ଲୋକ କଳାକାରମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବହେଳା ସୀମା ଲଂଘନ କରିଛି : ଗୁରୁଶ୍ରୀ ଡ. ଘାସିରାମ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋକ କଳାକାରମାନଙ୍କ ପ୍ରତି ରାଜ୍ୟ ସରକାର ଅବହେଳା କରୁଛନ୍ତି । ଲୋକ କଳାକୁ ବୃତ୍ତି କରି ଜୀବନ ନିର୍ବାହ କରୁଥିବା କଳାକାରମାନେ କରୋନା ସଂକ୍ରମଣ ଜନିତ କଟକଣା ଯୋଗୁଁ ହାତବାନ୍ଧି ବସିଛନ୍ତି । ଦୀର୍ଘ ୧୧ ମାସ ହେଲା ଲୋକ କଳା ପ୍ରଦର୍ଶନ ବନ୍ଦ ହୋଇ ରହିଛି । ବିବାହ ବ୍ରତ ଆଦି ଉତ୍ସବ, ଯାନିଯାତ୍ରାରେ ସରକାରଙ୍କ କରୋନା କଟକଣା ଯୋଗୁଁ ଲୋକ କଳା ପ୍ରଦର୍ଶନର ସୁଯୋଗ ନଷ୍ଟ ହୋଇଯାଇଛି । ଏଭଳି ସ୍ଥିତିରେ ସରକାର ଚୁପ୍‌ ହୋଇ ବସି ରହିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ସଂଗୀତ ତଥା ଲୋକ କଳା ଗବେଷକ ଗୁରୁଶ୍ରୀ ଡ. ଘାସିରାମ ମିଶ୍ର କ୍ଷୋଭ ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଗଣ୍ଡାବଜା କଳାକାର ଚିହ୍ନଟ ପ୍ରକ୍ରିୟା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ଲୋକ କଳାକାରମାନଙ୍କ ଆର୍ଥିକ ସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇ ସାରିଥିବା ବେଳେ ସରକାର କେବେ ଆଉ ସେମାନଙ୍କୁ ସହଯୋଗ ପ୍ରଦାନ କରିବେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ସମାଜର ବିଭିନ୍ନ ବର୍ଗ ପାଇଁ ବିଭିନ୍ନ ପ୍ରକାର ଯୋଜନା କରି ସରକାର ପ୍ରଶଂସା ସାଉଁଟୁଥିବା ବେଳେ ଲୋକ କଳାକାରମାନଙ୍କ ପ୍ରତି ସରକାରଙ୍କ ଅବହେଳା ସୀମା ଲଂଘନ କରିଛି । ସ୍ୱାଭିମାନର ସହ ବଂଚିଥିବା ଲୋକ କଳାକାରମାନଙ୍କୁ ରାଜ୍ୟ ସରକାରଙ୍କ କଠୋରପଣ ଅତ୍ୟନ୍ତ କଷ୍ଟ ଦେଇ ସାରିଲାଣି । ଆଗାମୀ ସମୟରେ ଏହି ଲୋକ କଳାକାରମାନେ ବାଧ୍ୟ ହୋଇ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇବାକୁ ମଧ୍ୟ ପଶ୍ଚାତପଦ ହେବେନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.