କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଲଲିପପ୍ : ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁପତ୍ର ତୋଳାଳୀ ଶ୍ରମିକ ମାନଙ୍କୁ ଏକ ଲଲିପପ୍ ଧରାଇ ଦେଇଛନ୍ତି ବୋଲି ବିଜେପିର ପୂର୍ବତନ ବିଧାୟକ ତଥା କେନ୍ଦୁପତ୍ର ଶ୍ରମିକ ନେତା ପ୍ରଦୀପ ପୁରୋହିତ ଗୁରୁତର ଅଭିଯୋଗ କରିଛନ୍ତି । ସେ କହିଛନ୍‌ନ୍ତି ଯେ, କେନ୍ଦୁପତ୍ର ତୋଳାଳୀ, ଗୁଛା କଟାଳୀ,ବନ୍ଧେଇ ଶ୍ରମିକ, ସିଜିନାଲ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ରାଜ୍ୟ ସରକାର ଚଳିତ ବର୍ଷ କେନ୍ଦୁପତ୍ର ସଂସ୍ଥାରୁ ୪ଶହ କୋଟି ଟଙ୍କା ଲାଭ ପାଇଛନ୍ତି ଓ ବତ୍ତର୍ମାନ ଗଛିତ ଥିବା ପତ୍ର ବିକ୍ରି ହେଲେ ଆଉ ପାଖାପାଖି ୧୫୦ କୋଟି ଟଙ୍କା ସରକାର ଲାଭ ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ପେସା ଆଇନ ଲାଗୁ ହେବା ପରେ ଜଙ୍ଗଲ ଜାତ ଦ୍ରବ୍ୟର ଅଧିକାର ପେସା ଆଇନ ଅନୁଯାୟୀ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ଆଦିବାସୀ ପରିବାରଙ୍‌ଙ୍କ ସଂପୂର୍ଣ୍ଣ ଅଧିକାର ଥିବା ସତ୍ତ୍ବେ ରାଜ୍ୟ ସରକାର ଲାଭାଂଶର ଶତ ପ୍ରତିଶତ ବୋନସ୍ ଦେବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ତୋଳାଳୀ ଓ ଶ୍ରମିକମାନଙ୍କୁ ମାତ୍ର ୯୨,୩୭ କୋଟି ଟଙ୍କା ବୋନସ ଦେବା ଘୋଷଣା କରିବା ଅତ୍ୟନ୍ତ ହାସ୍ୟାସ୍ପଦ । ଦେଶର କେନ୍ଦୁପତ୍ର ଉତ୍ପାଦିତ ହେଉଥିବା ଅନ୍ୟ ରାଜ୍ୟ ସରକାର ମାନେ କେନ୍ଦୁପତ୍ର ଲାଭାଂଶରୁ ଶତ ପ୍ରତିଶତ ବୋନସ ଦେଉଥିବା ବେଳେ ଓଡିଶା ସରକାର କେନ୍ଦୁପତ୍ର ଲାଭାଂଶର ଅର୍ଥକୁ ନିଜ ରାଜକୋଷରେ ରଖି ଅନ୍ୟ ଦିଗରେ ଖର୍ଚ୍ଚ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ଶ୍ରୀ ପୁରୋହିତ ମତ ପୋଷଣ କରିଛନ୍ତି । କେନ୍ଦୁପତ୍ର ତୋଳାଳୀ ମାନେ ମୃତ୍ୟୁ ବରଣ କଲେ ୨ ଲକ୍ଷ ଟଙ୍କା କିମ୍ବା କୌଣସି କାରଣରୁ ଅକର୍ମଣ୍ୟ ହେଲେ ‘ଶ୍ରମିକ ମଙ୍ଗଳ ପାଣ୍ଠି’ରୁ ୧ ଲକ୍ଷ ଟଙ୍କା ଘୋଷଣା କରିଥିବା ବେଳେ ୪୦ହଜାର ପତ୍ରର ମାନଦଣ୍ଡ ରାଜ୍ୟ ସରକାର ସ୍ଥିର କରିଥିବାରୁ ଓଡିଶାରେ ଥିବା ପାଖାପାଖି ୮ଲକ୍ଷ କେନ୍ଦୁପତ୍ର ତୋଳାଳୀ ମାନଙ୍କ ଭିତରୁ ମାତ୍ର ୫୦ ହଜାର ତୋଳାଳୀ ଏଥିରେ ଯୋଗ୍ୟ ହେବେ । ୭ ଲକ୍ଷରୁ ଉର୍ଦ୍ଧ୍ବ ତୋଳାଳୀ ସରକାର ଘୋଷଣା କରିଥିବା ୨ ଲକ୍ଷ ଟଙ୍କା କିମ୍ବା ୧ ଲକ୍ଷ ଟଙ୍କା ପାଇବାରୁ ବଞ୍ଚିତ ହେବେ । ୨୦ ହଜାର ପତ୍ରର ମାନଦଣ୍ଡ ସରକାର ସ୍ଥିର କଲେ ଓଡିଶାର ପ୍ରାୟ ସମସ୍ତ କେନ୍ଦୁପତ୍ର ତୋଳାଳୀ ଏ ଶ୍ରମିକ ମଙ୍ଗଳ ପାଣ୍ଠିର ସହାୟତା ପାଇ ପାରିଥାନ୍ତେ । ରାଜ୍ୟ ସରକାରଙ୍କୁ ଆଗରୁ ଏବିଷୟରେ ଅବଗତ କରାଯାଇ ଥିଲେ ମଧ୍ୟ ଏହା ଉପରେ ସରକାର ପୁନର୍ବାର କଲେ ନାହିଁ । ଏଥିରୁ କେନ୍ଦୁପତ୍ର ପତ୍ର ତୋଳାଳୀ ମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ କେତେ ଦରଦ ଅଛି ତାହା ଧରା ପଡି ଯାଇଛି । କେନ୍ଦୁପତ୍ର ସଂସ୍ଥାରେ କାର୍ୟ୍ୟରତ ୧୭ ହଜାର ସିଜିନାଲ କର୍ମଚାରୀଙ୍କ ବର୍ଦ୍ଧିତ ଦରମାର ୧୭ ମାସର ସରକାର ଦେବା ପାଇଁ ଉନ୍ନୟନ ପରିଷଦର ନିଷ୍ପତ୍ତି ନ ହେବା ଯୋଗୁଁ ସିଜିନାଲ କର୍ମଚାରୀ ମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ପ୍ରକୃତରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତକାଲି କେନ୍ଦୁପତ୍ର ଉନ୍ନୟନ ପରିଷଦର ଯାହା ପ୍ରସ୍ତାବ ପାରିତ ହୋଇଛି ତାହା ତୋଳାଳୀ ଓ ଶ୍ରମିକ ମାନଙ୍କ ପାଇଁ ଦୁର୍ଭାଗ୍ୟ ଜନକ ଅଟେ ବୋଲି ଶ୍ରୀ ପୁରୋହିତ କହିଛନ୍ତି । ସରକାରଙ୍କ ଘୋଷଣା କେନ୍ଦୁପତ୍ର ଶ୍ରମିକଙ୍କ ପାଇଁ ଲଳିପପ୍ ବୋଲି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ କ୍ଷୋଭ ପ୍ରକାଶ କରିବା ସହ ଆଗାମୀ ଦିନରେ ସରକାରଙ୍କ ଏହି ନିଷ୍ପତ୍ତି ବିରୁଦ୍ଧରେ ସାରା ରାଜ୍ୟରେ କେନ୍ଦୁପତ୍ର ଶ୍ରମିକ ମାନଙ୍କ ବିରାଟ ଆନ୍ଦୋଳନ ହେବ ବୋଲି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.