ଫମ୍ପା ଯୋଜନାରେ ଲୋକଙ୍କ ବିକାଶ ହୁଏ ନାହିଁ : ସମରେନ୍ଦ୍ର

  • ସ୍କୁଲରେ ଶିକ୍ଷକ ଏବଂ ରୋଜଗାର ପାଇଁ କଳ କାରଖାନା ବସାଇବ କଂଗ୍ରେସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଫମ୍ପା ଯୋଜନାରେ ଲୋକଙ୍କ ବିକାଶ ହୁଏ ନାହିଁ ବୋଲି କହିଛନ୍ତି ସମରେନ୍ଦ୍ର । ସେ ଆହୁରି କହିଛନ୍ତି ଯେ, ରାଜ୍ୟର ବିଜେଡି ସରକାର କେବଳ ନିର୍ବାଚନ ଆସିଲେ ମାଳ ମାଳ ଯୋଜନା ଘୋଷଣା କରି ସରକାରୀ ବ୍ୟବସ୍ଥାରେ ରାଜ୍ୟ ରାଜକୋଷର ଟଙ୍କାକୁ ଦଳୀୟ ପ୍ରଚାରରେ ବ୍ୟବହାର କରନ୍ତି । ନିର୍ବାଚନ ସରିଗଲେ ଯୋଜନା ଗୁଡିକ ସଫଳ ରୂପାୟନ ନହୋଇ ଗାଏବ୍‌ ହୋଇଯାଏ । ବିଜେଡି ସରକାର ବିଗତ ୨୪ ବର୍ଷ ଭିତରେ ଯେତିକି ଯୋଜନା କରିଛନ୍ତି ତାହା କେବଳ ନିର୍ବାଚନ ପ୍ରହେଳିକା । ରାଜ୍ୟ ସରକାରଙ୍କ କୌଣସି ବି ଯୋଜନା ଯେମିତି କି ବିଜୁ ଯୁବ ବାହିନୀ, ପିଠା ଯୋଜନା ଏ ସବୁ ଚିରସ୍ଥାୟୀ କିମ୍ବା ନିୟମିତ ନୁହେଁ । ଦେଶ ସ୍ୱାଧିନ ହେବା ଯେତେ ସମୟ ହୋଇଛି ତାହା ଏକ ତୃତୀୟାଂଶ ସମୟ ପାଖାପାଖି ୨୫ ବର୍ଷ ବିଜେଡି ଦଳ ଓଡିଶାକୁ ଶାସନ କରିଛି । ପୁଣି ସେଥିରୁ ୯ ବର୍ଷ ବିଜେଡି ବିଜେପି ଉଭୟେ ମିଳିତ ସରକାର କରି ରାଜ୍ୟରେ ଶାସନ କରିଛନ୍ତି । କିନ୍ତୁ ଏତେ ସମୟ ପାଇ ମଧ୍ୟ ଆମ ଜିଲ୍ଲାକୁ ଅଣଦେଖା କରି ଆସୁଛନ୍ତି । ଆମ ପିଲାଙ୍କ ପାଇଥିବା ଶିକ୍ଷା ବ୍ୟବସ୍ଥା ଭୁଷୁଡି ଯାଇଛି । ବ୍ୟବସ୍ଥାକୁ ସୁଧାରିବାକୁ ହେଲେ ଉତ୍ତମ ଶିକ୍ଷା ସହ ଭଲ ଶିକ୍ଷକ ଏବଂ ଉତ୍ତମ ପରିବେଶ ପ୍ରଦାନ କରିବାକୁ ହେବ । ତାହା ହେଲେ ହିଁ ଏ ଅଂଚଳର ଲୋକେ ଶିକ୍ଷିତ ହେବେ । ଅଂଚଳର ଆର୍ଥିକ ବିକାଶ ହେବ । ଏ ଅଂଚଳର ଯୁବକମାନଙ୍କୁ ରୋଜଗାର ଦେବା ପାଇଁ କଳକାରଖାନାର ବ୍ୟବସ୍ଥା କରିବାକୁ ହେବ । ଏହା ହିଁ ଆମ ପ୍ରାଥମିକତା ବୋଲି ସଦର ବ୍ଲକ ଅନ୍ତର୍ଗତ ବଘାପାଲି, ଭଇଁଷା, ମନହିରା, ଅମାମୁଣ୍ଡା, ଫାସଡ ଏବଂ ସକ୍‌ମାରେ ଅନୁଷ୍ଠିତ ଜନ ଆଶୀର୍ବାଦ ସଭା ମାନଙ୍କରେ ବଲାଙ୍ଗିର ବିଧାନସଭା କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ସମରେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଏହି ନିର୍ବାଚନରେ ସ୍ଥାନୀୟ ରାଜପରିବାରକୁ ଲୋକେ ନିଶ୍ଚିତ ଭାବେ ପ୍ରତ୍ୟାଖାନ କରିବେ । ଏମାନେ ମୁଖ୍ୟମନ୍ତ୍ରୀ, ବିଧାୟକ, ସାଂସଦ ସହ ବିଭିନ୍ନ ବିଭାଗର ମନ୍ତ୍ରୀ ଥାଇ ମଧ୍ୟ ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ଲୋକଙ୍କୁ ଧୋକା ଦେଇ ଆସୁଛନ୍ତି । ତେଣୁ ଏପରି ଧୋକେବାଜ୍‌ ଲୋକଙ୍କୁ ଲୋକେ ଉଚିତ୍‌ ଜବାବ ଦିଅନ୍ତୁ ବୋଲି ସମରେନ୍ଦ୍ର ସମବେତ ଜନତାଙ୍କୁ ଅନୁରୋଧ କରିଥିଲେ । ବଲାଙ୍ଗିର ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଏବେ ଶିଖରକୁ ପହଂଚି ଯାଇଛି ଯେ, ଆମ ଲୋକ ବିଜେପି ଓ ବିଜେଡି ଦଳର ଅପବିତ୍ର ଗଠବନ୍ଧନକୁ ପ୍ରତିରୋଧ କରିବା ଦୃଢ ନିଶ୍ଚିତ ହୋଇଛନ୍ତି । ସେ ଏହା ବି କହିଛନ୍ତି ଯେ, ଆମ ଯୁବକମାନେ ବିଶେଷ ଭାବେ ସରକାରଙ୍କ ବୈମାତୃକ ମନୋଭାବର ଶିକାର ହେଉଛନ୍ତି । ଏଣୁ ଆମ ଲକ୍ଷ୍ୟ ଆମ ଅଂଚଳର ଯୁବକମାନଙ୍କୁ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ କରିବା ବୋଲି କହିଛନ୍ତି । ସଭାରେ ଉପସ୍ଥିତ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଛନ୍ତି ଯେ, ଯଦି କଂଗ୍ରେସ ସରକାରକୁ ଆସେ ତେବେ ଗୃହ ଜ୍ୟୋତି ଯୋଜନାରେ ଘରେଇ ଉପଭୋକ୍ତଙ୍କ ପାଇଁ ୨୦୦ ୟୁନିଟ ବିଦ୍ୟୁତ ଦେୟ ମାଗଣା, ଯୁବ ବିକାଶ ଯୋଜନାରେ ପ୍ରତ୍ୟେକ ବର୍ଷ ୫ଲକ୍ଷ ଯୁବକ, ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା, ବେକାରୀ ଭତ୍ତା ମାସିକ ୩ ହଜାର ଟଙ୍କା, କୃଷକମାନଙ୍କ ପାଇଁ ବୋନସ ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୩ ହଜାର ଟଙ୍କା, କୃଷିଋଣ ଛାଡ, କୃଷକମାନଙ୍କ ପାଇଁ ୨ ହଜାର ଟଙ୍କା ପେନ୍‌ସନ୍‌ ବ୍ୟବସ୍ଥା, ଗୃହଲକ୍ଷ୍ମୀ ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ ଓ ପ୍ରତ୍ୟେକ ମହିଳାଙ୍କୁ ମାସିକ ୨ ହଜାର ଟଙ୍କା ଭତ୍ତା, ଆଦିବାସୀ ଓ ଦଳିତ ମହିଳା ୩ ହଜାର ଟଙ୍କା ଭତ୍ତା, ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ବ୍ୟବସ୍ଥା ସହ ୨୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମାଧ୍ୟମରେ ମାଗଣା ଚିକିତ୍ସା, ବାଦ୍ଧକ୍ୟ ବିକଳାଙ୍ଗ ଭତ୍ତା ମାସିକ ୨ ହଜାର ଟଙ୍କା ପ୍ରଦାନ, ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ଏବଂ ୧୦୦ ଦିନ ଭିତରେ ପେଶା ଆଇନକୁ କଡାକଡି ଭାବେ ଲାଗୁ କରାଯିବ ବୋଲି ବିଧାୟକ ଶ୍ରୀ ମିଶ୍ର ଉପସ୍ଥିତ ଜନସାଧାରଣଙ୍କୁ ନିଜ ବକ୍ତବ୍ୟରେ କହିଥିଲେ ।

Leave A Reply

Your email address will not be published.