ମା’ଙ୍କ ନାମରେ ଗୋଟିଏ ଗଛ ଅଭିଯାନ’ ଅନ୍ତର୍ଗତ ୮୦ କୋଟି ଚାରାରୋପଣ

  • ମାତ୍ର ଗୋଟିଏ ଘଣ୍ଟାରେ ରେକର୍ଡ ୫ ଲକ୍ଷ ଚାରାରୋପଣ

ନୂଆଦିଲ୍ଲୀ, (ପିଆଇବି) : ବିଶ୍ୱ ପରିବେଶ ଦିବସ, ୫ ଜୁନ୍ ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କରେ ଏକ ବୋଧି ବୃକ୍ଷର ଚାରାରୋପଣ କରି ମା’ଙ୍କ ନାମରେ ଗୋଟିଏ ଗଛ’ ନାମକ ଅଭିନବ ଅଭିଯାନର ଶୁଭାରମ୍ଭ କରିଥିଲେ । ପରିବେଶର ବିକାଶ ପାଇଁ ଏହି ସାମୁହିକ ଅଭିଯାନକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ‘ମାଙ୍କ ନାମରେ ଗୋଟିଏ ଗଛ’ ଏକ ପ୍ରତୀକାତ୍ମକ ଅଭିଯାନ । ଏହାଦ୍ୱାରା ଦୁଇଟି ଉଦ୍ଦେଶ୍ୟ ସାଧନ ହେଉଛି । ଗୋଟିଏ ହେଲା ଜଣଙ୍କ ଜୀବନରେ ମା’ଙ୍କ ଭୂମିକାକୁ ସମ୍ମାନ ଦେବା ଏବଂ ଅନ୍ୟଟି ହେଲା ସମଗ୍ର ବିଶ୍ୱର ସ୍ୱାସ୍ଥ୍ୟ ପ୍ରତି ଅବଦାନ ରଖିବା । ବୃକ୍ଷ ଠିକ୍ ମା’ଙ୍କ ଭଳି ପରବର୍ତ୍ତୀ ପିଢ଼ିକୁ ସୁରକ୍ଷିତ ରଖିଥାଏ । ୮୦ କୋଟି ଚାରାରୋପଣ ୨୦୨୪ ସେପ୍ଟେମ୍ବର ମାସ ସୁଦ୍ଧା ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ସଫଳତାର ସହ ‘ମା’ଙ୍କ ନାମରେ ଗୋଟିଏ ଗଛ’ ଅଭିଯାନରେ ୮୦ କୋଟି ଚାରାରୋପଣ କରିପାରିଛି । ଧାର୍ଯ୍ୟ ଦିବସର ପାଞ୍ଚ ଦିନ ପୂର୍ବରୁ ୨୫ ସେପ୍ଟେମ୍ବର ୨୦୨୪ରେ ଏହି ଲକ୍ଷ୍ୟ ପୂରଣ ହୋଇପାରିଛି । ୫ ଲକ୍ଷ ଚାରା ରୋପଣର ବିଶ୍ୱ ରେକର୍ଡ ୨୨ ସେପ୍ଟେମ୍ବର ୨୦୨୪ରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧୀନରେ ଥିବା ଇକୋଲୋଜିକାଲ ଟାସ୍କ ଫୋର୍ସ ଅଫ ଦ ଟେରିଟୋରିଆଲ ଆର୍ମି ଓ ୧୨୮ ଇନଫାଣ୍ଟ୍ରି ବାଟାଲିୟନ ମିଳିତ ଭାବେ ମାତ୍ର ଏକ ଘଣ୍ଟାରେ ୫ ଲକ୍ଷ ଚାରାରୋପଣ କରି ରେକର୍ଡ କରିପାରିଛନ୍ତି । ପ୍ରଧାନମନ୍ତ୍ରୀ ‘ମା’ଙ୍କ ନାମରେ ଗୋଟିଏ ଗଛ’ ଅଭିଯାନ ଅଧୀନରେ ଟେରିଟୋରିଆଲ ଆର୍ମି ‘ଭାଗିଦାରୀ ଏବଂ ଜିମ୍ମେଦାରୀ’ କାର୍ଯ୍ୟକ୍ରମରେ ଜୟସାଲମର ସ୍ୱତନ୍ତ୍ର ବୃକ୍ଷରୋପଣ ଅଭିଯାନରେ ଏହି ରେକର୍ଡ କରିଛି । ଏହା ସ୍ଥାନୀୟ ସମୁଦାୟଙ୍କ ମଧ୍ୟ ପରିବେଶ ପ୍ରତି ସଚେତନତା ସୃଷ୍ଟି କରିପାରିଛି । ଟେରିଟୋରିଆଲ ଆର୍ମିି ଏହି ପଦକ୍ଷେପ ୱାର୍ଲ୍ଡ ବୁକ୍ ଅଫ ରେକର୍ଡସ, ଲଣ୍ଡନରେ ବିଭିନ୍ନ କାରଣରୁ ସ୍ଥାନ ପାଇପାରିଛି । ସେଗୁଡ଼ିକ ହେଲା:
୧. ଗୋଟିଏ ଘଣ୍ଟାରେ ସର୍ବାଧିକ ଚାରାରୋପଣ
୨. ଏକ ମହିଳା ଟିମ୍ ଦ୍ୱାରା ଗୋଟିଏ ଘଣ୍ଟାରେ ସର୍ବାଧିକ ଚାରାରୋପଣ
