ଟିକସ ବ୍ୟବସ୍ଥାରେ ସ୍ପଷ୍ଟତା ଆଣିବା ଲାଗି ୫୧ତମ ଜିଏସଟି ପରିଷଦ ବୈଠକରେ କରାଗଲା ଗୁରୁତ୍ୱପୂର୍ଣ୍ଣ ସୁପାରିସ

• କ୍ୟାସିନୋ, ଘୋଡ଼ା ଦୌଡ଼ ଏବଂ ଅନଲାଇନ୍‌ ଗେମିଂରେ ଯୋଗାଣ ଉପରେ ଲାଗୁ ଟିକସ ବ୍ୟବସ୍ଥାକୁ ସ୍ପଷ୍ଟ କରିବା ଲାଗି ସିଜିଏସଟି ଆଇନ, ୨୦୧୭ର ଅନୁଚ୍ଛେଦ ୩ ସମେତ ସିଜିଏସଟି ଆଇନ ୨୦୧୭ ଏବଂ ଆଇଜିଏସଟି ଆଇନ ୨୦୧୭ରେ ନିର୍ଦ୍ଦିଷ୍ଟ ସଂଶୋଧନ ପାଇଁ ଜିଏସଟି ପରିଷଦର ସୁପାରିସ
• ଭାରତରେ ଥିବା ଜଣେ ବ୍ୟକ୍ତିଙ୍କୁ ଅନଲାଇନ ଗେମିଂ ଅର୍ଥ ପଠାଉଥିବା ଭାରତ ବାହାରର ଯୋଗାଣକାରୀଙ୍କ ଉପରେ ଜିଏସଟି ପଇଠ କରିବାର ଦେୟତା ଲାଗୁ କରିବା ନିମନ୍ତେ ଆଇଜିଏସଟି ଆଇନ, ୨୦୧୭ରେ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ସଂଯୋଗ କରିବା ନିମନ୍ତେ ମଧ୍ୟ ସୁପାରିସ କଲା ଜିଏସଟି ପରିଷଦ
• ପ୍ରବେଶ ସ୍ତରରେ କ୍ୟାସିନୋରେ ଅନଲାଇନ ଗେମିଂ ଏବଂ କାର୍ଯ୍ୟାନୁଷ୍ଠାନ ଯୋଗ୍ୟ ଦାବିର ଯୋଗାଣ ମୂଲ୍ୟାୟନ ଉପରେ ଜିଏସଟି ଲାଗୁ ପାଇଁ ସୁପାରିସ କଲା ଜିଏସଟି ପରିଷଦ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଅର୍ଥ ଓ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଜିଏସଟି ପରିଷଦର ୫୧ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ସମେତ ରାଜ୍ୟ ଏବଂ ବିଧାନସଭା ଥିବା କେନ୍ଦ୍ର ଶାସିତ ପ୍ରଦେଶର ଅର୍ଥମନ୍ତ୍ରୀମାନେ ଯୋଗ ଦେଇଥିଲେ । ଅର୍ଥ ମନ୍ତ୍ରଣାଳୟ ଏବଂ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ ।

ଏଥିପୂର୍ବରୁ ଗତ ମାସ ୧୧ ତାରିଖରେ ଜିଏସଟି ପରିଷଦର ୫୦ତମ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ କ୍ୟାସିନୋ ବା ଜୁଆ ଖେଳ ହେଉଥିବା ସ୍ଥାନ, ରେସ୍‌ କୋର୍ସ ବା ଘୋଡ଼ା ଦୌଡ଼ ପ୍ରତିଯୋଗିତା ହେଉଥିବା ସ୍ଥାନ ଏବଂ ଅନଲାଇନ ଗେମିଂ ଉପରେ ମନ୍ତ୍ରୀ ଗୋଷ୍ଠୀର ଦ୍ୱିତୀୟ ରିପୋର୍ଟ ଉପରେ ବିଚାର ବିମର୍ଶ କରାଯାଇଥିଲା । କ୍ୟାସିନୋ, ଘୋଡ଼ା ଦୌଡ଼ ଏବଂ ଅନଲାଇନ ଗେମିଂରେ ଯୋଗାଣ ହେଉଥିବା କାର୍ଯ୍ୟାନୁଷ୍ଠାନ ଯୋଗ୍ୟ ଦାବି ଉପରେ ୨୮% ଜିଏସଟି ଲାଗୁ ନିମନ୍ତେ ପରିଷଦ ସୁପାରିସ କରିଥିଲା । ଏହି କାର୍ଯ୍ୟକଳାପ ଏକ କୌଶଳଯୁକ୍ତ କ୍ରୀଡ଼ା କିମ୍ବା ଭାଗ୍ୟ ଆଧାରିତ, ଯାହା ହୋଇଥାଉ ପଛେ ସମ୍ପୂର୍ଣ୍ଣ ନାମମାତ୍ର ମୂଲ୍ୟ ଉପରେ ଉପରୋକ୍ତ ପରିମାଣର ଟିକସ ଲାଗୁ ହେବ ବୋଲି ନିଷ୍ପତ୍ତି ହୋଇଥିଲା । ଏ ସଂକ୍ରାନ୍ତରେ ସ୍ପଷ୍ଟତା ଆଣିବା ଲାଗି ଆଇନରେ ସଂଶୋଧନ ପାଇଁ ପରିଷଦ ମଧ୍ୟ ସୁପାରିସ କରିଥିଲା ।

