ବ୍ଲକସ୍ତରୀୟ ନୂଆ-ଓ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗଡ଼ମୋଟରୀ ବିଶ୍ୱନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠଠାରେ ଡେଲାଙ୍ଗ ପଞ୍ଚାୟତ ସମିତି ଦ୍ୱାରା ଆୟୋଜିତ ବ୍ଲକସ୍ତରୀୟ ‘ନୂଆ-ଓ’ କ୍ରୀଡା ପ୍ରତିଯୋଗିତା ବୁଧବାର ଉଦ୍‌ଘାଟିତ ହୋଇଛି । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ନୂଆ ଓଡ଼ିଶା, ଯୁବ ଓଡ଼ିଶା, ନବୀନ ଓଡ଼ିଶାର ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ ଯୋଗଦେଇ ବ୍ଲକସ୍ତରୀୟ ‘ନୂଆ-ଓ’ କ୍ରୀଡା ପ୍ରତିଯୋଗିତାକୁ ପତକା ଉତ୍ତୋଳନ କରି ଉଦ୍‌ଘାଟନ କରିଥିଲେ । ଉକ୍ତ ଉତ୍ସବରେ ଡେଲାଙ୍ଗ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ ଏଥିରେ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଡେଲାଙ୍ଗ ତହସିଲଦାର ସନ୍ତୋସ୍ୱନୀ ଦାଶ ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟା ପ୍ରଜ୍ଞା ଛୋଟରାୟ, ସ୍ଥାନୀୟ ସରପଞ୍ଚ ମାର୍କଣ୍ଡ ମଙ୍ଗରାଜ, ଜୟନ୍ତୀ ବରାଳ, ଏବିଡ଼ିଓ ପ୍ରଦୀପ୍ତ କୁମାର ନାୟକ, ଏବିଇଓ ଲକ୍ଷ୍ମଣ ପ୍ରଧାନ, ବିଦ୍ୟାପୀଠର ପ୍ରଧାନ ଶିକ୍ଷୟିତ୍ରୀ ମମତା ବେହେରା ଯୋଗଦେଇଥିଲେ । କ୍ରୀଡା ଶିକ୍ଷକ ସୀତାକାନ୍ତ ରାଉତରାୟ ସଂଯୋଜନା କରିବା ସହ କ୍ରୀଡା ପ୍ରତିଯୋଗିତା ସମ୍ପର୍କରେ ସୂଚନା ଦେଇଥିଲେ । ଏହି ବ୍ଲକସ୍ତରୀୟ ‘ନୂଆ-ଓ’ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ ଅବସରରେ କ୍ରୀଡା ଜର୍ସିକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ପରେ ଖେଳାଳିମାନଙ୍କ ସହ କରମର୍ଦନ କରି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ କବାଡି, ଖୋଖୋ, ଭଲିବଲ, ଫୁଟବଲ, କ୍ରିକେଟ ଆଦି ବ୍ଲକସ୍ତରୀୟ ଖେଳ, ଘୋରାଡ଼ିଆ ନୋଡାଲ ଉଚ୍ଚ ବିଦ୍ୟାଳୟ, ଗଡ଼ମୋଟାରୀ ବିଶ୍ୱନାଥ ଦେବ ଉଚ୍ଚ ବିଦ୍ୟାପୀଠ, ହରିରାଜପୁର ସୋମନାଥ ଦେବ ଉଚ୍ଚ ବିଦ୍ୟାଳୟ, ଉତ୍କଳମଣି ଗୋପବନ୍ଧୁ ବିଦ୍ୟାନିକେତନ, ସିଂହ ବ୍ରହ୍ମପୁର, ରାଧାକାନ୍ତ ଦେବ ଉଚ୍ଚ ବିଦ୍ୟାଳୟ, ଡେଲାଙ୍ଗ ଷ୍ଟେସନ ବଜ଼ାରଠାରେ ଅନୁଷ୍ଠିତ ହୋଇ ପ୍ରତି ଖେଳର ଚାମ୍ପିୟାନ ଓ ଭଲ ଖେଳାଳିଙ୍କୁ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ ମନୋନୀତ କରାଯିବା ନେଇ ବ୍ଲକ ପ୍ରଶାସନ ପକ୍ଷରୁ ଏବିଡ଼ିଓ ପ୍ରଦୀପ୍ତ କୁମାର ନାୟକ ସୂଚନା ଦେଇଥିଲେ ।

Leave A Reply

Your email address will not be published.