ବଲାଙ୍ଗିର, (କେପିଏନ୍ଏସ୍) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୩ ପାଳନ ଉପଲକ୍ଷେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅସ୍ଵାନ ହଲ୍ରେ ସାଧୁତାର ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଏହି ଶପଥ ପାଠ କରାଇଥିଲେ । ଦେଶର ଆର୍ଥିକ, ରାଜନୈତିକ ଏବଂ ସାମାଜିକ ପ୍ରଗତି ପଥେ ଦୁର୍ନୀତି ସବୁଠୁ ବଡ ପ୍ରତିବନ୍ଧକ । ତେଣୁ ଏହାର ମୂଳୋତ୍ପାଟନ ନିମନ୍ତେ ସରକାର, ନାଗରିକ ତଥା ଘୋରୋଇ କ୍ଷେତ୍ରରେ ଏକତ୍ର ହୋଇ କାର୍ଯ୍ୟ କରିବା ଆବଶ୍ୟକ । ତେଣୁ ସମସ୍ତ ନାଗରିକ ସବୁ ସମୟରେ ସତର୍କତା ତଥା ସାଧୁତା ଓ ସତ୍ୟନିଷ୍ଠାରେ ପ୍ରତିବଦ୍ଧ ରହି ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମକୁ ସମର୍ଥନ କରିବା ଉଚିତ୍ ବୋଲି ଶପଥ ପାଠ ହୋଇଥିଲା । ତେଣୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଏବଂ ଆଇନ ଅନୁପାଳନ କରିବା, ଉତ୍କୋଚ ନ ନେବାକୁ କି ନ ଦେବାକୁ ତଥା ନିଜ ଦାୟିତ୍ଵକୁ ସାଧୁତା ଏବଂ ସ୍ଵଚ୍ଛତାର ସହ ସମ୍ପାଦନ କରିବାକୁ ସମସ୍ତେ ଶପଥ ନେଇଥିଲେ । ଜନସାଧାରଣଙ୍କ ହିତ ସାଧନ ସହ ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତମୂଳକ ସାଧୁତା ବଜାୟ ରଖି ଦୁର୍ନୀତି ସମ୍ପର୍କିତ କୌଣସି ଘଟଣା ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବାକୁ ସମସ୍ତେ ଶପଥ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଭିଜିଲାନ୍ସ ଡିଏସ୍ପି ପୌଲସ୍ତି ଛତ୍ରିଆ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ପାଇଁ ବେଲପଡା ବ୍ଲକ ଅଫିସରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ତଥା ବ୍ଲକ ଅଧିକାରୀଙ୍କ ସହ ଏହି ଆଭାସୀ ଶପଥ ପାଠରେ ଯୋଗ ଦେଇଥିଲେ ।