୩. ଗୋଟିଏ ସ୍ଥାନରେ ସର୍ବାଧିକ ମହିଳା ଏକକାଳୀନ ଚାରାରୋପଣ କରିବା
ବିଭିନ୍ନ ମନ୍ତ୍ରଣାଳୟରେ ସାମୁହିକ କାର୍ଯ୍ୟକ୍ରମ :
ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବିଭିନ୍ନ ମନ୍ତ୍ରଣାଳୟ ଏହି ଅଭିଯାନରେ ଉତ୍ସାହର ସହ ସାମିଲ ହୋଇଛନ୍ତି । ପ୍ରତିରକ୍ଷା ମନ୍ତ୍ରାଳୟ ଏହି ଅଭିଯାନରେ ଦେଶବ୍ୟାପୀ ୧୫ ଲକ୍ଷ ଚାରାରୋପଣ ପାଇଁ ୧୫ ଅଗଷ୍ଟ ୨୦୨୪ରେ ଘୋଷଣା କରିଥିଲା । ଏହି ଅଭିଯାନରେ ପଦାତିକ ବାହିନୀ, ପ୍ରତିରକ୍ଷା ବିଭାଗର ବିଭିନ୍ନ ଉଦ୍ୟୋଗ, ଏନ୍‌ସିସି ଏବଂ ଅନ୍ୟାନ୍ୟ ସହଯୋଗୀ ସଂସ୍ଥା ସାମିଲ ହୋଇଛନ୍ତି । କୋଇଲା ମନ୍ତ୍ରାଳୟ ସଚିବ ଭି.ଏଲ୍‌. କାନ୍ଥା ରାଓଙ୍କ ନେତୃତ୍ୱରେ ମିଲେନିଅମ ପାର୍କଠାରେ ବୃକ୍ଷରୋପଣ ଅଭିଯାନ କରିଥିଲା । କୋଇଲା ମନ୍ତ୍ରାଳୟ ଏବଂ ଏହା ସହ ଜଡ଼ିତ ରାଷ୍ଟ୍ରାୟତ୍ତ ସଂସ୍ଥା ଗୁଡ଼ିକ ବିଗତ ବର୍ଷ ମାନଙ୍କରେ ଖଣି ଅଞ୍ଚଳରେ ପ୍ରଦୂଷଣ ହ୍ରାସ ଲକ୍ଷ୍ୟରେ ନିୟମିତ ବୃକ୍ଷରୋପଣ ଜାରି ରଖିଛନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏହାର ନିଜସ୍ୱ ଅଭିଯାନରେ ଦେଶବ୍ୟାପୀ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୭ ହଜାର ବୃକ୍ଷରୋପଣ କରିପାରିଛି । ଅଗଷ୍ଟ ମାସ ଅଧାରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା ଏବଂ ବିଶେଷ କରି ସେପ୍ଟେମ୍ବର ୧୭ରୁ ୧ ଅକ୍ଟୋବର ୨୦୨୪ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଅବସରରେ ତ୍ୱରାନ୍ୱିତ ହୋଇଛି । କେନ୍ଦ୍ର ଆୟୁଷ (ସ୍ୱାଧୀନ ଦାୟିତ୍ୱ) ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଯାଦବ ଅଭିଯାନରେ ସାମିଲ ହୋଇ ମା’ଙ୍କ ନାମରେ ଅଁଳା ଚାରାରୋପଣ କରିଛନ୍ତି । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାଗିରଥ ଚୌଧୁରୀ ଆଭାସୀ ମାଧ୍ୟମରେ ହାଇଦ୍ରାବାଦର ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ ଏଗ୍ରିକଲଚରାଲ ଏକ୍ସଟେନ୍ସନ ମ୍ୟାନେଜମେଣ୍ଟ ସଂସ୍ଥାରେ ଏହି ଅଭିଯାନରେ ସାମିଲ ହୋଇଥିଲେ । କେନ୍ଦ୍ର କମ୍ପାନୀ ବ୍ୟାପାର ଏବଂ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ରାଷ୍ଟ୍ରମନ୍ତ୍ରୀ ହର୍ଷ ମାଲହୋତ୍ରା ନୂଆଦିଲ୍ଲୀର କୋଟା ହାଉସଠାରେ ଉଭୟ ‘ମା’ଙ୍କ ନାମରେ ଗୋଟିଏ ଗଛ’ ଏବଂ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ସାମିଲ ହୋଇଥିଲେ । ମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କ ନେତୃତ୍ୱରେ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ବିଭିନ୍ନ ସଂସ୍ଥାନରେ ଏହି ଅଭିଯାନ କରିଛି । ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର, ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟସ୍‌ ଫର ଏଣ୍ଟର୍‌ପ୍ରିନ୍ୟୁରସିପ୍‌ ଆଣ୍ଡ ସ୍ମଲ ବିଜିନେସ ଡେଭଲପମେଣ୍ଟ, ଇଣ୍ଡଷ୍ଟ୍ରିଆଲ୍‌ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍ସ, ନ୍ୟାସନାଲ ସ୍କିଲ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍ସ ଏବଂ ଜନ ଶିକ୍ଷର ସଂସ୍ଥା ଗୁଡ଼ିକରେ ୧୧, ୭୭୮ ଚାରା ରୋପଣ କରାଯାଇଛି । ପାନୀୟ ଜଳ ଏବଂ ପରିମଳ ବିଭାଗ ଏବଂ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ନେତୃତ୍ୱରେ ସ୍ୱଚ୍ଛତା ହିଁ ସେବା ୨୦୨୪ ଅଭିଯାନରେ ଦେଶବ୍ୟାପୀ ଚାରାରୋପଣ କରାଯାଇଛି । ଭାରତୀୟ ସେନା, ଭାରତୀୟ ବାୟୁସେନା, ସୀମା ସୁରକ୍ଷା ବଳ, ସଂକଳ୍ପ ତରୁ ଏନଜିଓ ଏବଂ ବିଭିନ୍ନ ଅଞ୍ଚଳର ସ୍ଥାନୀୟ ସମୁଦାୟ ଏହି ଅଭିଯାନକୁ ତ୍ୱରାନ୍ୱିତ କରିଛନ୍ତି । ଟେକ୍ନୋଲୋଜିକାଲ ପଦକ୍ଷେପ : ମା’ଙ୍କ ନାମରେ ଗୋଟିଏ ଗଛ ଆଫ୍‌ ଏହି ଅଭିଯାନକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସଞ୍ଚାର ଏବଂ ଉତ୍ତର-ପୂର୍ବାଞ୍ଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ‘ମା’ଙ୍କ ନାମରେ ଗୋଟିଏ ଗଛ’ ଆପ୍‌ର ଶୁଭାରମ୍ଭ କରିଥିଲେ । ଏହି ଆପ୍ ଜରିଆରେ ସହଜରେ ଫଟୋ ଅପଲୋଡ କରିବା, ଲୋକେସନ ଟ୍ୟାଗ କରିବା, କାର୍ବନ କ୍ରେଡିଟ ଟ୍ରାକ କରିବା ସମ୍ଭବ ହୋଇପାରିଛି । ଲୋକମାନେ ରୋପଣ କରିଥିବା ଚାରା କେତେ ବଢ଼ିଲା ତାହା ବି ଏହି ଆପ୍ ଜରିଆରେ ଜାଣି ପାରିବେ ।
ସବୁଜ ଭବିଷ୍ୟତ ପାଇଁ ଏକ ଲକ୍ଷ୍ୟ : ମା’ଙ୍କ ନାମରେ ଗୋଟିଏ ଗଛ’ ଅଭିଯାନ ସ୍ଥିର ଓ ପରିବେଶ ସଚେତିତ ଭବିଷ୍ୟତ ପାଇଁ ଭାରତର ପ୍ରତିବଦ୍ଧତାକୁ ସୂଚାଉଛି । ଏହା ସହ ମା’ଙ୍କ ସମ୍ମାନ ସାମିଲ ହୋଇଥିବାରୁ ଜନସାଧାରଣ ସିଧାସଳଖ ଏଥିରେ ଯୋଡ଼ି ହୋଇପାରିଛନ୍ତି ।

Leave A Reply

Your email address will not be published.