ବୁଡିଅଞ୍ଚଳ ଲୋକଙ୍କ ସମସ୍ୟା ବୁଝିଲେ ନରସିଂହ

  • ଝାଙ୍କରପାଲି ଅସ୍ଥାୟୀ କଲୋନୀ, ଚୁଡାପାଲି ଅସ୍ଥାୟୀ ଶିବିର କଲେ ପରିଦର୍ଶନ
  • ବିସ୍ଥାପିତ ଲୋକଙ୍କ ସହ କଲେ ଆଲୋଚନା
  • କଷ୍ଟରେ ରହୁଛନ୍ତି ବିସ୍ଥାପିତ : ନରସିଂହ
  • ଆଗାମୀ ୧୦ ତାରିଖରେ ହେବ ପ୍ରଶାସନ ସହ ଆଲୋଚନା : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋୟର ସୁକ୍‌ତେଲ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ହୋଇଥିବା ଲୋକମାନେ କଷ୍ଟରେ ରହୁଥିବା ସମ୍ପର୍କରେ ଖବର ପାଇବା ପରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଗତକାଲି ଝାଙ୍କରପାଲି ଥଇଥାନ କଲୋନୀ ଏବଂ ଚୁଡାପାଲି ଅସ୍ଥାୟୀ ଶିବିରକୁ ଯାଇ ବିସ୍ଥାପିତଙ୍କ ସହ ଆଲୋଚନା କରିଛନ୍ତି । ଅସ୍ଥାୟୀ ଘର ନିମ୍ନମାନର ହୋଇଥିବାରୁ ବର୍ଷା ହେବା ମାତ୍ରେ ପାଣି ଗଳୁଥିବା ଅଭିଯୋଗ କରିଥିଲେ । ଗତ ଦୁଇଦିନର ଲଗାଣ ବର୍ଷାରେ ସେମାନେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାଇଥିଲେ । ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନଥିବା କହିଥିଲେ । ପିଇବା ପାଣି ସମସ୍ୟା, ପାଇଖାନା ନଥିବାରୁ ଲୋକେ କିଭଳି ଅସୁବିଧାର ସମ୍ମୁଖିନ ହେଉଛନ୍ତି ତାହା ବିଧାୟକଙ୍କୁ ଜଣାଇଥିଲେ । ଏଭଳି କି ଛୋଟ ଛୁଆଙ୍କୁ ଠିକ୍‌ ଭାବେ ଖାଇବାକୁ ଦିଆଯାଉନଥିବା ଜଣାଇଥିଲେ । ମହିଳା ଓ ପୁରୁଷ ମାନେ ବିଧାୟକ ଶ୍ରୀ ମିଶ୍ରଙ୍କୁ ବର୍ଷାପାଣି ଗଳୁଥିବାରୁ ସେମାନେ ରନ୍ଧାବଢ଼ା କରିପାରୁନଥିବା ଏବଂ ରାତିରେ ଶୋଇ ପାରୁନଥିବା ଜଣାଇଥିଲେ । ଅଭିଯୋଗ କଲେ ଅଧିକାରୀମାନେ କାଗଜପତ୍ରରେ ଲେଖିକରି ନେଉଛନ୍ତି ଓ କିଛି କାମ କରୁନଥିବା ଅଭିଯୋଗ କରିଥିଲେ । ଲୋକଙ୍କଠାରୁ ଅଭିଯୋଗ ଶୁଣିବା ପରେ ସେଠାରେ ଥିବା ଜଣେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ବିଧାୟକ ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । ଲୋକଙ୍କ ସମସ୍ୟା କାହିଁକି ଶୁଣାଯାଉନାହିଁ ବୋଲି ପଚାରିଥିଲେ । ସେ କିଛି କହି ନ ପାରିବାରୁ ଉଚ୍ଚ ଅଧିକାରୀଙ୍କୁ ଫୋନ୍‌ ଲଗାଇବାକୁ କହିଥିଲେ । ଅଧୀକ୍ଷଣ ଯନ୍ତ୍ରୀଙ୍କ ସହ ଫୋନ୍‌ରେ କଥା ହୋଇ ବର୍ଷାରେ ଭିଜି ଭିଜି ଲୋକେ କିପରି ରହିବେ ବୋଲି ପ୍ରଶ୍ନ କରିଥିଲେ । ବାରମ୍ବାର ଅଭିଯୋଗ କଲେ ମଧ୍ୟ ଲୋକଙ୍କ କଥା କାହିଁକି ଶୁଣାଯାଉନାହିଁ ବୋଲି ପ୍ରଶ୍ନ କରିଥିଲେ । ବିସ୍ଥାପିତଙ୍କ ସମସ୍ୟାର ସମାଧାନ ତୁରନ୍ତ କରାନଗଲେ ଲୋକେ ଯଦି ଆନ୍ଦୋଳନକୁ ଓହ୍ଲାଇବେ ପ୍ରଶାସନ ଦାୟୀ ରହିବ ବୋଲି ରୋକ୍‌ ଠୋକ୍‌ ଶୁଣାଇଥିଲେ । ୩୦୦ରୁ ଅଧିକ ଲୋକ ରହୁଥିବା ଝାଙ୍କରପାଲି ଥଇଥାନ କଲୋନୀରେ ମାତ୍ର ୩ଟି ପାଇଖାନା ଥିବାରୁ ଲୋକେ କିଭଳି ଶୌଚ ହେବେ ବୋଲି ପ୍ରଶ୍ନ କରିଥିଲେ । ପିଲାଙ୍କୁ କାହିଁକି ଖାଇବାକୁ ଦିଆଯାଉନାହିଁ ବୋଲି ପଚାରିବା ସହ ଆଗାମୀ ୭ ଦିନ ପାଇଁ ଏଠାରେ ଥିବା ଏକ ଶହରୁ ଅଧିକ ଛୋଟ ପିଲାଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ବ୍ୟବସ୍ଥା ସେ ନିଜେ କରିବେ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ପିଇବା ପାଣି ପାଇଁ ତୁରନ୍ତ ୨ଟି ନଳକୂପ ଖନନ କରିବାକୁ ସେ ଜିଲ୍ଲାପାଳ ଏବଂ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟାନ୍ୟ ସମସ୍ୟା କିଭଳି ଶୀଘ୍ର ଦୂର କରାଯାଇ ପାରିବ ସେନେଇ ଆଗାମୀ ୧୦ ତାରିଖରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି ଲୋକଙ୍କୁ କହିଥିଲେ । ସେଠାରୁ ଚୁଡାପାଲି ହାଇସ୍କୁଲ ହଷ୍ଟେଲରେ ରହୁଥିବା ଖଗସାବାହାଲ ଗ୍ରାମର ଲୋକଙ୍କ ଅସ୍ଥାୟୀ ଶିବିର ପରିଦର୍ଶନ କରିଥିଲେ । ପ୍ରଶାସନ ସେମାନଙ୍କୁ ତରବରିଆ ଭାବେ ଘର ଛାଡିବାକୁ ବାଧ୍ୟ କରିବାରୁ ବନ୍ୟା ପାଣିରେ ସେମାନଙ୍କ ଘର ଆସବାବପତ୍ର କିପରି ନଷ୍ଟ ହେଲା ବିଧାୟକଙ୍କୁ ଜଣାଇଥିଲେ । ଭୂମିହୀନମାନେ କିଭଳି ଶୀଘ୍ର ସରକାରୀ ସୁବିଧା ପାଇବେ ସେନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସବୁ ସୁବିଧା କରିବେ ବୋଲି କହିଥିଲେ । ସେଠାରେ ସେମାନଙ୍କ ସୁରକ୍ଷା ପାଇଁ ପୋଲିସ ସୁରକ୍ଷା ଯୋଗାଇବାକୁ ଏସପିଙ୍କୁ ଫୋନ୍‌ କରି ଜଣାଇଥିଲେ ।

Leave A Reply

Your email address will not be published.

error: Content is protected !!