csstore

ଛତାମଖନା ଠାରେ ୧୫୪ କୋଟି ଟଙ୍କାର ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପ ପାଇଁ ବାଟ ଖୋଳିଲା : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚିର ମରୁଡି ପ୍ରପୀଡିତ ବଲାଙ୍ଗିର ଜିଲ୍ଲାରେ ନିଶ୍ଚିତ ଜଳସେଚନ ମାତ୍ର ୩% । ଏଠାରେ ଚାଷୀ ପ୍ରାୟତଃ ମୌସୁମୀ ବର୍ଷା ଉପରେ ନିର୍ଭର କରେ । ବର୍ଷା ଜଳ ତଥା ଭୂତଳ ଜଳ ସଂରକ୍ଷଣ ହେଇପାରିଲେ ଚାଷୀ ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ନିଶ୍ଚୟ ଲାଭବାନ ହେବ । ତେଣୁ ଅନେକ ଦିନରୁ ଚେଷ୍ଟା ଚାଲିଥିଲା ଛତାମଖନା କିରାବାହାଲ ନିକଟରେ ବୋହି ଯାଇଥିବା ଲୋୟର ସୁକତେଲ ନଦୀର ଇନ୍‌ଷ୍ଟ୍ରିମରେ ଏକ ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ ପାଇଁ ଏବଂ ତାହା ଆଜି ସଫଳ ହେବାକୁ ଯାଉଛି ବୋଲି ଏହି ପ୍ରକଳ୍ପର ପରିକଳ୍ପନା କରିଥିବା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସୂଚନା ଦେଇଛନ୍ତି ।

୧୫୪ କୋଟି ୭୭ ଲକ୍ଷ ଟଙ୍କାର ଏହି ପ୍ରକଳ୍ପ ପାଇଁ ଦୁଇ ଦିନ ପୂର୍ବେ ଟେଣ୍ଡର ଆହ୍ୱାନ ପାଇଁ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କ ଠାରୁ ମଞ୍ଜୁରି ପତ୍ର ମିଳିସାରିଛି । ରାଜ୍ୟ ସାରା ଏପରି ୮ଟି ପ୍ରକଳ୍ପ ମଞ୍ଜୁର ହୋଇଥିବା ସ୍ଥଳେ ବଲାଙ୍ଗିର ପାଇଁ ମଧ୍ୟ ଏହି ବହୁକୋଟି ଟଙ୍କାର ପ୍ରକଳ୍ପ ଏହି ଅଂଚଳର ଚାଷୀମାନଙ୍କ ପାଇଁ ଖୁସିର ବିଷୟ । ଏହି ପ୍ରକଳ୍ପ ଯୋଗୁଁ ଏ ଅଂଚଳର ହଜାର ହଜାର ଜମି ଚାଷ ଜମି ପ୍ରତ୍ୟକ୍ଷ ଭାବରେ ଜଳସେଚିତ ହେବା ସହ ପ୍ରକଳ୍ପର ମୁଖ୍ୟ ଉଦେଶ୍ୟ ଭୂତଳ ଜଳ ଠିକ୍ ହିସାବରେ ସଂରକ୍ଷଣ କରାଯିବାର ଯୋଜନା ଥିବାରୁ ସୁକତେଲ ନଦୀ ଉପରେ ଅନେକ ଇନ୍‌ଟେକ୍ ୱେଲ ନିର୍ମାଣ କରି ନଦୀର ଉଭୟ ପାଶ୍ୱର୍ରେ ଥିବା ଚାଷୀମାନେ ତାଙ୍କର ଜମିକୁ ପାଣି ନେଇପାରିବେ । ଭୂତଳ ଜଳ ସଂରକ୍ଷଣ ଯୋଗୁଁ ସୁକତେଲର ଉଭୟ ପାଶ୍ୱର୍ରେ ଥିବା ଜମିର ଜଳ ଧାରଣ କ୍ଷମତା ବଢିଯିବ । ଫଳରେ ଅଂଚଳର ଚାଷୀ ଏଥିରୁ ମଧ୍ୟ ଲାଭାନ୍ୱିତ ହେବେ ବୋଲି ଆଶା କରାଯାଉଛି ।

ପ୍ରକାଶ ଯେ, ଜଳ ସଂପଦ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ ଚିଠି ସଂଖ୍ୟା ୨୬୩୧୫ ତା.୧୦.୧୨.୨୦୨୦ ଅନୁସାରେ ସମସ୍ତ ବିଭାଗୀୟ ଯନ୍ତ୍ରୀଙ୍କୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦିଆ ସରିଛି । କରୋନା ସଂକ୍ରମଣ ସମୟରେ ଅନେକ ପ୍ରକଳ୍ପ କାର୍ୟ୍ୟ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ବାଧାପ୍ରାପ୍ତ ହୋଇଥିବା ବେଳେ ଏହି ୧୫୪ କୋଟି ଟଙ୍କାର ଜଳ ସଂରକ୍ଷଣ ପ୍ରକଳ୍ପ ନିଶ୍ଚିତ ଭାବେ ବଲାଙ୍ଗିର ପାଇଁ ଏକ ଖୁସି ଖବର । ତେବେ ଆଗାମୀ ଦିନରେ ବିଭିନ୍ନ ଯୋଜନା ମାଧ୍ୟମରେ ବଲାଙ୍ଗିର ର ଅନ୍ୟାନ୍ୟ ଅଂଚଳର ଚାଷ ଜମିକୁ ଜଳସେଚିତ କରିବା ପାଇଁ ପ୍ରୟାସ ଜାରି ରହିବ ବୋଲି ବିଧାୟକ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.