centurian jitm

ଯୋଜନା ହଡପ କରୁଛି ରାଜ୍ୟ ସରକାର : ନରସିଂହ

nschool
  • ପ୍ରକଳ୍ପ ଚୋରି କରୁଛନ୍ତି ସ୍ଥାନୀୟ ସରକାରୀ ଦଳର ନେତା : ନରସିଂହ
  • ବିକାଶ ବିରୋଧିଙ୍କ ଚୋରି ନିଶ୍ଚିତ ଭାବରେ ଧରାପଡିବ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳିର ବିକାଶ ପାଇଁ ସରକାରଙ୍କ ଠାରେ ଲଢେଇ କରି ଅନେକ ପ୍ରକଳ୍ପ ଅଣାଯାଇଛି । କୃଷି, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ କ୍ରୀଡା ଓ ଗମନାଗମନ ପ୍ରତ୍ୟେକ କ୍ଷେତ୍ରରେ ଗୋଟିଏ ଗୋଟିଏ ପ୍ରକଳ୍ପ ପାଇଁ ଅନେକ ସଂଘର୍ଷ କରାଯାଇଛି । ରାଜ୍ୟରେ ଯାହାବି ଯୋଜନା ପ୍ରଣୟନ ହେଲା ସରକାରଙ୍କ ଠାରେ ଦାବି କରି ବଲାଙ୍ଗିର ପାଇଁ ନିଶ୍ଚିତ ଭାବେ ସେ ଯୋଜନାକୁ ଲୋକଙ୍କ ହିତ ପାଇଁ ଅଣାଯାଇଛି । କିନ୍ତୁ ଆଜିକାଲି ଦେଖାଯାଉଛି ଲୋକଙ୍କ ଦାବି ମୁତାବକ ଲଢେଇ କରି ଅଣାଯାଇଥିବା ପ୍ରକଳ୍ପ ଗୁଡିକୁ ସ୍ଥାନୀୟ ସରକାରୀ ଦଳ ରାଜନେତାମାନେ ଚୋରି କରି ନେବାରେ ଲାଗିଛନ୍ତି । ଠିକ୍‌ ସେହିପରି ରାଜ୍ୟସରକାର ମଧ୍ୟ ବିଭିନ୍ନ କେନ୍ଦ୍ର ସରକାରଙ୍କ ଯୋଜନାକୁ ହଡପ କରି ଲୋକଙ୍କୁ ମିଥ୍ୟ କହି ଭୁଆଁ ବୁଲାଉଛନ୍ତି ବୋଲି ଆଜି ସ୍ଥାନୀୟ ହୋଟେଲ ସେଲିବ୍ରେସନର ସମ୍ମିଳନୀ କକ୍ଷରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ କ୍ଷୋଭର ସହ କହିଛନ୍ତି । ସେ ଉଦାହରଣ ଦେଇ କହିଛନ୍ତି ଯେ ଦିଶା ବୈଠକର ଏହି ବର୍ଷର ଦ୍ୱିତୀୟ ବୈଠକରେ ଅମୃତ ଯୋଜନା ଅନ୍ତର୍ଗତ ୧୨ କୋଟି ଟଙ୍କାର ଡିପିଆର ମଂଜୁର ହୋଇ ମହାରାଣୀ ସାଗରର କାମ ହେବ ବୋଲି ଦର୍ଶାଯାଇଥିଲା । କିନ୍ତୁ ପରବର୍ତ୍ତି ସମୟରେ ପୁଣି ୧୨ କୋଟି ଟଙ୍କାର ଦ୍ୱିତୀୟ ପର୍ଯ୍ୟାୟ ଉନ୍ନତିକରଣ ପାଇଁ ମୋ ପୋଖରୀ ଯୋଜନାରେ ତାହାକୁ ଅନ୍ତର୍ଗତ କଲା ବୋଲି ଦର୍ଶାଇ ଦିଆଗଲା । କିନ୍ତୁ ଦୁଃଖର ବିଷୟ ଏହି କିଛି ଦିନ ଆଗରୁ ହୋଇଥିବା ଦିଶା ବୈଠକରେ ଅମୃତ ଯୋଜନା ଅନ୍ତର୍ଗତ ମହାରାଣୀ ସାଗର ତଥା ଅନ୍ୟାନ୍ୟ ପୋଖରୀ ପାଇଁ ଅନୁଦାନ ରାଶି କିଛି ନାହିଁ ବୋଲି ସବିଶେଷ ବିବରଣୀ ଦିଆଗଲା ଏବଂ ସେ ସମସ୍ତ କେନ୍ଦ୍ରୀୟ ଅନୁଦାନକୁ ମୋ ପୋଖରୀ ଯୋଜନା ଅନ୍ତଭୁକ୍ତ କରାଗଲା ବୋଲି ବୈଠକରେ ଉପସ୍ଥିତ ପିଡି ଡୁଡା ମିଥ୍ୟା ତଥ୍ୟ ଉପସ୍ଥାପନା କଲେ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନା ଗୁଡିକୁ ଚୋରି କରିବାରେ ଲାଗିଛନ୍ତି । ଠିକ୍‌ ସେହି ପରି ସ୍ଥାନୀୟ ରାଜ ପରିବାର ତଥା ସରକାରୀ ଦଳର ନେତାମାନେ କୌଣସି ପ୍ରକଳ୍ପ ବଲାଙ୍ଗିରକୁ ଆଣିବା ପାଇଁ କାଣିଚାଏ ମଧ୍ୟ ଉଦ୍ୟମ ନ କରି ଆମ ପ୍ରଚେଷ୍ଟାରେ ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆକୁ ଆସିଥିବା ଅନୁଦାନର ଚିଠି ବିଭାଗ ଠାରୁ କୌଣସି ମତେ ହସ୍ତଗତ କରି ଆମେ କରୁଛୁଁ ବୋଲି ଡିମ୍‌ଡିମ୍‌ ପିଟୁଛନ୍ତି । ବଲାଙ୍ଗିର ଜନସାଧାରଣ ନିଶ୍ଚିତ ଭାବରେ ଖୁସି ହେବେ ଯଦି ଆମ ଦ୍ୱାରା ପ୍ରସ୍ତାବିତ ଓ ମଞ୍ଜୁରିପ୍ରାପ୍ତ ପ୍ରକଳ୍ପ ଯାହାକି ବର୍ଷେ ଆଗରୁ ବିଭାଗକୁ ପ୍ରସ୍ତାବ ପଠାଯାଇଥିଲା ତାହାକୁ ଚୋରି ନ କରି ବଲାଙ୍ଗିର ପାଇଁ କୃଷି ବିଶ୍ୱ ବିଦ୍ୟାଳୟ, ବଲାଙ୍ଗିର ହାଇକୋର୍ଟ ବେଞ୍ଚ କିମ୍ବା ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଓ ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟ ପାଇଁ ପ୍ରାଧ୍ୟାପକ ଆଣି ବଲାଙ୍ଗିରବାସୀଙ୍କୁ ଉପହାସ ଦେଇପାରିବେ । ଆହୁରି ଲଜ୍ୟାଜନକ ବିଷୟ ଯେ ଜରାସିଂହା ଠାରେ ଆମ ଦ୍ୱାରା ପ୍ରସ୍ତାବିତ ବ୍ୟୟ ଅଟକଳ ୪ କୋଟି ୭୫ ଲକ୍ଷ ୮୩ ହଜାର ଟଙ୍କାର ପ୍ରକଳ୍ପ ମଞ୍ଜୁରି ଅପେକ୍ଷାରେ ଥିଲେ ହେଁ ସ୍ଥାନୀୟ ବିଜେଡି ନେତାଙ୍କ ଚାପ ବଳରେ ପ୍ରକଳ୍ପ ଅଟକି ରହିଛି । ସାମ୍ବାଦିକ ସମ୍ମିଳନୀ ଶ୍ରୀ ମିଶ୍ର ବଲାଙ୍ଗିର ଟାଉନ ଉଚ୍ଚ ବିଦ୍ୟାଳୟରେ ବହୁଶୀଘ୍ର ହକି ଷ୍ଟାଡିୟମର ନିର୍ମାଣ ପାଇଁ ମଞ୍ଜୁରି ମିଳିବ ବୋଲି ସୂଚନା ଦେଇଥିଲା ଏହା ସହ ସେ କହିଥିଲେ ଯେ ରାଜ ପରିବାରର ଲୋକେ କ୍ଷମତାରେ ଥିଲାବେଳେ ବଲାଙ୍ଗିର ପାଇଁ ଏକ ବ୍ୟାଡମିଣ୍ଟନ ଇନଡୋର ଷ୍ଟାଡିୟମ ଅନୁଦାନ ଆସିଥିଲା କିନ୍ତୁ ତାଙ୍କ ବିରୋଧ ଯୋଗୁଁ ସେତେବେଳେ ଯେହେତୁ ସୋନପୁର ଜିଲ୍ଲା ବଲାଙ୍ଗିର ପୁର୍ତ୍ତ ବିଭାଗ ଅଧିନରେ ଥିଲା ସେହି ଇନ୍‌ଡୋର ଷ୍ଟାଡିୟମଟି ବହୁ ବର୍ଷ ଆଗରୁ ବଲାଙ୍ଗିର ପରିବର୍ତ୍ତେ ସୋନପୁର ଠାରେ ନିର୍ମାଣ ହୋଇଥିଲା ବୋଲି ଶ୍ରୀ ମିଶ୍ର କ୍ଷୋଭର ସହ କହିଥିଲେ । ଏଥିରୁ ବଲାଙ୍ଗିର ସାଧାରଣ ଜନତା ଏହି ରାଜ ପରିବାର ଏବଂ ତାଙ୍କ ନେତାମାନଙ୍କୁ ଠିକ୍‌ ହିସାବରେ ଚିହ୍ନନ୍ତୁ, ସେମାନେ ଅନେକ ବର୍ଷ ଧରି କ୍ରୀଡା, ଖଣି, ପୁର୍ତ୍ତ, ଅବକାରୀ, ଯୋଜନା ସମନ୍ୱୟ, ସାଂସଦ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିଲେ ହେଁ ବଲାଙ୍ଗିର ପାଇଁ କୌଣସି ଆଖି ଦୃଶିଆ ପ୍ରକଳ୍ପ ଆଣି ନାହାନ୍ତି । ଓଲଟା ତାଙ୍କ ପ୍ରତିରୋଧ ଯୋଗୁଁ ବଲାଙ୍ଗିର ମେଡିକାଲ କଲେଜର ନିର୍ମାଣ ୧୮ ବର୍ଷ ବିଳମ୍ବରେ ହେଲା ବୋଲି ବିଧାୟକ ଶ୍ରୀ ମିଶ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଆଜିର ଏହି ସାମ୍ବାଦିକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତିତ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା, ଜିଲ୍ଲା କଂଗ୍ରେସ ମୁଖପାତ୍ର ଅଜୟ ବାଲି, ଉପସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ନଗର ସଭାପତି ବୁଲୁ ଦାନି ପ୍ରମୁଖ ମଂଚାସିନ ଥିଲେ ।

Leave A Reply

Your email address will not be published.