ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ପ୍ରାଣ-ପ୍ରତିଷ୍ଠାତ୍ସୋବ ଅବସରରେ ଛତ୍ରପୁରର ବିଭିନ୍ନ ଦେବାଳୟମାନ ଆଧ୍ୟାତ୍ମିକ ଜାଗରଣରେ ଖୁବ ଉତ୍ସବମୁଖର ହୋଇଉଠିଥିଲା । ଏହି ଅବସରରେ ଛତ୍ରପୁର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରାଙ୍ଗଣସ୍ଥ ପାର୍ଶ୍ଵ ଦେବାଦେବୀଙ୍କ ମନ୍ଦିର ଶ୍ରୀରଘୁନାଥ ମନ୍ଦିର, ହନୁମାନ ମନ୍ଦିର, ପଞ୍ଚମୁଖୀ ହନୁମାନଙ୍କଠାରେ ସ୍ଵତନ୍ତ୍ର ନିତିକାନ୍ତି, ପୂଜାର୍ଚ୍ଚନା, ରାମଚରିତ ମାନସ ପାରାୟଣ, ହନୁମାନ ଚାଳିଶା, ହୋମ, ଯଜ୍ଞ ଆଦି ବିଧିବଦ୍ଧ ଭାବେ ସମାହିତ ହୋଇଯାଇଛି । ଭକ୍ତମାନେ ଶ୍ରୀରାମଲାଲାଙ୍କଠାରେ ଦୀପ ପ୍ରଜ୍ଜ୍ୱଳନ କରି ସମାଜର ମଙ୍ଗଳ କାମନା ସହ ଶୁଭ ମନାସି ଥିଲେ । ଶେଷରେ ଭକ୍ତମାନେ ଅନ୍ନପ୍ରସାଦ ସାରି ଭକ୍ତି ଭାବାନାରେ ମଜ୍ଜି ଯାଇଥିଲେ । ଛତ୍ରପୁର ସହରରେ ଏହି ଦିନ ସନ୍ଧ୍ୟାରେ ଦୀପାବଳୀ ଉତ୍ସବ ସ୍ୱରୂପ ପ୍ରତି ଘରେ ଘରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ଜାଳି ସମାଜର ଶୁଭମଙ୍ଗଳ କାମନା କରିଥିଲେ । ଏହି ଦିନଟିରେ ଘରେ ଘରେ ଲୋକମାନେ ଦୀପ ଜାଳି, ଆତସ୍ବାଜି, ବାଣ-ରୋଷଣୀ ଫୁଟାଇ ଆଧ୍ୟାତ୍ମିକ ଭାବନାରେ ଖୁସି ମନାଇଥିଲେ ।