ଗଞ୍ଜାମ ସହର ବାଳିକା ହାଇସ୍କୁଲରେ ବିଶ୍ୱ ଯୁବ ଦିବସ ଓ ପ୍ରକୃତି ମିତ୍ର ପରିବେଶ କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଶୁକ୍ରବାର ଅପରାହ୍ନରେ ଗଞ୍ଜାମ ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ଯୁବ ଦିବସ ଏବଂ ପ୍ରକୃତି ମିତ୍ର ପରିବେଶ ଉପରେ କାର୍ଯ୍ୟକ୍ରମ ତଥା କର୍ମଶାଳା ଆୟୋଜିତ ହୋଇଥିଲା । ଗଞ୍ଜାମ ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗର ଅଧ୍ୟାପକ ମହେନ୍ଦ୍ର ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଶ୍ରୀ ସେଠୀ ବିଦ୍ୟାଳୟର ଛାତ୍ରୀମାନଙ୍କୁ ପ୍ରକୃତି ମିତ୍ର ପରିବେଶ ଉପରେ ବିଶେଷ ଜ୍ଞାନ ପ୍ରଦାନ କରିଥିଲେ । କେତେକ ବୈଜ୍ଞାନିକ ମନୋଭାବାପନ୍ନ ଚଳଚିତ୍ର ମାଧ୍ୟମରେ ପ୍ରକୃତିକୁ ସନ୍ତୁଳିତ କରି ଚାଲିବା ତଥା ଆମ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ଆବଶ୍ୟକ ବୋଲି ପ୍ରାଣୀବିଜ୍ଞାନ ବିଭାଗର ଅଧ୍ୟାପକ ଶ୍ରୀ ସେଠୀ ମତବ୍ୟକ୍ତ କରିଥିଲେ । ସେହିଭଳି ଅନୁଷ୍ଠାନର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ସୌଭାଗ୍ୟଲକ୍ଷ୍ମୀ ପଟ୍ଟନାୟକ ବିଶ୍ୱ ଯୁବ ଦିବସ ଉପରେ ଆଧାରିତ ବିଶେଷ ବକ୍ତବ୍ୟ ପ୍ରଦାନ କରିବା ପୂର୍ବକ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ଜୀବନୀ ଉପରେ ବିଶେଷ ଆଲୋକପାତ କରି ନୂତନ ପିଢ଼ିଙ୍କୁ ଉତ୍ତମ ମାର୍ଗଦର୍ଶନ ଦେଇଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଏକ ନିଆରା ପରିବେଶ ସୃଷ୍ଟି କରିଥିଲା । ବିଶ୍ୱ ଯୁବ ଦିବସ ଉପରେ ଏକ ବିତର୍କ କାର୍ଯ୍ୟକ୍ରମରେ କେତେକ ଛାତ୍ରୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରେ ତିନି ଜଣ ଲେଖାଏଁ ବରିଷ୍ଠ ଏବଂ କନିଷ୍ଠ ବିଭାଗରେ କୃତିତ୍ଵ ହାସଲ କରିଥିବା ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ଇକୋ-କ୍ଲବ ବିଭାଗ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସେହି ଦାୟିତ୍ୱରେ ରହିଥିବା ଶିକ୍ଷୟିତ୍ରୀ ଶ୍ରୀମତୀ ମନସ୍ଵିନୀ ସାହୁ ପରିଚାଳନା କରିଥିବା ବେଳେ ଶିକ୍ଷକ ରବିନ୍ଦ୍ରନାଥ ନେପାକ, ରୋଜାଲିନ ପଣ୍ଡା, ନିବେଦିତା ପ୍ରଧାନ ପ୍ରମୁଖ ସମଗ୍ର କାର୍ଯ୍ୟ ସମ୍ପାଦନରେ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.