ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜନଗର ଉପ-ଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ RMC ସଭାଗୃହରେ ଧାନର ଗୁଣବତ୍ତା ନିର୍ଣ୍ଣୟ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଆଠ ଗୋଟି ବ୍ଲକରେ ଥିବା ପ୍ରାଥମିକ କୃଷି ସମବାୟ ସମିତି ଏବଂ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସମ୍ପାଦକ ଓ DEOମାନେ ଯୋଗ ଦେଇ ଧାନର ଗୁଣବତ୍ତା କେମିତି ନିର୍ଣ୍ଣୟ କରିହେବ, ସେ ବାବଦରେ ପ୍ରଶିକ୍ଷଣ ନେଇଥିଲେ । ଭଞ୍ଜନଗର ବ୍ଲକର ଯୋଗାଣ ନିରୀକ୍ଷକ ଚମ୍ପଇ ମାର୍ଣ୍ଡି ଓ କ୍ୱାଲିଟି analyst ଶ୍ରୀମତୀ ପୂଜା ସାହୁ ମାଷ୍ଟର ଟ୍ରେନର ହିସାବରେ ସମସ୍ତଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଯେହେତୁ ଉପଖଣ୍ଡର ସମସ୍ତ ଜାଗାରେ ଧାନ କିଣା ଆରମ୍ଭ ହୋଇଗଲାଣି, ତେଣୁ ସମସ୍ତ ସମ୍ପାଦକମାନଙ୍କୁ ଅନୁରୋଧ କରାଯାଇଥିଲା, ସେମାନେ ଯଥା ଶୀଘ୍ର ନିଜ ନିଜର ସୋସାଇଟିରେ ଉକ୍ତ ଟ୍ରେନିଂ କାର୍ଯ୍ୟକ୍ରମ କରିବା ପାଇଁ । ସୋସାଇଟି ଲେବେଲ ପ୍ରକୂରମେଣ୍ଟ କମିଟିର ସମସ୍ତ ସଦସ୍ୟ ତଥା ଚାଷୀମାନଙ୍କୁ ସେଠାରେ ଟ୍ରେନିଂ ଦେବା ପାଇଁ ଉପଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଏ ବର୍ଷ ଯେମିତି ଧାନ କିଣା ସୁରୁଖୁରରେ ଚାଲି ପାରିବ ସେଥିପାଇଁ ସେ ଖାଦ୍ୟ ଯୋଗାଣ ବିଭାଗ, ସମବାୟ ବିଭାଗ ତଥା RMCର କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ ମହାନ୍ତି, RMC ସମ୍ପାଦକ କସ୍ତୁରୀ ସନ୍ୟାସୀ ରାଜୁ, ସମସ୍ତ ଆଠ ଗୋଟି ବ୍ଲକର ଯୋଗାଣ ନିରୀକ୍ଷକ, ସମବାୟ ବିଭାଗର ଅଧିକାରୀମାନେ ଯୋଗଦାନ କରିଥିଲେ । ସଭାକାର୍ଯ୍ୟକୁ ଉପଖଣ୍ଡ ଲୋକ ସୂଚନା ଅଧିକାରୀ ଗୌରୀ ଶଙ୍କର ଶତପଥି ପରିଚାଳନା କରିଥିଲେ ।