ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦ୍‌ଘାଟିତ

  • ନୂଆ ସରକାରଙ୍କ ପ୍ରତି ନିଷ୍ପତ୍ତିରେ ରହିଛି ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଏବଂ ନବଜାଗରଣର ସୁବର୍ଣ୍ଣ ସ୍ପର୍ଶ : ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମହାଲିଙ୍ଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ଲୋକଙ୍କ ସରକାର ୧୦୦ ଦିନ ପୂରଣ କରିଛି । ଏହି ୧୦୦ ଦିନ ମଧ୍ୟରେ ରାଜ୍ୟ ସରକାର ଓଡିଶାବାସୀଙ୍କ ସର୍ବାଙ୍ଗୀନ ଉନ୍ନତିପାଇଁ ବିଶେଷକରି ଗରିବ, କୃଷକ, ଯୁବକ ଓ ମହିଳାଙ୍କ କଲ୍ୟାଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆପଣମାନେ ମର୍ମେ ମର୍ମେ ଅନୁଭବ କରୁଥିବେ ପ୍ରତି ନିଷ୍ପତ୍ତିରେ ରହିଛି ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଏବଂ ନବଜାଗରଣର ସୁବର୍ଣ୍ଣ ସ୍ପର୍ଶ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଓ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ପ୍ରକାଶ କରିଛନ୍ତି । ବଲାଙ୍ଗିରର ପଥରଚେପା ପଡିଆରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବିକାଶ ମେଳାରେ ମନ୍ତ୍ରୀ ଡ. ମହାଲିଙ୍ଗ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ମେଳାକୁ ଉଦ୍‌ଘାଟିତ କରିବା ସହ ପ୍ରତିଶୃତି ଅନୁଯାଇ ନୂଆ ସରକାର ଶ୍ରୀମନ୍ଦିରର ୪ ଦ୍ଵାର ଖୋଲିବା ସହ ରତ୍ନଭଣ୍ଡାର ଖୋଲିଛନ୍ତି । ଶ୍ରୀମନ୍ଦିର ପାଇଁ ୫ ଶହ କୋଟିର କର୍ପୋସ ଫଣ୍ଡର ବ୍ୟବସ୍ଥା କରିଛନ୍ତି । ସୁଭଦ୍ରା ଯୋଜନା ଆରମ୍ଭ କରି ମହିଳାଙ୍କୁ ସ୍ୱାବଲମ୍ବୀ ହେବାର ରାସ୍ତା ଦେଖାଇଛନ୍ତି । ବଲାଙ୍ଗିର ଜିଲ୍ଲାରେ ଏଥିପାଇଁ ତିନି ଲକ୍ଷରୁ ଅଧିକ ମହିଳା ପଞ୍ଜୀକୃତ କରିଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି । ଡାକ୍ତର ଅଭାବ ସମସ୍ୟା ସମାଧାନ ପାଇଁ ବଜେଟ୍‌ରେ ବ୍ୟାୟ ବରାଦ ହୋଇଛି । ଚାଷ ଏବଂ ଚାଷୀର ଉନ୍ନତି ପାଇଁ ଧାନର ମୂଲ୍ୟକୁ ୩୧ଶହ ଟଙ୍କାକୁ ବର୍ଦ୍ଧିତ କରାଯାଇଛି । ଧାନ ବିକ୍ରିର ୪୮ ଘଣ୍ଟା ମଧ୍ୟରେ ଟଙ୍କା ସିଧା ଚାଷୀଙ୍କ ଖାତାକୁ ଯିବ । ଆଳୁ ମିଶନକୁ ଗତିଶିଳ କରି ପ୍ରତି ଉପଖଣ୍ଡରେ ଶୀତଳ ଭଣ୍ଡାର ଖୋଲାଯିବ । ପିଏମ୍‌ କିଷାନ ସହ ଏବେ ସିଏମ୍‌ କିଷାନ୍‌ରେ ଚାଷିଙ୍କୁ ସହାୟତା ଦିଆଯାଉଛି । ସେହିଭଳି ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓଡିଶାରେ ଲାଗୁ ହେବ । ରାଜ୍ୟର ପ୍ରାୟ ଏକ କୋଟି ପରିବାରଙ୍କୁ ଦେଶର ୨୭ ହଜାରରୁ ଉର୍ଦ୍ଧ ହସ୍ପିଟାଲରେ ନିଃଶୁକ୍ଳ ଚିକିତ୍ସା ପାଇବେ । ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ସ୍ତରରେ ମଧ୍ୟ ମାଧୋ ସିଂହ ହାତ ଖର୍ଚ ଯୋଜନାରେ ୫ ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ କରାଯାଉଛି ବୋଲି ମନ୍ତ୍ରୀ ଡ. ମହାଲିଙ୍ଗ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଟିଟିଲାଗଡ ବିଧାୟକ ନବୀନ କୁମାର ଜୈନ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗଦେଇ ସରକାରଙ୍କ ୧୦୦ ଦିନର ସଫଳତା ଉପରେ ଆଲୋକପାତ କରିଥିଲେ । ଜିଲ୍ଲାପାଳ ଗୌରବ ଶିୱାବା ଇଶଲୱାର ସଭାରେ ସଭାପତିତ୍ୱ କରି ସ୍ୱାଗତ ଭାଷଣରେ ନୂଆ ସରକାର ସମୟରେ ଜିଲ୍ଲାରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସୁଭଦ୍ରା, ସ୍ୱୟଂ ସହାୟକ ଗୋଷ୍ଠୀ ବ୍ୟାଙ୍କ ଲିଙ୍କେଜ, ଲକ୍ଷପତି ଦିଦି, ସ୍ଵଚ୍ଛ ଭାରତ ମିଶନ ଯୋଜନାର ହିତାଧିକାରୀମାନଙ୍କୁ ଅତିଥିମାନେ ଅର୍ଥରାଶି ଓ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାତ ମହାପାତ୍ର ଧନ୍ୟବାଦ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ଵ) ପବିତ୍ର ବେହେରାଙ୍କ ସମେତ ସ୍ଥାନୀୟ ରାଜନେତା, ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ବୁଦ୍ଧିଜୀବୀ, ଗଣାମାଧ୍ୟମ ପ୍ରତିନିଧି ଓ ହଜାର ହଜାର ସଂଖ୍ୟାରେ ଲୋକମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ମେଳା ଶେଷରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ପ୍ରଶାସନ ତରଫରୁ ବିକାଶ ମେଳାରେ ୨୫ଟି ଷ୍ଟଲ୍‌ରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବିକାଶ ଓ ସଫଳତା ପ୍ରଦର୍ଶିତ ହୋଇ ଲୋକମାନଙ୍କ ଦ୍ୱାରା ବିଶେଷ ଭାବରେ ଆଦୃତ ହୋଇପାରିଛି । ଏହି ମେଳା ୨୩ ସେପ୍ଟେମ୍ବର ଯାଏଁ ଚାଲିବ । ଏହା ପୂର୍ବରୁ ମନ୍ତ୍ରୀ ଡ. ମହାଲିଙ୍ଗ ବଲାଙ୍ଗିର କନ୍ଧପାଲିପଡ଼ା ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଠାରେ ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କ ନିମନ୍ତେ ଯକ୍ଷ୍ମା ପ୍ରତିଷେଧକ ଟୀକାକରଣର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଦେଶକୁ ଯକ୍ଷ୍ମା ମୁକ୍ତ କରିବା ପାଇଁ ପ୍ରତିଷେଧକ ଟୀକା ନେବାକୁ ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ସାରା ରାଜ୍ୟରେ ଏଥିପାଇଁ ୧୫ଟି ଜିଲ୍ଲାକୁ ବଛା ଯାଇଛି । ୨୦୨୫ ସୁଦ୍ଧା ଭାରତକୁ ଯକ୍ଷ୍ମା ମୁକ୍ତ କରିବାକୁ ନିଷ୍ପତି ନିଆ ଯାଇଥିବାର ସେ କହିଛନ୍ତି ।

Leave A Reply

Your email address will not be published.