ତଦନୁଯାୟୀ, ଜିଏସଟି ପରିଷଦର ୫୧ତମ ବୈଠକରେ କ୍ୟାସିନୋ, ଘୋଡ଼ା ଦୌଡ଼ ଏବଂ ଅନଲାଇନ୍‌ ଗେମିଂରେ ଯୋଗାଣ ଉପରେ ଲାଗୁ ଟିକସ ବ୍ୟବସ୍ଥାକୁ ସ୍ପଷ୍ଟ କରିବା ଲାଗି ସିଜିଏସଟି ଆଇନ, ୨୦୧୭ର ଅନୁଚ୍ଛେଦ ୩ ସମେତ ସିଜିଏସଟି ଆଇନ ୨୦୧୭ ଏବଂ ଆଇଜିଏସଟି ଆଇନ ୨୦୧୭ରେ ନିର୍ଦ୍ଦିଷ୍ଟ ସଂଶୋଧନ ପାଇଁ ସୁପାରିସ କରାଯାଇଛି । ଅନୁରୂପ ଭାବେ ଭାରତରେ ଥିବା ଜଣେ ବ୍ୟକ୍ତିଙ୍କୁ ଅନଲାଇନ ଗେମିଂ ଅର୍ଥ ପଠାଉଥିବା ଭାରତ ବାହାରର ଯୋଗାଣକାରୀଙ୍କ ଉପରେ ଜିଏସଟି ପଇଠ କରିବାର ଦେୟତା ଲାଗୁ କରିବା ନିମନ୍ତେ ଆଇଜିଏସଟି ଆଇନ, ୨୦୧୭ରେ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ସଂଯୋଗ କରିବା ନିମନ୍ତେ ମଧ୍ୟ ସୁପାରିସ କରିଛି । କଥିତ ଯୋଗାଣକାରୀଙ୍କ ପାଇଁ ଏକ ସରଳ ପଞ୍ଜୀକରଣ ଯୋଜନା ଜରିଆରେ ଭାରତରେ ଗୋଟିଏ ଥର ପଞ୍ଜୀକରଣ ନିମନ୍ତେ ଏହି ଆଇନ ଲାଗୁ ହେବ । ଆହୁରି ପଞ୍ଜୀକରଣ ଏବଂ ଟିକସ ପଇଠର ବ୍ୟବସ୍ଥାକୁ ଅନୁପାଳନ କରିବାରେ ବିଫଳ ହେବା କ୍ଷେତ୍ରରେ ଏପରି ଯୋଗାଣକାରୀଙ୍କ ଦ୍ୱାରା ଅନଲାଇନ୍‌ ଗେମିଂ ଅର୍ଥ ଯୋଗାଣ ପାଇଁ ବ୍ୟବହାର କରାଯାଉଥିବା ଯେକୌଣସି କମ୍ପ୍ୟୁଟର ସମ୍ବଳରୁ ସୃଷ୍ଟ, ସ୍ଥାନାନ୍ତରିତ, ପ୍ରାପ୍ତ ଏବଂ ପଠାଯାଇଥିବା ଯେକୌଣସି ସୂଚନାକୁ ଜନସାଧାରଣ ପ୍ରାପ୍ତ କରିବାକୁ ରୋକିବା ବା ଆକ୍ସେସ ବ୍ଲକ୍‌ କରିବା ସକାଶେ ଏହି ଆଇନ ଲାଗୁ ହେବ ।

