csstore

ବସୁଧା ପାନୀୟ ଜଳ ଯୋଗାଣ ଅବ୍ୟବ‌ସ୍ଥା : ଫାଟି ଯାଇଛି ଟାଙ୍କି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକର ବାଦିକଟା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ସାପଲହର ଗ୍ରାମ ବାସିନ୍ଦାଙ୍କ ଉତ୍କଟ ପାନୀୟ ଜଳ ସମସ୍ୟା ଯୋଗୁଁ ପ୍ରାୟ ଦୁଇ ବର୍ଷ ହେଲା ପଂଚାୟତ ରାଜ ବିଭାଗ, ବରଗଡ଼ ଏକ ପାଣି ଟାଙ୍କି ନିର୍ମାଣ କରିଥିଲେ । କିନ୍ତୁ ପାଣି ଟାଙ୍କି ନିର୍ମିତ ହେବା ଦିନଠାରୁ ସର୍ବସାଧାରଣଙ୍କୁ ବିଛାଯାଇଥିବା ପାଇପରେ ପାଣି ଯୋଗାଇ ଆସୁଥିଲେ ସୁଦ୍ଧା ନୂତନ ଭାବେ ନିର୍ମିତ ହୋଇଥିବା ପାଣି ଟାଙ୍କିରେ ପାଣି ସଂଗ୍ରହ କରାଯାଇ ଲୋକଙ୍କ ଚାହିଦା ମୁତାବକ ପିଇବା ପାଇଁ ପାଣି ଯୋଗାଣ କରା ନଯିବା ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଫଳରେ ପାଣିଚାଳକ ବାଧ୍ୟ ହୋଇ ଟାଙ୍କିରେ ପାଣି ଗଚ୍ଛିତ କରି ଲୋକଙ୍କୁ ଚାହିଦା ମୁତାବକ ଜଳଯୋଗାଣ ବ୍ୟବସ୍ଥା କରାଇଲେ । ହେଲେ କ’ଣ ହେବ ଚାହିଦା ମୁତାବକ ଲୋକେ ପାଣି ମୁନ୍ଦାଏ ପାଇଲେ ସତ, କିନ୍ତୁ ନୂତନ ନିର୍ମିତ ବସୁଧା ପାଣିଟାଙ୍କିରେ ଫାଟ ସୃଷ୍ଟି ହୋଇ ପାଣି ନିର୍ଗତ ହେବାରେ ଲାଗିଛି । କେତେ ଟଙ୍କାର ଅଟକଳରେ ଟାଙ୍କି ଠିକା ମାଧ୍ୟମରେ ତିଆରି ହୋଇଛି, କେବେ ଆରମ୍ଭ, କେବେ ଶେଷ ହେଲା ଫଳକ ଟିଏ ମଧ୍ୟ ନାହିଁ । ରାଜ୍ୟ ସରକାରଙ୍କ ଜନହିତକର କାର୍ୟ୍ୟକ୍ରମ ଗୁଡିକ ଠିକ୍‌ ସତ, କିନ୍ତୁ ବାସ୍ତବିକ ଦେଖିବାକୁ ଗଲେ ବରଗଡ଼ ଜିଲ୍ଲାରେ ସବୁ ପିସି କାରବାର ପାଇଁ ବସୁଧା ପରି ଗ୍ରାମୀଣ କାର୍ୟ୍ୟକ୍ରମ ଗୁଡ଼ିକ ଦିଗହରା ଅବସ୍ଥାରେ ବୋଲି ସାଧାରଣରେ ଆଲୋଚନା ହେଉଛି । ଏଣୁ ତୁରନ୍ତ ଏ ଦିଗରେ ତଦନ୍ତ ହେବା ସଙ୍ଗେ ସଙ୍ଗେ ଜନ ବହୁଳ ସାପଲହର ଗ୍ରାମରେ ନିର୍ମିତ ହୋଇଥିବା ପାଣି ଟାଙ୍କିକୁ ମରାମତି କରି ନିରନ୍ତର ଭାବେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିବାକୁ ଜନସାଧାରଣ ଦାବୀ କରନ୍ତି ।

jayashree
Leave A Reply

Your email address will not be published.