ପୁରୀ : ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ସଂପୂର୍ଣ୍ଣ ବଦଳିବାକୁ ଯାଉଛି । ଯେଉଁ ବାଟ ଦେଇ ଭକ୍ତ ଶ୍ରୀମନ୍ଦିରକୁ ଯାଉଥିଲେ, ସେ ବ୍ୟବସ୍ଥା ବନ୍ଦ ହେବାକୁ ଯାଉଛି । ଏହି ନୂଆ ବ୍ୟବସ୍ଥା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଆରମ୍ଭ ହୋଇପାରେ । ଏଥିପାଇଁ ଅଭ୍ୟର୍ଥନା କେନ୍ଦ୍ରରେ ଟାଇଲ୍ ବିଛା କାମ ଚାଲିଛି । ଭିଡ଼ ନିୟନ୍ତ୍ରଣ ପାଇଁ ୩ ପ୍ରକାର ଟ୍ରାଫିକ ନିୟନ୍ତ୍ରଣ ଓ ଧାଡ଼ି ଦର୍ଶନ ବ୍ୟବସ୍ଥା କରା ଯାଉଛି । ଆଜି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ, ଟାଟା ପାୱାର ନିର୍ବାହୀ ଯନ୍ତ୍ରୀ ସ୍ମୃତିରଂଜନ ସ୍ୱାଇଁ ପ୍ରମୁଖ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବଡ଼ଦାଣ୍ଡରେ ମରିଚିକୋଟ ଛକରୁ ନୂଆ ଶୀତତାପ ନିୟନ୍ତ୍ରିତ ସେଡ୍ ନିର୍ମାଣ ହେଉଛି । ସେଡ୍ରୁ ବାହାରିବା ବେଳେ ଭକ୍ତମାନେ ୬ଟି ଧାଡ଼ିରେ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ଅଭ୍ୟର୍ଥନା କେନ୍ଦ୍ରକୁ ଯିବେ । ଶ୍ରୀଜଗନ୍ନାଥବଲ୍ଲଭ ପାର୍କିଂରୁ ଶ୍ରୀଦାଣ୍ଡ ବାଟରୁ ବାହାରୁଥିବା ଭକ୍ତଙ୍କ ପାଇଁ ବି ନୂଆ ଶୀତତାପ ନିୟନ୍ତ୍ରିତ ସେଡ୍ ନିର୍ମାଣ ଚାଲିଛି । ଏଠାରୁ ଅଭ୍ୟର୍ଥନା କେନ୍ଦ୍ରକୁ ଭକ୍ତଙ୍କ ପ୍ରବେଶ ପାଇଁ ୪ଟି ଧାଡ଼ି ରହିବ । ଦୁଇ ସେଡ୍ ଦେଇ ୧୦ଟି ଧାଡ଼ିରେ ଭକ୍ତମାନେ ଅଭ୍ୟର୍ଥନା କେନ୍ଦ୍ରରେ ପଶିବେ । ସେଠାରୁ ସାନଛତା ମଠ ଦେଇ ମେଘନାଦ ପାଚେରି କଡ଼ରେ ଏକ ଛୋଟ ସେଡ୍ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ । ଯେଉଁମାନେ ଗାଣ୍ଡୁଆ ଚଉରା, ଗଡ଼ନ୍ତି ଛକ ପାଶ୍ୱରୁ ଆସିବେ, ସେମାନେ ଦୋଳବେଦି କୋଣ ଦେଇ ଆସିବା ପରେ ଗ୍ରାଣ୍ଡ୍ ସେଣ୍ଟରଠାରୁ ଅଭ୍ୟର୍ଥନା କେନ୍ଦ୍ରରେ ପଶିବେ । ଦୋଳମଣ୍ଡପ ସାହି, କାକୁଡ଼ିଖାଇ ପାଶ୍ୱରୁ ଆସୁଥିବା ଭକ୍ତ ସିଂହଦ୍ୱାର ଦେଇ ଗ୍ରାଣ୍ଡ ସେଣ୍ଟରଠାରୁ ଅଭ୍ୟର୍ଥନା କେନ୍ଦ୍ରରେ ପଶିବାକୁ ବ୍ୟବସ୍ଥା କରାଯାଇଛି । ସର୍ବସାଧାରଣ ଦିନରେ ଏହି ବ୍ୟବସ୍ଥାରେ ଭକ୍ତମାନେ ଦର୍ଶନ ପାଇଁ ଯାଇପାରିବେ । ଯଦି ଶନିବାର, ରବିବାର ଓ ଅନ୍ୟ ଛୁଟିଦିନରେ ଯଦି ଭକ୍ତଙ୍କ ଭିଡ଼ ଗ୍ରାଣ୍ଡ୍ ସେଣ୍ଟର ପର୍ଯ୍ୟନ୍ତ ବଢ଼ିଲା, ତେବେ ଶ୍ରୀଜଗନ୍ନାଥବଲ୍ଲଭ ପାର୍କିଂରୁ ଶ୍ରୀଦାଣ୍ଡ ଦେଇ ଶ୍ରୀକୃଷ୍ଣ ସିନେମା ଗଳିରୁ ବଡ଼ଦାଣ୍ଡ ସେଡ୍ ଦେଇ ଅଭ୍ୟର୍ଥନା କେନ୍ଦ୍ରକୁ ଛାଡ଼ିବା ବ୍ୟବସ୍ଥା କରାଯାଉଛି । ଶ୍ରୀକୃଷ୍ଣ ସିନେମା ଗଳି ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ଼ ଥିଲେ ଶ୍ରୀଜଗନ୍ନାଥବଲ୍ଲଭ ପାର୍କିଂରୁ ଶ୍ରୀଦାଣ୍ଡ ଦେଇ ଶନି ମନ୍ଦିର ଗଳିରୁ ଭକ୍ତଙ୍କୁ ବଡ଼ଦାଣ୍ଡରୁ ମରିଚିକୋଟ ଛକରୁ ସେଡ୍ରେ ଭକ୍ତଙ୍କୁ ଛାଡ଼ିବାର ବ୍ୟବସ୍ଥା କରାଯାଇଛି । ପ୍ରସ୍ତାବିତ ଯୋଜନା ଅନୁଯାୟୀ, ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ରକୁ ୧୦ଟି ପ୍ରବେଶ ପଥ ରହିବ । ଏଠାରେ ୧୦ଟି କ୍ଲକ୍ ରୁମ୍ ରହିବ, ଯେଉଁଠି ଭକ୍ତମାନେ ଜୋତା ଓ ଅନ୍ୟାନ୍ୟ ଦରକାରୀ ଆସବାବ ରଖିପାରିବେ । କିନ୍ତୁ ଯେ, ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ମନ୍ଦିର ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ସରିନି, ସେ ପର୍ଯ୍ୟନ୍ତ ଭକ୍ତମାନେ ବଡ଼ଦାଣ୍ଡ ଓ ଶ୍ରୀଦାଣ୍ଡ ନିକଟରେ ହେବାକୁ ଥିବା କ୍ଲକ୍ ରୁମ୍ରେ ଜୋତା ଓ ଅନ୍ୟାନ୍ୟ ଆସବାବ ରଖିପାରିବେ । ଅଘଟଣ ସମୟରେ ଅଭ୍ୟର୍ଥନା କେନ୍ଦ୍ରରୁ ବାହାରିବାକୁ ଯଥେଷ୍ଟ ବାଟ ବି ରହିବ । ଯେଉଁମାନେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ବୁଲିବାକୁ ଚାହୁଛନ୍ତି, ସେମାନଙ୍କ ପାଇଁ ଭିନ୍ନ ମୋବାଇଲ୍ କାଉଣ୍ଟର୍ ରହିବ ।
Next Post