ନିର୍ବାଚନ ସାମଗ୍ରୀ ପ୍ରଦାନ ବେଳେ ଗୁରୁତର ହୋଇ ଶିକ୍ଷକଙ୍କ ପରଲୋକ

ମ.ରାମପୁର, (ହେମନ୍ତ ସାହୁ) : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଯାଇ ନିର୍ବାଚନୀ ସାମଗ୍ରୀ ପ୍ରଦାନ ବେଳେ ଗୁରୁତର ହେଇ ଜଣେ ଶିକ୍ଷକଙ୍କ ପରଲୋକ ହୋଇଛି । ପ୍ରାପ୍ତ ସୂଚନା ମୁତାବକ କଳାହାଣ୍ଡି ଜିଲ୍ଲା ମ.ରାମପୁର ଗୌଡ଼ପଡାର ବାସିନ୍ଦା ତଥା କର୍ଲାମୁଣ୍ଡା ବ୍ଲକ୍ ରେଗେଡ଼ା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ମକରଧ୍ୱଜ ନାଗ(୫୩) ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ପ୍ରିଜାଇଡିଂ ଅଫିସର ଭାବେ ନିଯୁକ୍ତ ହୋଇଥିଲେ । ତେବେ ନିର୍ବାଚନ ସାରି ଧର୍ମଗଡ଼ରେ ନିର୍ବାଚନ ସାମଗ୍ରୀ ପ୍ରଦାନ କେନ୍ଦ୍ରରେ ନିର୍ବାଚନୀ କାଗଜ ପତ୍ର ଓ ସାମଗ୍ରୀ ପ୍ରଦାନ ପୂର୍ବରୁ ଅସୁସ୍ଥ ଅନୁଭବ କରିବା ସହିତ ସେଠାରେ ଚେତାଶୁନ୍ୟ ହୋଇ ପଡ଼ିଥିଲେ । ସେଠାରୁ ତୁରନ୍ତ ତାଙ୍କୁ ଜୁନାଗଡ଼ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତରଙ୍କ ପ୍ରଚେଷ୍ଟା ସତ୍ତ୍ୱେ ଗତକାଲି ସନ୍ଧ୍ୟାରେ ତାଙ୍କରି ପରଲୋକ ଘଟିଛି । ଆଜି ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ମର ଶରୀର ହସ୍ତାନ୍ତର କରା ଯିବ ବୋଲି ଜଣା ପଡିଛି । ସ୍ୱର୍ଗତ ନାଗ ଅବସର ପ୍ରାପ୍ତ ଶିକ୍ଷକ ସୁଗ୍ରୀବ ନାଗଙ୍କ ଜେଷ୍ଠପୁତ୍ର ହେଇଥିବା ବେଳେ ପରିବାରରେ ପୁଅ, ଝିଅ ଓ ପତ୍ନୀ ରହିଛନ୍ତି । ଏହି ଖବର ପ୍ରଚାର ହେବା ପରେ ମ.ରାମପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.