ଭଞ୍ଜନଗର ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଆଜି ଚଢ଼ାଉ କରାଯାଇଛି । ଏକାକାଳୀନ ୯ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଚାଲିଥିବା ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚଢାଉ ବେଳେ ଯନ୍ତ୍ରୀଙ୍କ ୬ଟି ବହୁତଳ ବିଶିଷ୍ଟ କୋଠା ଭିଜିଲାନ୍ସ ଟିମ୍‌ ଠାବ କରିଛି । ୨ଟି ୪ ମହଲା, ୨ଟି ୩ ମହଲା ଓ ୨ଟି ୨ ମହଲା କୋଠା ମଧ୍ୟ ଠାବ ହୋଇଛି । ବ୍ରହ୍ମପୁର ତୁଳସୀନଗରରେ ୪ ମହଲା କୋଠା, ଯାହାର ମୂଲ୍ୟ ୨.୪ କୋଟି । ଭଞ୍ଜନଗର ବାଗ୍‌ଦେବୀ ରୋଡ୍‌ରେ ୬ ହଜାର ବର୍ଗଫୁଟର ୪ ମହଲା କୋଠା ସହ ୩ ମହଲା କୋଠା ରହିଛି । ସେହିପରି ଭଞ୍ଜନଗରରେ ୨୫୦୦ ବର୍ଗଫୁଟର ଆଉ ଏକ ୩ ମହଲା କୋଠା, ଭଞ୍ଜନଗର ୬ ନମ୍ବର ୱାର୍ଡରେ ଗୋଟିଏ, ଲୁଡୁଲୁଡିରେ ଗୋଟିଏ ୨ ମହଲା କୋଠା, ଭଞ୍ଜନଗରରେ ୪ଟି ଏବଂ ବ୍ରହ୍ମପୁରରେ ଗୋଟିଏ ଘରଯୋଗ୍ୟ ପ୍ଲଟ ଠାବ କରାଯାଇଛି । ଭିଜିଲାନ୍ସ ଯନ୍ତ୍ରୀଙ୍କ ସୁନା ଗହଣା, ବ୍ୟାଙ୍କ ଜମା, ଗାଡ଼ିର ହିସାବ କରୁଛି । ଏହି ଭିଜିଲାନ୍ସ ଚଢ଼ାଉରେ ୭ ଜଣ ଡିଏସ୍‌ପି ଓ ୫ ଜଣ ଇନ୍ସପେକ୍ଟର, ଏସ୍‌ଆଇ ଓ ଏଏସ୍‌ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.