ ପୂଜା କମିଟି ସଦସ୍ୟମାନଙ୍କୁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି । ଆସନ୍ତା ଦୁର୍ଗାପୂଜାକୁ ଆନନ୍ଦ ଉଲ୍ଲାସ ତଥା ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ ପ୍ରଶାସନ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.