ବ୍ରହ୍ମପୁର ଠାରେ ୭୮ତମ ସ୍ଵାଧୀନତା ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଉପଖଣ୍ଡ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ସ୍ଵାଧୀନତା ଦିବସ ପାଳନ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଉପଜିଲ୍ଲାପାଳ ସୁଶ୍ରୀଦୀନା ଦସ୍ତାଗୀର, ଆଇ.ଏ.ଏସ୍.ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବିଶଦ ଭାବେ ଆଲୋଚନା ହୋଇଥିଲା । ଅଗଷ୍ଟ ୧୫ ତାରିଖ ଦିନ ପ୍ରତ୍ୟୁଷ ଘ ୫.୩୦ ମି.ରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଡ଼ାକବାଜି ଯନ୍ତ୍ର ଦ୍ଵାରା ସହରରେ ରାମଧୂନ୍ ପରିବେଷଣ କରାଯିବ । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ସକାଳ ଘ. ୭.୦୦ ମି.ରେ ପତାକା ଉତ୍ତୋଳନ କରାଯିବାକୁ କୁହାଯାଇଛି । ପୂର୍ବାହ୍ନ ଘ ୯.୧୫ ମି.ରେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ (ଷ୍ଟାଡିୟମ୍‌ରେ) ମୁଖ୍ୟ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯିବ । ଚଳିତ ବର୍ଷ ପ୍ୟାରେଡ୍‌ରେ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ୭୮ତମ ସ୍ଵାଧୀନତା ଦିବସ ପାଳନ ଉପଲକ୍ଷେ ତା ୦୮.୦୮.୨୦୨୪ ରିଖ ଦିନ ଓଡିଆ ବକ୍ତୃତା ପ୍ରତିଯୋଗିତା, ତା ୦୯.୦୮.୨୦୨୪ ରିଖ ଦିନ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ତା. ୧୦.୦୮.୨୦୨୪ ରିଖ ଦିନ ଓଡିଆ ପ୍ରବନ୍ଧ ପ୍ରତିଯୋଗିତା ନିମନ୍ତେ ପ୍ରାଥମିକ ସ୍ତରୀୟ (ଚତୁର୍ଥ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ), ମାଧ୍ୟମିକସ୍ତରୀୟ (ଷଷ୍ଠ ଶ୍ରେଣୀରୁ ସପ୍ତମ ଶ୍ରେଣୀ), ଉଚ୍ଚ ବିଦ୍ୟାଳୟସ୍ତରୀୟ (ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ) ଏବଂ ମହାବିଦ୍ୟାଳୟସ୍ତରରେ ଆୟୋଜନ କରାଯିବ । ଏହି ସମସ୍ତ ପ୍ରତିଯୋଗିତା ଗୁଡିକ ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ, କୋର୍ଟପେଟା ଠାରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି । ପ୍ୟାରେଡ ଅଭ୍ୟାସ ଆସନ୍ତା ତା. ୧୧.୦୮.୨୦୨୪ ରିଖ ଓ ତା. ୧୨.୦୮.୨୦୨୪ ରିଖ ଅପରାହ୍ନ ୩ଟା ସମୟରେ ଏବଂ ତା. ୧୩.୦୮.୨୦୨୪ ରିଖ ପୂର୍ବାହ୍ନ ୭.୩୦ଟା ସମୟରେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମ୍‌ରେ ଅଭ୍ୟାସ କରାଯିବା ନିମନ୍ତେ ସ୍ଥିର କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ଡେପୁଟି କଲେକ୍ଟର ସୁଶ୍ରୀ କସ୍ତୁରୀ ସ୍ଵାଇଁ, (ଓ.ପ୍ର.ସେ ), ଡେପୁଟି କଲେକ୍ଟର ସୁବ୍ରତ ରାମବିରାମ ଶତପଥୀ, (ଓ.ପ୍ର.ସେ), ଉପଖଣ୍ଡସ୍ତରୀୟ ପୋଲିସ୍ ଅଧିକାରୀ, ଡ଼ି.ଏସ୍. ପ୍ରତାପ ଏବଂ ଆର୍. ଆଇ. ଅଫ୍ ପୋଲିସ୍ ଏମ୍‌. ଲକ୍ଷ୍ମୀ ରଞ୍ଜନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ପ୍ରସ୍ତୁତି ବୈଠକରେ ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଲୋକନାଥ ଶତପଥୀ ବିଭିନ୍ନ ବିବରଣୀ ଉପସ୍ଥାପନ କରି ଚଳିତ ବର୍ଷର ସ୍ଵାଧୀନତା ଦିବସ ପାଳନ ସକାଶେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.