jayashree

ଗୋପାଳପୁର ଏସ୍ଇଜେଡ୍ ଶିଳ୍ପ ନିମନ୍ତେ ପ୍ରସ୍ତାବିତ ଜଳ ଯୋଗାଣ ହିତାଧିକାରୀଙ୍କ ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ଏସ୍ଇଜେଡ୍ ଶିଳ୍ପ ସକାଶେ ଆବଶ୍ୟକ ହେବାକୁ ଥିବା ଜଳଯୋଗାଣ ଘଟକେଶ୍ୱର ପ୍ରକଳ୍ପଠାରୁ ଯୋଗାଇ ଦିଆଯିବ । ଏଥି ସକାଶେ ପୂର୍ବରୁ ପ୍ରସ୍ତାବ ରହିଥିଲା ତାହା କାର୍ଯ୍ୟକାରୀ କରିବା ନିମନ୍ତେ ଘଟକେଶ୍ୱର ପ୍ରକଳ୍ପଠାରୁ ଗୋପାଳପୁର ଶିଳ୍ପ ପାର୍କ ପର୍ଯ୍ୟନ୍ତ ବିଛାଯାଇ ଜଳ ଯୋଗାଣ ବ୍ୟବସ୍ଥା କରାଯିବ । ଏହି ପାଇପ୍ ବିଛା କାର୍ଯ୍ୟକ୍ରମ ସକାଶେ ରେଳବାଇ ବିଭାଗ, ଜାତୀୟ ରାଜପଥ ବିଭାଗ, ଜଳ ସମ୍ପଦ ବିଭାଗ, ଜଙ୍ଗଲ ବିଭାଗ, ପୂର୍ତ୍ତ ବିଭାଗ (ପିଡବ୍ଲ୍ୟୁଡି) ସହମତି କ୍ରମେ ବ୍ୟବସ୍ଥା କରାଯିବ । ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ ସକାଶେ ଶୁକ୍ରବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଘଟକେଶ୍ୱର ପ୍ରକଳ୍ପଠାରୁ କଙ୍କିଆ ଗ୍ରାମ, ତାମଣା, କନିଷି ଜାତୀୟ ରାଜପଥ ଦେଇ ଟାଟା ପ୍ରକଳ୍ପ ପର୍ଯ୍ୟନ୍ତ ସମୁଦାୟ ୩୦.୨୧୮କିଲୋମିଟର ରାସ୍ତାରେ ପାଇପ୍ ବିଛାଯିବ । ରାସ୍ତା ପାଶ୍ୱରେ ବିଛାଯିବାକୁ ଥିବା ଏହି ପାଇପ୍ ଲାଇନ୍ ରେଳ ବିଭାଗ, ଜଙ୍ଗଲ ବିଭାଗ, ଜାତୀୟ ରାଜପଥ, ଜଳ ସମ୍ପଦ ବିଭାଗଠାରୁ ଅନୁମତି ସଂଗ୍ରହ ଯଥାଶୀଘ୍ର କରି ହସ୍ତାନ୍ତର କରିବା ସକାଶେ ସମସ୍ତ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଅବଗତ କରିଥିଲେ । ଏହି କାର୍ଯ୍ୟ ସମାପନ ସକାଶେ ଦୁଇ ବର୍ଷ ସମୟ ଲାଗିବ । ଯଥାଶୀଘ୍ର ସମାପନ କରିବାକୁ ଇଡକୋ ଦ୍ୱାରା ନିର୍ଦ୍ଦେଶ ରହିଥିବା ବୈଠକରେ ଜଣାପଡିଛି । ଜିଲ୍ଲାପାଳ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ ଯେ, ଗୋପାଳପୁର ଶିଳ୍ପ ପାର୍କ ସକାଶେ ଜଳ ଯୋଗାଣ ବ୍ୟବସ୍ଥା ଯଥାଶୀଘ୍ର ଠିକଣା ସମୟ ପୂର୍ବରୁ ସମାପନ କରିବାର ଆବଶ୍ୟକତା ରହିଛି । କାରଣ ଜଳ ଯୋଗାଣ ବ୍ୟବସ୍ଥା ହେଲେ ଅନେକ ଶିଳ୍ପ ପ୍ରତିଷ୍ଠା ସକାଶେ ବାଟ ସୁଗମ ହେବ ଏବଂ ଏହି ଅଞ୍ଚଳର ଅର୍ଥନୈତିକ ବିକାଶ ସାଧିତ ହେବ ।

Leave A Reply

Your email address will not be published.