ସପ୍ତଦଶ ସର୍ବଶ୍ରୀ ସ୍ଵନକ୍ଷତ୍ର ଉତ୍ସବ -୨୪

  • ‘ବସୁଧୈବ କୁଟୁମ୍ବକମ୍ ଓ ସର୍ବେ ଭବନ୍ତୁ ସୁଖିନଃ’ ବିଶ୍ୱକୁ ଭାରତୀୟ ସାହିତ୍ୟର ଶ୍ରେଷ୍ଠ ଅବଦାନ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭାରତୀୟ ସାହିତ୍ୟ ଯୁଗେ ଯୁଗେ ବିଶ୍ୱକୁ ଶ୍ରେଷ୍ଠ ଉପହାର ଦେଇଆସିଛି । ବେଦ, ରାମାୟଣ, ଭାଗବତ ଗୀତା ଭଳି ଅନନ୍ୟ ଗ୍ରନ୍ଥ ମାନବିକତାର ବାର୍ତ୍ତା ଦେଇ ଆସୁଛନ୍ତି । କବି ସମ୍ବେଦନଶୀଳତାର ଭକ୍ତ । ସାମ୍ପ୍ରତିକ ସମୟରେ ସାହିତ୍ୟ ହିଁ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଅଗ୍ର ଭୂମିକା ନେଇ ପାରିବ ବୋଲି ସାହିତ୍ୟ ପାଇଁ ସମର୍ପିତ ସର୍ବଶ୍ରୀ ସଵାଖିଆ ସାହିତ୍ୟ ସଂସଦର ସପ୍ତଦଶ ସ୍ଵନକ୍ଷତ୍ର ଦିବସ ଅବସରରେ ଅତିଥି ବକ୍ତାଗଣ ମତ ପ୍ରକାଶ କରିଥିଲେ । ବ୍ରହ୍ମାନନ୍ଦ ସାମଲଙ୍କ ପୌରୋହିତ୍ୟରେ ଭବାନୀପାଟଣା ଅମଲା ଭବନଠାରେ ଅନୁଷ୍ଠିତ ଏଇ ସର୍ବଶ୍ରୀ ଶବ୍ଦ ଉତ୍ସବକୁ ଅତିରିକ୍ତ ଜିଲ୍ଲାପାଳ, କଳାହାଣ୍ଡି ତନ୍ମୟ କୁମାର ଦରୁୱାନ ଉଦ୍‌ଘାଟନ କରିଥିବାବେଳେ ବରିଷ୍ଠ ରାଷ୍ଟ୍ରବାଦୀ ସାହିତ୍ୟିକ ବିରଞ୍ଚି ନାରାୟଣ ପଣ୍ଡା ଓ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ଓଡିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପକ ଡୋଳାମଣି ଧରୁଆ ଅତିଥି ବକ୍ତା ଭାବେ ଯୋଗ ଦେଇଥିଲେ । ଦିବଂଗତ ସାହିତ୍ୟିକଙ୍କୁ ବୈଦିକ ମନ୍ତ୍ର ଧ୍ୱନିରେ ଦୀପଦାନ ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଯୁବଶିଳ୍ପୀ ସୁନନ୍ଦା ମିଶ୍ର ସର୍ବଶ୍ରୀ ସଂଗୀତ ପରିବେଷଣ କରିଥିବାବେଳେ ଉପସଭାପତି ଡ. ନୀରଦ ଚନ୍ଦ୍ର କହଁର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ । ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ସାହିତ୍ୟ ପତ୍ରିକା ‘ଦୀପ୍ତିସୁଧା’ ଓ ବ୍ରହ୍ମାନନ୍ଦ ସାମଲଙ୍କ ଗଳ୍ପ ସଂକଳନ ‘ଧୂସର ଦୃଷ୍ଟି’ଲୋକାର୍ପିତ ହୋଇଥିଲା । ସାହିତ୍ୟ ସାଧନା ପାଇଁ ବରିଷ୍ଠ ସାହିତ୍ୟିକ ସୀମାଞ୍ଚଳ ନାଗଙ୍କୁ ‘ସର୍ବଶ୍ରୀ ସାହିତ୍ୟ ସମ୍ମାନ-୨୪ ଓ ନୂଆପଡା ଜିଲ୍ଲା, ତୁକୁଲା ଗ୍ରାମର ଧନେଶ୍ୱର ବାରିକଙ୍କୁ ସର୍ବଶ୍ରୀ ପାଠକ ସମ୍ନାନ-୨୪’ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଯୁବକବି ପ୍ରଶାନ୍ତ ଦାଶ ମଞ୍ଚ ସଂଯୋଜନା କରିଥିବାବେଳେ ଯୁବ ପ୍ରତିଭା ପ୍ରତାପ ଚନ୍ଦ୍ର ପଣ୍ଡା, କାଜଲ ମହାରଣା, ରଚିତା ମେହେର, ପ୍ରାଞ୍ଜଳ ଠାକୁର, ଦୀପକ ଦାଶ, ଦୀପ୍ତି ମୁଣ୍ଡ, ସୁଦେଷ୍ଣା ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମ୍ପାଦକ ବିରଞ୍ଚି ନାରାୟଣ ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଜିଲ୍ଲା ସ୍ତରୀୟ ଶବ୍ଦ ଉତ୍ସବରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା ଶତାଧିକ ସାରସ୍ୱତ ସାଧକ ଯୋଗ ଦେଇଥିଲେ ।

Leave A Reply

Your email address will not be published.