ପ୍ରବେଶ ସ୍ତରରେ କ୍ୟାସିନୋରେ ଅନଲାଇନ ଗେମିଂ ଏବଂ କାର୍ଯ୍ୟାନୁଷ୍ଠାନ ଯୋଗ୍ୟ ଦାବିର ଯୋଗାଣ ମୂଲ୍ୟାୟନ ଉପରେ ଜିଏସଟି ଲାଗୁ ପାଇଁ ମଧ୍ୟ ପରିଷଦ ସୁପାରିସ କରିଛି । ଏହି ମୂଲ୍ୟାୟନ ପ୍ରତ୍ୟେକ ବେଟ୍‌ ବା ବାଜିର ମୋଟ୍‌ ମୂଲ୍ୟ ଉପରେ ଲାଗୁ ନହୋଇ ଖେଳାଳୀଙ୍କ ଦ୍ୱାରା କିମ୍ବା ପକ୍ଷରୁ ଯୋଗାଣକାରୀଙ୍କ ନିକଟରେ ଦାଖଲ କରାଯାଉଥିବା ଅଥବା ପଇଠ କରାଯାଉଥିବା (ଖେଳ/ବାଜିରେ ବିନିଯୋଗ ହୋଇଥିବା ପୂର୍ବ ଖେଳ/ବାଜିରେ ଜିତିବାରୁ ପ୍ରାପ୍ତ ଅର୍ଥରାଶିକୁ ବାଦ୍‌ ଦେଇ) ଅର୍ଥରାଶିକୁ ଆଧାର କରି ଲାଗୁ ହେବ ।

ଅନଲାଇନ ଗେମିଂର ଯୋଗାଣ ଏବଂ କ୍ୟାସିନୋରେ କାର୍ଯ୍ୟାନୁଷ୍ଠାନଯୋଗ୍ୟ ଦାବି ଯୋଗାଣର ମୂଲ୍ୟାୟନ ନିମନ୍ତେ ସିଜିଏସଟି ନିୟମବାଳୀ, ୨୦୧୭ରେ ସଂଶୋଧନ କରି ନିର୍ଦ୍ଦିଷ୍ଟ ବ୍ୟବସ୍ଥା ସାମିଲ କରିବା ନିମନ୍ତେ ପରିଷଦ ସୁପାରିସ କରିଛି । ଏହି ପ୍ରସଙ୍ଗ ସହ ଜଡ଼ିତ ବିଜ୍ଞପ୍ତିରେ କେତେକ ବିଜ୍ଞପ୍ତି/ସଂଶୋଧନ ଜାରି କରିବା ନିମନ୍ତେ ମଧ୍ୟ ପରିଷଦ ସୁପାରିସ କରିଛି ।

ଯଥାଶୀଘ୍ର ସମ୍ଭବ ସଂଶୋଧନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବା ଲାଗି ପ୍ରୟାସ କରାଯିବା ଏବଂ ସଂଶୋଧନ ଗୁଡ଼ିକୁ ଆସନ୍ତା ଅକ୍ଟୋବର ପହିଲା ସୁଦ୍ଧା ଲାଗୁ କରିବା ନେଇ ପରିଷଦ ନିଷ୍ପତ୍ତି ନେଇଛି ।

ସୂଚନା : ଜିଏସଟି ପରିଷଦର ସୁପାରିସକୁ ଏହି ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଉପସ୍ଥାପିତ କରାଯାଇଛି। ସବୁ ଅଂଶୀଦାରଙ୍କ ସୂଚନା ପାଇଁ ସରଳ ଭାଷାରେ ଏଠାରେ ପ୍ରମୁଖ ନିଷ୍ପତ୍ତିଗୁଡ଼ିକ ବିଷୟରେ ସୂଚନା ଦିଆଯାଇଛି । ପ୍ରାସଙ୍ଗିକ ବିଜ୍ଞପ୍ତି/ସର୍କୁଲାର/ଆଇନ ସଂଶୋଧନ ଜରିଆରେ ଏହାକୁ କାର୍ଯ୍ୟକାରୀ କରାଯିବ ଯାହାକି କେବଳ ଆଇନ ଅନୁଯାୟୀ ଲାଗୁ ହେବ ।

Leave A Reply

Your email address will not be published.