ଛତ୍ରପୁର ବ୍ଳକସ୍ତରୀୟ ଏମ.ଜି.ଏନ.ଆର.ଇ.ଜି.ଏସ. ଜନଶୁଣାଣି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକସ୍ତରୀୟ ଏମ.ଜି.ଏନ.ଆର.ଇ.ଜି.ଏସ. ଜନଶୁଣାଣି ବୁଧବାର ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ଉପ ଜିଲ୍ଲାପାଳ ଦେବଦତ୍ତ ମହନ୍ତ ଯୋଗଦେଇ କାର୍ଯ୍ୟନିର୍ବାହ କରିଥିଲେ । ୨୦୨୩ ଅକ୍ଟୋବର ୧ ତାରିଖରୁ ୨୦୨୪ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ହୋଇଥିବା ଏମ.ଜି.ଏନ.ଆର.ଇ.ଜି.ଏସ. କାର୍ଯ୍ୟର ଜନଶୁଣାଣି କରାଯାଇଥିଲା । ଗତ ୨୦୨୩ – ୨୪ରେ ଏହି ଯୋଜନାରେ ୫ ଲକ୍ଷ ୧୫ ହଜାର ୧୫୯ ଶ୍ରମଦିବସ ସୃଷ୍ଟି ହୋଇଛି । ବର୍ଷକରେ ମାତ୍ର ୬୪୬ ପରିବାରଙ୍କୁ ୧୦୦ ଦିନର କାମ ଯୋଗାଇ ଦିଆଯାଇଛି । ବଡମାଧପୂର ପଂଚାୟତରେ ଗୋଟିଏ ପରିବାରଙ୍କୁ ୧୦୦ ଦିନର କାମ ମିଳିଥିବା ବେଳେ ବଉଳଗାଁ ଓ କାଳିପଲୀ ପଂଚାୟତର ୨ଟି ଲେଖାଏଁ, ମହାନାଦପୁର ଓ ନରେନ୍ଦ୍ରପୁର ପଂଚାୟତର ୫ଟି ଲେଖାଁଏ, ପୋଟଲାମପୁର ପଂଚାୟତର ୮ ଟି ଓ କଣମଣା ପଂଚାୟତର ୧୩ ପରିବାରଙ୍କୁ ୧୦୦ ଦିନର କାମ ମିଳିଛି । ଉକ୍ତ ବର୍ଷରେ ଏହି ଯୋଜନାରେ ୮୮୯ ପ୍ରକଳ୍ପ କାମ ହାତକୁ ନିଆଯାଇଥିଲା । ତେବେ ଏଥିରୁ ୪୦୨ ପ୍ରକଳ୍ପ କାମ ଚାଲୁଥିବା ବେଳେ ୪୮୭ଟି ପ୍ରକଳ୍ପ କାମ ସରିଛି । ଆହୁରି ଜଣାଯାଇଛି ଯେ, ଏହି ଯୋଜନାରେ ୧୮,୩୦୦ ପରିବାରଙ୍କୁ ଜବ କାର୍ଡ ଦିଆ ଯାଇଥିବା ବେଳେ ୧୫ ହଜାର ୩୦୯ ଜବକାର୍ଡ ଆକ୍ଟିଭ୍ ଅଛି । ଏହି ଜନଶୁଣାଣିରେ ବିଡିଓ ସୁଶାନ୍ତ ବରାଳ, ବ୍ଲକ ଅଧ୍ୟକ୍ଷା କୀରଣ କୁମାରୀ ଦାସ, ଜିଲ୍ଲାପରିଷଦ ସଭ୍ୟ, ସରପଞ୍ଚ, ସମିତିସଭ୍ୟ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.